୫୦ ଟଙ୍କାରେ କିଣି ୨ଶହ ଟଙ୍କାରେ ମହାପ୍ରସାଦ ବିକ୍ରି କରୁଛନ୍ତି ଦଲାଲ; ଶ୍ରଦ୍ଧାଳୁ ଅସନ୍ତୋଷ

ମହାପ୍ରଭୁଙ୍କ ସକାଳଧୂପରେ କୋଠ ଭୋଗ ଲାଗିବାର ନିୟମ ଥିବାବେଳେ ଏହା ବିକ୍ରି ହୋଇପାରିବ ନାହିଁ। ଆନନ୍ଦବଜାରରେ ଏହାକୁ ଦୁଇଗୁଣା ତିନିଗୁଣା ଦରରେ ବିକ୍ରି କରୁଛନ୍ତି ଦଲାଲ ବୋଲି ଆସିଛି ଅଭିଯୋଗ।

ମହାପ୍ରସାଦ (ପ୍ରତୀକାତ୍ମକ ଛବି)

ମହାପ୍ରସାଦ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ପୁରୀ ଆସିଲେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭଗ୍ୟକୁ ଦର୍ଶକ ମାନେ ଅପେକ୍ଷା କରିଥାନ୍ତି। କିନ୍ତୁ ମହାପ୍ରସାଦର ଦର ଭକ୍ତମାନଙ୍କୁ ଆଘାତ ଦେଉଛି। ଏନେଇ ଅସନ୍ତୋଷ ଜାହିର କରିଛନ୍ତି ଭକ୍ତ।

ମହାପ୍ରସାଦର ଯେଉଁଭଳି ଚଢ଼ା ଦର ରହିଛି, ସେଥିରେ ଭକ୍ତମାନେ କଷ୍ଟ ପାଉଛନ୍ତି। ଅଧିକ କଷ୍ଟ ଦେଉଛି, ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ଥିବା ଦଲାଲମାନଙ୍କ ଶୋଷଣ। ମହାପ୍ରସାଦକୁ ୫୦ ଟଙ୍କାରେ କିଣି ଦେଢ଼ଶହରୁ ୨ଶହ ଟଙ୍କାରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି।

ଏନେଇ ଜନୈକ ସୁଆର ସେବକ କହିଛନ୍ତି,"ସକାଳ ଧୂପ ଉଠିବା ବେଳେ ମହାପ୍ରସାଦ ନେବାକୁ ଆନନ୍ଦବଜାରରେ ଅଧିକ ଭିଡ଼ ‌ହୁଏ। ଏହି ସମୟରେ ପାଳି ଖଟୁଥିବା ସେବକମାନେ ଦୁର୍ନୀତିର ବାଟ ତିଆରିଛନ୍ତି। ସକାଳଧୂପରେ କୋଠଭୋଗ ଲାଗିବାର ନିୟମ ଥିବାବେଳେ ଏହା ବିକ୍ରି ହୋଇପାରିବ ନାହିଁ। ଏହା ଖେଇ ଆକାରରେ ପାଳିଆ ସେବକମାନେ ନେବେ। କିନ୍ତୁ ଯେଉଁମାନେ ପାଳି ଖଟୁଛନ୍ତି, ସେମାନେ କୋଠ ଭୋଗ ସହ ବିକ୍ରି ଓ ବରାଦି ଭୋଗ ବି ସକାଳଧୂପରେ ମହାପ୍ରଭୁଙ୍କୁ ଲାଗି କରୁଛନ୍ତି। ପରେ ଆନନ୍ଦବଜାରରେ ଏହାକୁ ଦୁଇଗୁଣା ତିନିଗୁଣା ଦରରେ ବିକ୍ରି କରୁଛନ୍ତି। ଏଥିରେ ଲଗାମ ଲାଗିବା ଦରକାର"।

୨୦୧୮ ମସିହାରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଥିଲେ। ଯେଉଁଥିରେ ଆନନ୍ଦବଜାର ଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ରହିଥିଲା। ମହାପ୍ରଭୁଙ୍କ ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଏହି ଦର ତାଲିକା ଲଗାଇବାକୁ ନିଷ୍ପତ୍ତି ନେଇଥିଲା। ଦର ତାଲିକା ବି ତିଆରି ହେଲା। ଏହାକୁ ୫ ବର୍ଷ ବିତିଗଲା, କିନ୍ତୁ ଆନନ୍ଦବଜାରରେ ଆଜି ପର୍ଯ୍ୟନ୍ତ ଦର ତାଲିକା ଲାଗି ପାରିଲାନି। ଅନ୍ୟପଟେ କେବଳ ମହାପ୍ରସାଦ ବିକ୍ରି କରୁଥିବା ସ୍ବୀକୃତିପ୍ରାପ୍ତ ସୁଆର ମହାସୁଆରମାନଙ୍କୁ ଛାଡ଼ିଦେଲେ, ଅନ୍ୟମାନଙ୍କୁ ବିତାଡ଼ିତ କରିବାକୁ ବି ନିଷ୍ପତ୍ତି ହେଲା। ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନାହିଁ।।

ଶ୍ରୀମନ୍ଦିରରେ ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ। ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢ଼େ ୭ କେଜି, ଦାସିଆରେ ସାଢ଼େ ୫ କେଜିରୁ ସାଢ଼େ ୬ କେଜି ଚାଉଳ ରନ୍ଧା ଯାଇଥାଏ। ଦୈନନ୍ଦିନ ଦର ଉପରେ ନଜର ପକାଇଲେ, ବାଇହାଣ୍ଡି (ଜିରା ରାଇସ୍‌) ଅନ୍ନ ଦର ପୂର୍ବରୁ ୧୨ ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହା ୧୬ ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବାସୁମତି ଚାଉଳର ବାଇହାଣ୍ଡି ପୂର୍ବରୁ ୨୨ଶହରୁ ୨୩ଶହ ଟଙ୍କାରେ ବିକ୍ରି ହେଉଛି। ଏବେ ୨୫ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସମାଧି, ଦାସିଆ, ବଡ଼ମଠ, ସାନମଠ ଦର ୫୦ରୁ ଅଢ଼େଇ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ବାଇହାଣ୍ଡି(ଜିରା ରାଇସ୍‌)ର ସେଟ୍‌(ଅନ୍ନ, ଡାଲି, ଦୁଇଟି ତରକାରୀ) ଉପରେ ନଜର ପକାଇଲେ, ପୂର୍ବରୁ ଏହାର ଦର ପ୍ରାୟ ସାଢ଼େ ୪ହଜାର ଟଙ୍କା ଥିଲା। ଏବେ ୪ହଜାର ୮ଶହରୁ ୫ହଜାର ଟଙ୍କାର ବିକ୍ରି ହେଉଛି। ସେହିଭଳି ବାସୁମତି ଚାଉଳ ବାଇହାଣ୍ଡି ସେଟ୍‌ ସାଢ଼େ ୫ହଜାରରୁ ୬ହଜାର ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସରେ ଦୈନିକ ବରାଦିରେ ୨୦ରୁ ୩୦ହଜାର ଓ ଆନନ୍ଦବଜାରରେ ବିକ୍ରିରେ ପ୍ରାୟ ୨୦ହଜାର ଲୋକ ମହାପ୍ରସାଦ ନେଉଛନ୍ତି। ସେହି ଅନୁଯାୟୀ ଦୈନିକ ୪୦ରୁ ୫୦ହଜାର ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି।
Published by:Soumya Das
First published: