News18 Odia Digital
ପୁରୀ: ଏବେ ରଥଚକ ପାଇବା ଭକ୍ତଙ୍କ ପାଇଁ ହେବ ସହଜ। ଆଉ ଭକ୍ତମାନେ ଦୀର୍ଘ ଦିନ ଧରି ରଥ ଚକଟିଏ ପାଇଁ ଅପେକ୍ଷା କରିବେ ନାହିଁ। ଆଉ ରଥ ଚକ ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ନିୟମାବଳି ବା ନୂଆ ଏସଓପି ଓ ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର କମିଟି ।
ଦୀର୍ଘ ୫ ବର୍ଷ ପରେ ପୁଣି ଥରେ ବିକ୍ରି ହେବାକୁ ଯାଉଛି ମହାପ୍ରଭୁଙ୍କ ରଥ ଚକ। ଚଳିତବର୍ଷ ଠାରୁ ଭକ୍ତମାନେ ରଥ ଚକ ପାଇଁ ଜୁଲାଇ ୨୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନର ୱେବସାଇଡ ବା ସଧାସଳଖ କାର୍ଯ୍ଯାଳୟରେ ଆବେଦନ କରିପାରିବେ । ଆଉ ଏଥିପାଇଁ ୧ ହଜାର ଟଙ୍କା ରଖାୟାଇଛି ଆବେଦନ ପତ୍ର। ପ୍ରତ୍ୟେକ ବର୍ଷ ଜୁଲାଇ ୨୫ ସୁଦ୍ଧା କରିପାରିବେ ଆବେଦନ । ରଥ ଚକ ସମେତ,ପ୍ରଭା ଓ ଅନ୍ୟାନ୍ୟ ଅଂଶ ପାଇଁ ୧୦୦୦ ଟଙ୍କାର ଆବେଦନ ଫି ଦେଇ ଆବେଦନ କରିପାରିବେ ଶ୍ରଦ୍ଧାଳୁ।
ଗୋଟିଏ ଗୋଟିଏ ଚକଗୁଡିକର ଦର ରହିଛି ୫୦ ହଜାର ଟଙ୍କା। ସେ ନନ୍ଦିଘୋଷ, କି ଦର୍ପଦଳନ କି ତାଳଧ୍ୱଜ ରଥର ଚକ ହେଉ। ସେହିପରି ପ୍ରଭାଗୁଡିକର ଦର ମଧ୍ଯ ୨୫ ହଜାର ଟଙ୍କା । ଆଉ ଅସୁଆରୀ ଓ କୋଣଗୁଡର ଦର ରହିଛି ଗୋଟା ପ୍ରତି ୧୦ ହଜାର ଟଙ୍କା ବୋଲି କହିଛନ୍ତି ଶ୍ରୀନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ତଥା ରଥଚକ ବିକ୍ରି କମିଟି ସଦସ୍ୟ।
ସେପଟେ ରଥ ଚକକୁ ଦେବା ପାଇଁ ଦୁଇ ପ୍ରକାର ବ୍ଯବସ୍ଥା ରହିଥିବା ବେଳେ ୫୦ ପ୍ରତିଶତ ଲୀଳାକ୍ଷେତ୍ର, ଦାରୁ ସଂଗ୍ରହ, ଜିଲ୍ଲା ମୁଖ୍ଯାଳୟ , ସରକାରୀ ଅଫିସ ଓ ଧାର୍ମୀୟ ଅନୁଷ୍ଠାନକୁ ନିଶୁଳ୍କ ଯୋଗାଇ ଦିଆଯିବ। ଆଉ ବାକି ଆବେଦନ ଯଥା କର୍ପୋରେଟ ସଂସ୍ଥା ଆଦି ବିଭିନ୍ନ ମନ୍ଦିର ମାନଙ୍କ ପାଇଁ ୫୦ ପ୍ରତିଶତ ବିକ୍ରି କରାଯିବ । ଆଉ ଅଧିକ ଆବେଦନ ଆସିଲେ ଲଟେରୀ ଦ୍ୱାରା ଚୟନ କରାଯିବ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରେଲୱେ ଷ୍ଟେସନ, ଏୟାରପୋର୍ଟ, ବସଷ୍ଟାଣ୍ଡ ଆଦିରେ ରଥ ଚକକୁ ଯଥା ବିଧି ସମ୍ମାନର ସହ ରଖିବାକୁ ଦାବି କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗ ସଭାପତି।
ସେପଟେ ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭଙ୍ଗାଯାଇ ରଥ କାଠଗୁଡ଼ିକୁ ଶ୍ରୀମନ୍ଦିର ରୋଷଘରେ ଜାଳେଣି ରୂପେ ବ୍ୟବହାର କରାଯାଏ। ୨୦୧୨ ମସିହାରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ଼ ରଥଚକ ବିଭିନ୍ନ ଅନୁଷ୍ଠାନକୁ ବିକ୍ରୟ କରାଯିବା ନେଇ ନିଷ୍ପତ୍ତି ନେଇଥିଲେ। ଯେଉଁମାନେ ଚାହିଁବେ ସେମାନେ ଏହାକୁ ଖରିଦ କରିପାରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ପ୍ରସ୍ତାବ ଅନୁମୋଦନ କରିଥିଲେ ।
ତଦନୁଯାୟୀ ୨୦୧୨ରୁ ରଥ ଚକଗୁଡ଼ିକୁ ଭଙ୍ଗାନଯାଇ ସଂରକ୍ଷିତ କରାଯାଇ ଆସୁଛି । ୨୦୧୨ ମସିହାରୁ ନନ୍ଦିଘୋଷ ରଥର ଚକଗୁଡ଼ିକ ବିକ୍ରୟ ହୋଇଯାଇଥିବାବେଳେ ଅନ୍ୟ ଦୁଇ ରଥର ଚକ ଗୁଡିକ ପ୍ରତି ଆଗ୍ରହ ଦେଖାଉନାହାନ୍ତି ସାଧାରଣ ଲୋକ । ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଏହାକୁ ସ୍ଥାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ତେବେ ତିନି ରଥର ମୋଟ ୪୨ଟି ଚକ ପ୍ରତିବର୍ଷ ବାହାରୁଥିବା ବେଳେ ଏଗୁଡିକ ବିକ୍ରି ନ ହୋଇ ଗୁଣ୍ଡିଚା ମନ୍ଦିରରେ ରହି ରହି ଖତ ହୋଇଗଲାଣି। ପୁଣି ପ୍ରତି ରଥଯାତ୍ରା ବେଳେ ତିନି ରଥପାଇଁ ୬୫ ଲକ୍ଷ ଟଙ୍କାର ୧୩ ହଜାର କ୍ଯୁବିକ ଫୁଟ କାଠ ପ୍ରାୟ ୧ ହଜାର ଗଛ କଟାଯାଇ ବ୍ଯବହାର ହେଉଛି । ତେଣୁ ଏଗୁଡିକୁ ଖତ କରି ଶ୍ରୀମନ୍ଦିର ରୋଷଶାଳାରେ ପୋଡିବା ଅପେକ୍ଷା ବିଭିନ୍ନ ସମୟରେ ଜଗନ୍ନାଥ ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହାକୁ ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟ ଓ ରେଳଷ୍ଟେସନ , ବିମାନବନ୍ଦର ଓ ବସଷ୍ଟାଣ୍ଡ ମାନଙ୍କରେ ଯଥାବିଧି ଅନୁସାରେ ସ୍ଥାନ ଦେବାପାଇଁ ଦରକାର ବୋଲି କହିଛନ୍ତି ଛାମୁଖୁଣ୍ଟିଆ ନିଯୋଗ ସମ୍ପାଦକ।
ରଥଚକ ଓ ଅନ୍ୟାନ୍ୟ ଅଂଶକୁ ପାଇ ତାକୁ ପୂଜା କରିବା ପାଇଁ ଅନେକଙ୍କ ଆଶା ରହିଥିବା ବେଳେ ନୂଆ ଏସଓପି ଏକ ନୂଆ ସୁଯୋଗ ସୃଷ୍ଟି କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।