ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ନିୟମ; ଭୁବନେଶ୍ୱରର ୨ ପ୍ରମୁଖ ପୂଜା ମଣ୍ଡପରେ ଭକ୍ତମାନଙ୍କୁ ଦେବୀ ଦର୍ଶନ ବାରଣ

କରୋନା ନିୟମ; ଭୁବନେଶ୍ୱରର ୨ ପ୍ରମୁଖ ପୂଜା ମଣ୍ଡପରେ ଭକ୍ତମାନଙ୍କୁ ଦେବୀ ଦର୍ଶନ ବାରଣ

ଚକେଇସିଆଣି ଦୁର୍ଗା ପୂଜା ସମିତି ଓ ଆଇଗଣିଆର ଦଧିବାମନ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ପୂର୍ଣ୍ଣ ରୀତିନୀତିରେ ଦୁର୍ଗା ପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ କିନ୍ତୁ ଭକ୍ତଙ୍କୁ ଦେବୀ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

କରୋନା ନିୟମ; ଭୁବନେଶ୍ୱରର ୨ ପ୍ରମୁଖ ପୂଜା ମଣ୍ଡପରେ ଭକ୍ତମାନଙ୍କୁ ଦେବୀ ଦର୍ଶନ ବାରଣ
ଭୁବନେଶ୍ୱରର ୨ ପ୍ରମୁଖ ପୂଜା ମଣ୍ଡପରେ ଭକ୍ତମାନଙ୍କୁ ଦେବୀ ଦର୍ଶନ ବାରଣ
  • News18 Odia
  • Last Updated: October 8, 2021, 11:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପାର୍ବଣ ଋତୁକୁ ଆଖିରେ ରଖି ଉଭୟ ବି.ଏମ.ସି. ଓ ସ୍ୱାସ୍ଥ୍ୟ ବିଭାଗ କରୋନା କଟକଣାକୁ କଠୋର କରିଥିବା ବେଳେ ଏହାକୁ ସମ୍ମାନ ଦେଇ ଯଥା ସମ୍ଭବ ନିରାଡ଼ମ୍ବର ଭାବରେ ପୂଜା ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ପୂଜା କମିଟି । ଏହି କ୍ରମରେ ଚକେଇସିଆଣି ଦୁର୍ଗା ପୂଜା ସମିତି ଓ ଆଇଗଣିଆର ଦଧିବାମନ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ କେବଳ ଔପଚାରିକ କିନ୍ତୁ ସମ୍ପୂର୍ଣ୍ଣ ରୀତିନୀତିରେ ଦୁର୍ଗା ପୂଜା ପାଳନ ସହିତ ଭକ୍ତଙ୍କୁ ସମ୍ପୂର୍ଣ୍ଣ ବାରଣ ପାଇଁ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱରରେ ଦେବୀ ଦୁର୍ଗାଙ୍କ ପୂଜାରେ ପାରମ୍ପରିକ ରୀତିନୀତି ତଥା ସାଜ୍ଜସଜ୍ଜା ପାଇଁ ସଂଖ୍ୟାଧିକ ପୂଜା ମଣ୍ଡପ ଭିତରେ ସ୍ଥାନିତ ହୋଇ ଆସିଛି ଚକେଇସିଆଣି ଦୁର୍ଗା ପୂଜା ସମିତି । ଗାଁ ଲୋକଙ୍କ ସହଯୋଗ କାରଣରୁ ଗତ ଦୁଇ ଦଶନ୍ଧି ଧରି ଏଠାରେ ଜାକଜମକରେ ସାର୍ବଜନୀନ ଦୁର୍ଗା ପୂଜା ପାଳନ ହେଉଥିବା ବେଳେ ଏଠାକାର ମଣ୍ଡପର ବିଶେଷତ୍ୱ ଅନ୍ୟ ତୁଳନାରେ ଅଲଗା । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏହି ପୂଜା ସମିତି ପକ୍ଷରୁ ପାରମ୍ପରିକ ପୂଜା ଧାରା ଉପରେ ଗୁରୁତ୍ୱ ଦିଆଯାଉଥିବା ସହିତ ପୂଜା ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାର ନୈବଦ୍ୟ ଏଠି ଦେବୀଙ୍କୁ ପରସା ଯାଇଥାଏ । ହେଲେ ଏ ବର୍ଷ କୋଭିଡ଼ କଟକଣା କାରଣରୁ ସବୁକିଛି ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଏଥର ଭକ୍ତମାନେ ଏହି ମଣ୍ଡପରେ ଦେବୀ ଦର୍ଶନ ପାଇଁ ବଞ୍ଚିତ ହେବେ। କାରଣ ଏଠି ଭକ୍ତଙ୍କ ପାଇଁ ନିଷିଦ୍ଧ କରାଯାଇଛି ଦର୍ଶନ।

କରୋନା ନିୟମ ସହ ଭୁବନେଶ୍ବରେ ଆରମ୍ଭ ହେଲା ନବରାତ୍ରୀ ପୂଜା


ଚକେଇ ସିଆଣୀ ଦୁର୍ଗା ପୂଜା ସମିତିର ଉପ ସଭାପତି ଦିଲ୍ଲୀପ ସ୍ୱାଇଁଙ୍କ ସୂଚନା ଅନୁସାରେ, ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ ଏଠି ପାଳନ ପାଇଁ ଗୁରୁତ୍ୱ ଦିଆଯିବ । ମଣ୍ଡପର ତିନିପଟରୁ ଆବଦ୍ଧ ସହିତ ମୂର୍ତ୍ତିର ଉଚ୍ଚତା ଚାରି ଫୁଟ ଭିତରେ ସୀମିତ ରହିବ । ଏହା ସହିତ କେବଳ ୭ ଜଣିଆ ପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ପୂଜା ବିଦ୍ଧି ପରିଚାଳନା କରାଯିବ। କୌଣସି ଭକ୍ତଙ୍କୁ ବି ମଣ୍ଡପ ଭିତରକୁ ଯିବାକୁ ଦିଆଯିବ ନାହିଁ । ଭକ୍ତଙ୍କୁ ଦେବୀ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବାରଣ କରାଯାଇଥିବାରୁ ଏଥି ପାଇଁ ପୂଜା କମିଟି ପକ୍ଷରୁ ସାଧାରଣ ଲୋକଙ୍କୁ କୋଭିଡ ନିୟମ ପାଳିବାକୁ ନିବେଦନ କରାଯାଇଛି ବୋଲି କହିଛନ୍ତି ଚକେଇସିଆଣ ଦୂର୍ଗା ପୂଜା ସମିତିର ବରିଷ୍ଠ ସଦସ୍ୟ ଅଭୟ ମଙ୍ଗରାଜ।

ସେହିଭଳି ଆଇଗଣିଆସ୍ଥିତ ଦଧିବାମନ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ଏଥର ଯଥା ସମ୍ଭବ କେବଳ ବିଧି ରଖିବା ପାଇଁ ପୂଜା ପାଳନ କରାଯାଉଥିବା କମିଟି ସଦସ୍ୟ କହିଛନ୍ତି । ସଦସ୍ୟ ଟୁଲୁ ପ୍ରଧାନଙ୍କ ସୂଚନା କହିଛନ୍ତି, ‘‘ଭୁବନେଶ୍ୱରରେ ଜାକଜମକରେ ଦୁର୍ଗା ପୂଜା ପାଳନ ହେଉଥିବା ଏକାଧିକ ପୂଜା ମଣ୍ଡପ ଭିତରେ ଆଇଗିଣିଆ ପୂଜା କମିଟି ଅନ୍ୟତମ । କିନ୍ତୁ କୋଭିଡ ନିୟମ କାରଣରୁ ଏଥର ନିରାଡ଼ମ୍ବର ଭାବେ ପୂଜା ପାଳନ କରାଯିବ। ୨୦୨୦ ମସିହାରେ ବି ନିରାଡ଼ମ୍ବର ଭାବେ ଏଠି ଦୁର୍ଗା ପୂଜା ପାଳନ ହୋଇଥିଲା । ଏଥିରେ ଆଇଗଣିଆ ପୂଜା କମିଟି ସମ୍ପୂର୍ଣ୍ଣ ସହଯୋଗ କରିଥିଲା । ଚଳିତ ବର୍ଷ କୋଭିଡ଼ ଗାଇଡ଼ଲାଇନ ବଳବତର ରହିଥିବାରୁ କେବଳ ପରମ୍ପରା ପୂଜାକୁ ଗୁରୁତ୍ୱ ଦିଆଯିବ । ଏହା ସହିତ ଭକ୍ତଙ୍କୁ ଦେବୀ ଦର୍ଶନ ପାଇଁ ବାରଣ କରାଯିବାକୁ ନିଷ୍ପତ୍ତି ହୋଇଛି।’’

ଭୁବନେଶ୍ୱରର ୨ ପ୍ରମୁଖ ପୂଜା ମଣ୍ଡପରେ ଭକ୍ତମାନଙ୍କୁ ଦେବୀ ଦର୍ଶନ ବାରଣ


ତେବେ କରୋନା ଗାଇଡ଼ଲାଇନ ମୂର୍ତ୍ତି କାରିଗରଙ୍କୁ ପେଟକୁ ନାତ ସଦୃଶ୍ୟ ବୋଲି ଅନେକ ମୂର୍ତ୍ତି କାରିଗର ମତ ରଖିଛନ୍ତି । ମୂର୍ତ୍ତି କାରିଗର ଅନାଥ ମୁଦୁଲି କହିଛନ୍ତି, ‘‘ଦୁଇ ବର୍ଷ ହେଲାଣି ଆମ ପେଟକୁ ଲାତ ମାରୁଛନ୍ତି ସରକାର। ଆମେ ଭାବିଥିଲୁ ଗତ ବର୍ଷ ନହେଲା ନାହିଁ, ଏଥର ସ୍ୱାଭାବିକ ହେବ କୋଭିଡ ସ୍ଥିତି। ହେଲେ ଏ ବର୍ଷ ବି ଚାରି ଫୁଟ ଭିତରେ ମୂର୍ତ୍ତି ଉଚ୍ଚତା ସୀମିତ। ଆମେ କଣ କରିବୁ। ହାଟ ବଜାରରେ ସରକାରୀ କୋଭିଡ ନିୟମ ନାହିଁ, ଖାଲି ମୂର୍ତ୍ତି କାରିଗରଙ୍କ ପାଖରେ ନିୟମ।’’

ଏସବୁ ଭିତରେ ସବୁ ପୂଜା କମିଟି ଆୟୋଜକଙ୍କ ଆଶା ଆସନ୍ତା ବର୍ଷକୁ ସେମାନେ ଧୁମ୍‌ଧାମ୍‌ରେ ଦୁର୍ଗା ପୂଜା ଆୟୋଜନ ପାଇଁ ସୁଯୋଗ ପାଇବେ। ଏ ନେଇ ସବୁ ଜନସାଧାରଣ କରୋନା ନିୟମ ଅନୁପାଳନ କରିବାକୁ ପୂଜା କମିଟି କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି ।
Published by: Lipina Das
First published: October 8, 2021, 11:49 AM IST