News 18 Odia Digital
ଭୁବନେଶ୍ୱର; ରାଜଧାନୀରେ ଥମିବାର ନାମ ନେଉନି ଡେଙ୍ଗୁ । ନିୟମିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଅପରିଷ୍କାର ଅଞ୍ଚଳରେ କାୟା ବିସ୍ତାର କରୁଛି ଏଡିଶ ମଶା । ମାସକରେ ୫ଶହ ରୋଗୀ ଚିହ୍ନଟ ହେବାପରେ ଭୁବନେଶ୍ୱରରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ପକ୍ଷରୁ ମଶା ବଂଶ ଲୋପ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିଆଯାଉଛି ଆବଶ୍ୟକ ପଦକ୍ଷେପ I
ଖୋର୍ଦ୍ଧା ଜିଲ୍ଲାରେ ଗତ ୩ମାସରେ ଚିହ୍ନଟ ହେଲେଣି ୮୧୮ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଭୁବନେଶ୍ୱରରେ ସଂଖ୍ୟା ୭୬୭ ଥିବାବେଳେ ଅଗଷ୍ଟ ମାସରେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଲେଣି ୫ଶହ ରୋଗୀ । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ବିକ୍ଷିପ୍ତ ଭାବେ ରୋଗୀ ଚିହ୍ନଟ ହେଉଥିବାରୁ ବଢିବାରେ ଲାଗିଛି ଚିନ୍ତା । ଗୋଡ ହାତ ବିନ୍ଧିବା ସହିତ ବାନ୍ତି ଲାଗି ରହୁଛି । ଦିର୍ଘ ଦିନ ପର୍ଯ୍ୟନ୍ତ ଜ୍ୱର କମୁନଥିବା ଫଳରେ ରୋଗୀ ଦୁର୍ବଳ ହୋଇପଡୁଛନ୍ତି । ତଥାପି ଲୋକେ ଅବହେଳା କରି ଏଲିସା ଟେଷ୍ଟିଂ ନକରି ଘରେ ଚିକିତ୍ସିତ ହେଉଛନ୍ତି । ଶରୀରରୁ ପ୍ଲେଟଲେଟ ପରିମାଣ ହ୍ରାସ ପାଇବା ପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ବର୍ଷା ଯୋଗୁଁ ବର୍ତ୍ତମାନ ଡେଙ୍ଗୁ ସ୍ଥିତି ଅଧିକ ରହିଛି । ତଥାପି ଲୋକେ ସଚେତନ ରହିବା ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।
ରାଜଧାନୀର ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ସଜାଗ ରହିଛି । କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ସ୍ୱତନ୍ତ୍ର ଓ୍ବାର୍ଡରେ ୨୦ରୁ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଅଧିକ ପାରିମାଣର ଏଲିସା ଟେଷ୍ଟିଂ ସୁବିଧା ଥିବା କାରଣରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ସେପଟେ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ବିଏମସି ପକ୍ଷରୁ ସପ୍ତାହିକ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ଫଗିଂ ଓ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି । ଚଳିତ ମାସରେ ୫ଶହ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଏହା ଗତ ବର୍ଷର ସଂଖ୍ୟା ତୁଳନାରେ ଯଥେଷ୍ଟ କମ୍ ରହିଥିବା ସୂଚନା ମିଳିଛି । ତେଣୁ ଭୟ ନକରି ସଚେତନ ଓ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
କୋଭିଡରେ ହଟସ୍ପଟ ଥିଲା ରାଜଧାନୀ ଭୁବନେଶ୍ୱର । କୋଭିଡର ୪ର୍ଥ ଲହର ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ବର୍ତ୍ତମାନ ଡେଙ୍ଗୁ ରାଜଧାନୀବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।