News18 Odia Digital
ଭୁବନେଶ୍ୱର: ଯଦି ଦେଶ ଏକ, ବ୍ୟବସ୍ଥା ଏକ ତେବେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ଲାଗୁ ହେବା ଦରକାର। ଭିଭିପିଆଇ ବା ନାମକରା ଲୋକଙ୍କ ଭୋଜିଭାତ ଅବସରରେ ଟେଣ୍ଟ ହାଉସ ଗାଡ଼ିଗୁଡ଼ିକ ପାଇଁ ନିୟମ କୋହଳ ଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି।
ଏଥିରେ ପରିବର୍ତ୍ତନ ହେବା ଜରୁରୀ। ସମସ୍ତଙ୍କ ପାଇଁ ଓ ସବୁ ରାଜ୍ୟରେ ଗୋଟିଏ ନିୟମ ପ୍ରଣୟନ ହେବା ଜରୁରୀ। ଭୁବନେଶ୍ୱରରେ ଆୟୋଜିତ ଅଲ ଇଣ୍ଡିଆ ଟେଣ୍ଟ ଡେକୋରେଟର ୱେଲଫେୟାର ଆସୋସିଏସନର ୧୯ତମ ସାଧାରଣ ଅଧିବେଶନ ପରିପ୍ରେକ୍ଷୀରେ ଏହା କହିଛନ୍ତି ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଅନୀଲ ରାଓ।
ସବୁ ରାଜ୍ୟରେ ସମାନ ନୀତି ପ୍ରଣୟନ ନ ହେଲେ ଏହାକୁ ପ୍ରସଙ୍ଗ କରି ଆସୋସିଏସନ ପ୍ରତିବାଦ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନୀଲ ରାଓଙ୍କ ସୂଚନା ଅନୁସାରେ, ଏହି ୧୯ତମ ଜାତୀୟ ଅଧିବେଶନରେ ଦେଶର ୧୮ଟି ରାଜ୍ୟର ୪୨୭ ଜଣ ପ୍ରତିନିଧି ଯୋଗ ଦେଇଥିଲେ।
ମୁଖ୍ୟତଃ ଟେଣ୍ଟ ହାଉସଗୁଡ଼ିକର ସମସ୍ୟା, ବିଭିନ୍ନ ରାଜ୍ୟରେ ନୀତିନିୟମ ଅଲଗା ଓ ଏହାର ପ୍ରଭାବ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଗୋଟିଏ ଦେଶରେ ଗୋଟିଏ ନିୟମକାନୁନ୍ ଲାଗୁ ହୋଇଥିବା ବେଳେ ରାଜ୍ୟ ଭିତିରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅର୍ଥାତ୍ ସାମଗ୍ରୀକ ଭାବେ ଦେଶ ପାଇଁ ପ୍ରଣୟନ ହୋଇଥିବା ନିୟମ ସହିତ ବିଭିନ୍ନ ରାଜ୍ୟୱାରୀ ନିୟମରେ ଅନେକ ଫରକ ଆସୁଛି। ଏହାଦ୍ୱାରା ଟେଣ୍ଟ ଡ଼େକୋରେଟରମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି କୌଣସି ମନ୍ତ୍ରୀ, ନେତା କିମ୍ବା ଭିଭିପିଆଇଙ୍କର କାର୍ଯ୍ୟକ୍ରମ ଥାଏ ଏଥିରେ ଟେଣ୍ଟ ହାଉସଗୁଡ଼ିକ ଉପରେ କଟକଣା କୋହଳ କରାଯାଇଥାଏ। କିନ୍ତୁ ସେ କ୍ଷେତ୍ରରେ ଯଦି କୌଣସି ସାଧାରଣ ଲୋକଙ୍କର କାର୍ଯ୍ୟକ୍ରମ ଥାଏ ଟେଣ୍ଟ ହାଉସ ଗାଡ଼ିଗୁଡ଼ିକୁ ଯିବା ପାଇଁ ଦିଆଯାଏ ନାହିଁ।
ସରକାରୀ ଅନୁମତି କେବଳ ୬ ଘଣ୍ଟା ପାଇଁ ମିଳିଥାଏ। ଏଣୁ ଏ କ୍ଷେତ୍ରରେ ଗୋଟିଏ ନୀତି ଓ ଗୋଟିଏ ନିୟମ ଲାଗୁ ହେବା ଜରୁରୀ। ସେ ସ୍ପଷ୍ଟ କରିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରେ ଗୋଟିଏ ନିୟମ ଅନୁପାଳନ ହେଉଥିବା ବେଳେ ସମସ୍ତ ରାଜ୍ୟଗୁଡ଼ିକରେ ଏହାକୁ ଅନୁସରଣ କରାଯିବା ଜରୁରୀ।
ଏହାଦ୍ୱାରା ନିୟମରେ ବ୍ୟତିକ୍ରମ ଦେଖିବାକୁ ମିଳିବ ନାହିଁ। ବ୍ୟବସାୟ କରିବା ପାଇଁ ସବଜି ମଣ୍ଡି , କ୍ଷୀର ମଣ୍ଡି ଭଳି ଟେଣ୍ଟ ହାଉସ ମଣ୍ଡି ତିଆରି ହେବା ଜରୁରୀ। ଏଥିପାଇଁ ସରକାରୀ ଭାବେ ଅନୁମତି ମିଳିବା ଦରକାର। କାରଣ ଟେଣ୍ଟ ହାଉସଗୁଡ଼ିକର ବିଭିନ୍ନ ସାମଗ୍ରୀ ବହୁତ ମୂଲ୍ୟବାନ।
ବାରମ୍ବାର ଏହାକୁ ଉଠାପକା ପାଇଁ ଜରୁରୀ ଥିବାରୁ ଟେଣ୍ଟ ହାଉସ ମଣ୍ଡି ମଧ୍ୟ ନିର୍ମାଣ କରାଯିବା ଦରକାର। ସହର ବାହାରେ ବି ଏଥିପାଇଁ ଅନୁମତି ମିଳିବା ଦରକାର। ରାଷ୍ଟ୍ରୀୟ ଅଧିବେଶନରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିକାଲି ରେଡ଼ିମେଟ୍ ଟେଣ୍ଟ ହାଉସର ଆବଶ୍ୟକତା ରହୁଛି। ଏଥିପାଇଁ ଘରୋଇ ଜମିରେ ନିର୍ମାଣ ହୋଇଥିବା ଟେଣ୍ଟ ହାଉସକୁ ଅନୁମତି ମିଳୁନାହିଁ। ଏହାକୁ ସରକାରୀ ଭାବେ ଅନୁମତି ଦିଆଯିବା ଦରକାର।
ବିଶେଷ କରି ଚାଷ ଜମି ଉପରେ ଏଭଳି ନିର୍ମାଣ ପାଇଁ ଦେଶର ସବୁ ରାଜ୍ୟ ଅନୁମତି ଦେବା ଦରକାର। ଏହି ଅଧିବେଶନ ଉପରେ ସୂଚନା ଦେଇ ଆସୋସିଏସନର ବରିଷ୍ଠ ଉପାଧ୍ୟକ୍ଷ ଅଶୋକ ଚାୱାଲ କହିଛନ୍ତି, ‘‘ଟେଣ୍ଟ ହାଉସ କ୍ଷେତ୍ରରେ ବ୍ୟବସାୟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି। ଏହାକୁ କମ୍ କରାଯିବା ଦରକାର। କାରଣ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ସାଧାରଣ ଗ୍ରାହକ। ପୂର୍ବଭଳି ଏହି ବ୍ୟବସାୟରେ ଜିଏସଟି ପ୍ରତିଶତକୁ ୧୨ ପ୍ରତିଶତ କରାଯାଉ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।