ରାଜ୍ୟରେ ବସ ଭଡ଼ା କମ କରିବା ନେଇ ଉଠିଲା ଦାବି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଘରୋଇ ବସ ଭଡ଼ା ପ୍ରସଙ୍ଗକୁ ନେଇ ପୁଣିଥରେ ଚର୍ଚ୍ଚା ସାମ୍ନାକୁ ଆସିିଛି । ତେଲ ଦର କମୁଥିଲେ ମଧ୍ୟ ବସ ଭଡ଼ା କମୁନାହିଁ ଓ ଏହା ଘରୋଇ ବସ ମାଲିକଙ୍କ ମନମାନୀ ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା । ଅନ୍ୟପକ୍ଷରେ ରାଜ୍ୟ ଘରୋଇ ବସ ମାଲିକ ସଂଘ କହିଛି ଏହା କ୍ଵଚିତ ଘଟଣା। ଅଭିଯୋଗ ଉପରେ ଅନୁଧ୍ୟାନ କରାଯିବ।
ଏ ପ୍ରସଙ୍ଗରେ ନୂଆ କରି ଦାୟିତ୍ୱ ନେଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଲିଖିତ ଅଭିଯୋଗ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା। ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ରାଜ୍ୟ ସଭାପତି ରବି ବେହେରାଙ୍କ ସୂଚନା ଅନୁସାରେ, ତେଲ ଦର ବଢିଲେ ସଙ୍ଗେ ସଙ୍ଗେ ବସ ଓ ଟ୍ରକ ଭଡ଼ା ବଡ଼ୁଛି । କିନ୍ତୁ ତେଲ ଦର କମିବା ପରେ ବସ କିମ୍ବା ଟ୍ରକ ଭଡ଼ା କମୁନାହିଁ । ବିଶେଷକରି ବସ ମାଲିକମାନେ ବିଭିନ୍ନ ଆଳ ଦେଖାଇ ଅଧିକ ଭଡ଼ା ଆଦାୟ କରୁଛନ୍ତି। ପ୍ରତିବାଦ କଲେ ଅନେକ ସମୟରେ ଯାତ୍ରୀଙ୍କୁ ଅପ୍ରତିକର ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବରମୁଣ୍ଡା ବସଷ୍ଟାଣ୍ଡରୁ କଟକର ବାଦାମବାଡ଼ି ବସଷ୍ଟାଣ୍ଡ ଦୁରତା ୩୦ କିମି । ଏହି ୩୦ କିମି ରାସ୍ତା ପାଇଁ କିଲୋମିଟର ପିଛା ୮୯ ପଇସା ହିସାବରେ ବସ ଭଡ଼ା ହେଉଛି ୨୭ ଟଙ୍କା। କିନ୍ତୁ ଯାତ୍ରୀଙ୍କଠାରୁ ବସଗୁଡ଼ିକ ୪୦ ଟଙ୍କା ଆଦାୟ କରୁଛନ୍ତି । ଅର୍ଥାତ୍ ଧାର୍ଯ୍ୟ ଦାମଠାରୁ ୧୩ ଟଙ୍କା ଅଧିକ ଆଦାୟ କରୁଛନ୍ତି ଘରୋଇ ବସ । ଡ଼ିଲକ୍ସ, ସୁପର ଡ଼ିଲକ୍ସ ଓ ଅଡ଼ିନାରୀ ବସ ଅନୁସାରେ ଭଡ଼ା ଧାର୍ଯ୍ୟ ହେବା ପାଇଁ ସରକାରୀ ନିୟମ ଥିଲେ ମଧ୍ୟ କୌଣସି ଯାତ୍ରୀବାହି ବସରେ ଏ ସମ୍ପର୍କିତ ସୂଚନା ଦିଆଯାଉନାହିଁ । ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା।
ଅନ୍ୟପକ୍ଷେ ଏଭଳି ଅଭିଯୋଗର ଉତରରେ ରାଜ୍ୟ ଘରୋଇ ବସ ମାଲିକ ସଂଘ କହିଛି, ଏହା କାଁ ଭାଁ ଘଟଣା ହୋଇପାରେ । ରାଜ୍ୟ ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି,"ସରକାରୀ ନିୟମକୁ ସବୁବେଳେ ଘରୋଇ ବସ ମାଲିକ ସଂଘ ମାନି ଆସୁଛି । ବସ ଭିତରେ ଯାତ୍ରୀ ଭଡ଼ା ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଇଛି । ତେବେ କେଉଁ ଧରଣର ବସ ଓ ଏହାର କିଲୋମିଟର ପିଛା ଯାତ୍ରୀ ଭଡ଼ା କେତେ ସେ ସମ୍ପର୍କିତ ସୂଚନା ସବୁଠି ଲଗାଯାଇପାରି ନାହିଁ । ଏ ଦିଗରେ ଘରୋଇ ବସ ମାଲିକ ସଂଘ ଶୀଘ୍ର ନିତୀଧାର୍ଯ୍ୟ କରିବ । ବସଟି କେଉଁ ଶ୍ରେଣୀର ସେ ସମ୍ପର୍କରେ ଥିବା ସୂଚନା ପ୍ରତି ଘରୋଇ ବସରେ ଯେଭଳି ଲାଗିବ ତାହା ଉପରେ ଗୁରୁତ୍ୱ ଦିଆଯିବ" ।
ଏସବୁ ଭିତରେ ବସ ଯାତ୍ରୀମାନେ ଵି ପ୍ରତ୍ୟେକ ଘରୋଇ ଓ ସରକାରୀ ଵସରେ ଏଭଳି ସୂଚନା ରହିବା ନିହାତି ଜରୁରୀ ବୋଲି ମତ ରଖିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।