ବାଲେଶ୍ୱର: ସହରରେ ପୋଲିସ ବିଟ୍ ହାଉସ ଖୋଲିବା ନେଇ ଉଠୁଛି ଦାବି

ସହରରେ ଅପରାଧକୁ ରୋକିବା ପାଇଁ ଖୋଲା ଯାଇଥିବା ପୋଲିସ ବିଟ ହାଉସ ବନ୍ଦ ହୋଇ ପଡି଼ଛି। ସେ ସବୁକୁ ପୁନଃ ଖୋଲାଯିବା ନେଇ ବିଭିନ୍ନ ମହଲରୁ ଦାବି ଉଠୁଛି ।

ସହରରେ ପୁନଃ ପୋଲିସ ବିଟ୍ ହାଉସ ଖୋଲିବା ନେଇ ଉଠୁଛି ଦାବି (ପ୍ରତୀକାତ୍ମକ ଛବି)

ସହରରେ ପୁନଃ ପୋଲିସ ବିଟ୍ ହାଉସ ଖୋଲିବା ନେଇ ଉଠୁଛି ଦାବି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ ଘାଟ, ଭାସ୍କରଗଞ୍ଜ ଓ ବାଲିଆରେ ଥିବା ବିଟ୍‌ ହାଉସ୍‌ରେ ତାଲା ଝୁଲୁଛି। ଏଥିପାଇଁ ପୋଲିସ ଅଧିକାରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବା ସହିତ ଅପରାଧୀମାନେ ଅଧିକ ବେଫିକରରେ ଅପରାଧ ଘଟାଉଥିବା ଅଭିଯୋଗ ହେଉଛି ।

ବିଟ ହାଉସ ବନ୍ଦ ଫଳରେ ତୃଣମୂଳ ସ୍ତରରେ ଅପରାଧୀମାନଙ୍କୁ ଚିହ୍ନଟ କରିବା, ନୂଆ କରି ଅପରାଧ ଘଟାଇଥିବା ବ୍ୟକ୍ତିଙ୍କୁ ଜାଣିବା, କୋର୍ଟରୁ ଆସୁଥିବା ସମନ ବଣ୍ଟନ କରିବା ଭଳି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିଛି। ଏଣୁ ସହର ମଝିରେ ଅପରାଧୀମାନେ ଦିନ ଦ୍ବିପ୍ରହରରେ ଛିନ୍‌ତାଇ, ଲୁଟ୍ କରି ସହଜରେ ଖସି ପଳାଉଛନ୍ତି।

"ସହରର ମଧ୍ୟଭାଗରେ ଫକୀରମୋହନ ମହାବିଦ୍ୟାଳୟ ଥିବାରୁ ଶାନ୍ତିକାନନ, ମଲ୍ଲିକାଶପୁର, ଆଜିମାବାଦ, ମଠସାହି, ମାନସିଂବଜାର, ଗଡ଼ଗଡ଼ିଆ ଅଞ୍ଚଳରେ ଅଧିକ ଛାତ୍ରୀଛାତ୍ର ରହିବା ସହ ଯା ଆସ କରିଥାନ୍ତି। ଦିନକୁ ଦିନ ଏହି  ଅଞ୍ଚଳ ଗୁଡ଼ିକରେ ବିଭିନ୍ନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଛାତ୍ରୀଛାତ୍ରଙ୍କ ଦାବି ଓ ଆନ୍ଦୋଳନ ପରେ ଗତ ୨୦୧୮ ଅକ୍ଟୋବର ୧୦ ତାରିଖରେ ତତ୍କାଳୀନ ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ନିର୍ଦ୍ଦେଶରେ ମହାବିଦ୍ୟାଳୟ ପରିସରରେ ଏକ ପୋଲିସ ବିଟ୍ ହାଉସ ଖୋଲାଯାଇଥିଲା,"କହିଛନ୍ତି ପୁରାତନ ଛାତ୍ର ଅରିନ୍ଦମ ଦାସ।

ତେବେ ଏନେଇ ସାମାଜିକ ସଂଗଠନ ସ୍ମାଇଲ ସୋସାଇଟି ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।  ଏନେଇ ଆଇଜି ମଧ୍ୟ ଘଟଣାକୁ ଗୁରୁତର ସହ ନେବା ସହିତ ପୁନଃ ବିଟ ହାଉସ କାର୍ଯ୍ୟକ୍ଷମ କରିବା ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି।

"ଫକୀର ମୋହନ କଲେଜରେ ଥୁବା ବିଟ ହାଉସ ଯୋଗୁଁ ଛାତ୍ର ଛାତ୍ରୀମାନେ ନିର୍ଭୟରେ ଯିବା ଆସିବା କରୁଥିଲେ । କିନ୍ତୁ ଏହା ଏବେ ବନ୍ଦ ଫଳରେ ପ୍ରତ୍ୟକ ଦିନ ଏହି ଅଞ୍ଚଳରୁ ଲୁଟର ଶିକାର ହେଉଛନ୍ତି ଛାତ୍ର। କିଛି ଦୁବୃତ୍ତ ବାଇକରେ ଆସି ମୋବାଇଲ ବା ବ୍ୟାଗ ଟଙ୍କା ଆଦି ଜୋର ଜବରଦସ୍ତ ଛଡ଼ାଇ ଫେରାର ହୋଇ ଯାଇଛନ୍ତି। ଏନେଇ ଆମେ ଆଇଜିଙ୍କୁ ଜଣାଇଛୁ ଓ ଏ ଏହାର ଶୀଘ୍ର ସମାଧାନର ପ୍ରତିଶୃତି ଦେଇଛନ୍ତି,"କହିଛନ୍ତି ସ୍ମାଇଲ ସୋସାଇଟି ସଭାପତି ଶୁଭମ ସାଇ।
Published by:Soumya Das
First published: