୧୦ ଜିଲ୍ଲାର ଆହାର କେନ୍ଦ୍ରରେ ରାଜ କରୁଛି ବ୍ରହ୍ମପୁରର ସ୍ବାଦିଷ୍ଟ ଆଚାର; ଦିନକୁ ଦିନ ବଢୁଛି ଚାହିଦା

ବ୍ରହ୍ମପୁରର ଆଚାର ୧୦ ଜିଲ୍ଲାର ଆହାର କେନ୍ଦ୍ରରେ କରୁଛି ରାଜ। ଆଚାରର ଲୋକପ୍ରିୟତା ବୃଦ୍ଧି ସହ ମହିଳା ସଶକ୍ତିକରଣରେ କରୁଛି ସହାୟକ।

୧୦ ଜିଲ୍ଲାର ଆହାର କେନ୍ଦ୍ରରେ ରାଜ କରୁଛି ବ୍ରହ୍ମପୁରର ସ୍ବାଦିଷ୍ଟ ଆଚାର

୧୦ ଜିଲ୍ଲାର ଆହାର କେନ୍ଦ୍ରରେ ରାଜ କରୁଛି ବ୍ରହ୍ମପୁରର ସ୍ବାଦିଷ୍ଟ ଆଚାର

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଆଚାର ରହିଛି ନିଜର ଏକ ସ୍ବତନ୍ତ୍ର ପରିଚୟ। କାହିଁ କେଉଁ ଦୂର ଦୂରାନ୍ତରରୁ ଲୋକେ ଛୁଟି ଆସିଥାନ୍ତି ସହରକୁ କେବଳ ଆଚାର କିଣିବା ନିମନ୍ତେ। ଆଚାରର ଏତେ ଲୋକପ୍ରିୟତାକୁ ଦେଖି ବିଏମସି ଓ ମିଶନ ଶକ୍ତିର ସହଯୋଗରେ ମୀନାକ୍ଷୀ ନଗରରେ କରାଯାଇଛି ଆଚାର ଉତ୍ପାଦନ କେନ୍ଦ୍ର।

ଏହି କେନ୍ଦ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆଚାର ଉତ୍ପାଦନ କରୁଛନ୍ତି। ଏଠାରୁ ଉତ୍ପାଦିତ ହେଉଥିବା ଆଚାର ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଆହାର କେନ୍ଦ୍ରକୁ ପଠାଯାଉଛି। କେବଳ ଏତିକି ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରର ହୋଟେଲ ଗୁଡ଼ିକରେ ମଧ୍ୟ ରହିଛି ବ୍ରହ୍ମପୁର ଆଚାରର ଚାହିଦା। ଯାହାଫଳରେ ଏହି ଆଚାର ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଆଚାରର ପରିଚୟକୁ ଆହୁରି ଆଗକୁ ନେବା ସହିତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରିପାରିଛି।

ଓଡ଼ିଆ ମାନଙ୍କ ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ପଖାଳ ସାଙ୍ଗକୁ ଆଚାର। କୌଣସି ତରକାରୀ ନଥିଲେ ସୁଦ୍ଧା ଆଚାର ଥିଲେ ପଖାଲ ଖାଇ ହୋଇଯାଏ। ରାଜ୍ୟର ଅନ୍ୟ ସ୍ଥାନର ଆଚାର ଅପେକ୍ଷା ବ୍ରହ୍ମପୁର ଆଚାରର ରହିଛି ନିଜର ସ୍ବତନ୍ତ୍ର ପରିଚୟ। ବ୍ରହ୍ମପୁର ଆଚାର କିଣିବା ନିମନ୍ତେ ପ୍ରତିଦିନ ସହରକୁ ଆସିଥାନ୍ତି ରାଜ୍ୟ ଓ ରାଜ୍ୟ ବାହାରରୁ ଲୋକେ।

ବ୍ରହ୍ମପୁର ଆଚାରର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ବିଏମସି ଓ ମିଶନ ଶକ୍ତି ପକ୍ଷରୁ ସହରର ମୀନାକ୍ଷୀ ନଗରରେ ନିର୍ମାଣ କରାଯାଇଛି ଆଚାର ଉତ୍ପାଦନ କେନ୍ଦ୍ର। ସହରର ବିଘ୍ନେଶ୍ବର ସ୍ବୟଂ ସହାୟିକା ଗୋଷ୍ଠୀ-୨କୁ ଆଚାର ଉତ୍ପାଦନ କରିବା ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଇଛି।

ଦିନକୁ ଦିନ ବଢୁଛି ବ୍ରହ୍ମପୁର ଆଚାରର ଚାହିଦା


‘‘ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମହିଶୂରରୁ ଆଚାର ପ୍ରସ୍ତୁତ କରିବା ନିମନ୍ତେ ତାଲିମ ପାଇ ଆସିଥିଲେ। ମହିଶୂରରେ ଯେଉଁ ତାଲିମ ପାଇଥିଲେ ତାହାକୁ ନେଇ ଏଠାରେ ମହିଳାମାନେ ଆଚାର ପ୍ରସ୍ତୁତ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଥିଲେ। ଆଚାର ସମ୍ପୂର୍ଣ୍ଣ ଭାବେ ସଠିକ୍‌ ରହିଥିବା ଯୋଗୁଁ ବିଏମସି ଏହି ଗୋଷ୍ଠୀର ମହିଳାମାନଙ୍କୁ ଆଚାର ଉତ୍ପାଦନ ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଯାହାଫଳରେ ବର୍ତ୍ତମାନ ସଫଳତାର ସହିତ ଆଚାର ପ୍ରସ୍ତୁତ କରି ୧୦ଟି ଜିଲ୍ଲାର ଆହାର କେନ୍ଦ୍ରକୁ ପଠାଇ ପାରୁଥିବା କହିଛନ୍ତି,‘‘ବିଘ୍ନେଶ୍ବର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା କାଜଲ ପାତ୍ର।

‘‘ଆଚାର ଉତ୍ପାଦନ କେନ୍ଦ୍ରକୁ ବିଭିନ୍ନ ସ୍ଥାନରେ କଞ୍ଚାମାଲ ଆସିବା ପରେ ମହିଳାମାନେ ଆଚାର ପ୍ରସ୍ତୁତର ଲାଗି ପଡ଼ିଥାନ୍ତି। ପ୍ରଥମେ ଆଚାର ପ୍ରସ୍ତୁତ କରିବା ନିମନ୍ତେ ସାମଗ୍ରୀକୁ ଧୋଇବା ପରେ କାଟି ତାକୁ ଏକ ବଡ଼ ଡ଼ବାରେ ଜୁଆ ପାଇଁ ରଖାଯାଇଥାଏ। ୮ ଦିନ ଧରି ହେବା ଜୁଆ ହେବା ପରେ ତାକୁ ମିକ୍ସର ମେସିନରେ ପକାଯାଇ ଅନ୍ୟାନ୍ୟ ସାମଗ୍ରୀରେ ତାକୁ ମିକ୍ସି କରାଯାଇଥାଏ। ଏହାପରେ ବିଭିନ୍ନ ଡ଼ାବାରେ ଆଚାରକୁ ଭର୍ତ୍ତି କରାଯାଇ ଲେବେଲିଂ ମରାଯାଇ ବିକ୍ରି ନିମନ୍ତେ ପ୍ରସ୍ତୁତ କରାଯାଇଥାଏ। ଏଭଳି ଆଚାର ଉତ୍ପାଦନ କେନ୍ଦ୍ରରେ ବିଏମସି ପକ୍ଷରୁ ସେମାନଙ୍କୁ ସୁଯୋଗ ପ୍ରଦାନ କରାଯାଇଥିବା ଯୋଗୁଁ ଏଠାରୁ ଦୁଇ ପଇସା ପାଇଁ ବର୍ତ୍ତମାନ ସ୍ବାବଲମ୍ବୀ ହୋଇପାରୁଛୁ,’’ କହିଛନ୍ତି ବିଘ୍ନେଶ୍ବର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ପୁଷ୍ପଲତା ଜେନା।

‘‘ଏହି ଆଚାର ଉତ୍ପାଦନ କେନ୍ଦ୍ରରେ ପ୍ରତି ଦିନ ପ୍ରାୟ ୬୦ କୁଇଣ୍ଟାଲ ଓ ମାସକୁ ପ୍ରାୟ ୩.୫ ରୁ ୪ ଟନ ଆଚାର ପ୍ରସ୍ତୁତ ହୋଇଥାଏ । ଆଚାର ପ୍ରସ୍ତୁତ କରିବା ନିମନ୍ତ ବିଭିନ୍ନ ପ୍ରକାରର ସାମଗ୍ରୀ, ଗଜପତି, କନ୍ଧମାଳ ଫୁଲବାଣି ସହ ଅନ୍ୟ ଜିଲ୍ଲାରୁ ଆସିଥାଏ । ୧୦ ଜଣ ମହିଳାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଆଚାର କେବଳ ଯେ ୧୦ଟି ଜିଲ୍ଲାର ଆହାର କେନ୍ଦ୍ରକୁ ଯାଉଛି ତାହା ନୁହେଁ ବରଂ ସହରର ବିଭିନ୍ନ ବଜାରକୁ ବିକ୍ରି ନିମନ୍ତେ ଯିବା ସହିତ ରାଜ୍ୟ ଓ ରାଜ୍ୟ ବାହାରର ବଡ଼ ବଡ଼ ହୋଟେଲକୁ ମଧ୍ୟ ବିକ୍ରି ନିମନ୍ତେ ପଠାଯାଉଛି । ବର୍ତ୍ତମାନ କେବଳ ମିକ୍ସ ଆଚାର ମହିଳା ମାନେ ପ୍ରସ୍ତୁତ କରୁଥିବା ବେଳେ ଆଗାମୀ ଦିନରେ ମିଠା ଆମ୍ବ, ଅଦା, ଆମ୍ବ ଜେଲି, ଗ୍ରୀନ୍‌ ଚିଲି ସହ ବିଭିନ୍ନ ସାମଗ୍ରୀର ଆଚାର ପ୍ରସ୍ତୁତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି,‘‘ କେନ୍ଦ୍ରର ଖାଦ୍ୟ ସୁରକ୍ଷା ଅଧିକାରୀ ମାନସୀ ପ୍ରିୟଦର୍ଶନୀ ସାହୁ ।

‘‘ପ୍ରାୟ ୫୦ ଲକ୍ଷ ଟଙ୍କାରେ ଏହି ମିଶନ ଶକ୍ତି ମଲ୍‌ ନିର୍ମାଣ କରାଯାଇଛି। ଏହି ମଲରେ ଆଚାର ଉତ୍ପାଦନ କେନ୍ଦ୍ର ରହିଥିବା ବେଳେ ବାହାରେ ୧୨ଟି ଦୋକାନ ଗୃହ ମଧ୍ୟ ରହିଛି। ବର୍ତ୍ତମାନ ଗୋଟିଏ ଦୋକାନ ଗୃହରେ ଆଚାର ବିକ୍ରି କରାଯାଉଥିବା ବେଳେ ଆଗାମୀ ଦିନରେ ଆଉ ୧୧ଟି ଦୋକାନରେ ମିଶନ ଶକ୍ତି ତଥା ମହିଳା ମାନଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ବିଭିନ୍ନ ସାମଗ୍ରୀ ବିକ୍ରିବଟା କରାଯିବ। ବର୍ତ୍ତମାନ ଆଚାର ଉତ୍ପାଦନ ହେବା ସହିତ ୧୦ଟି ଜିଲ୍ଲାର ଆହାର କେନ୍ଦ୍ରକୁ ଯୋଗାଣ ହେଉଥିବା ବେଳେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛନ୍ତି,’’ ବିଏମସି କମିଶନର ଜେ.ସୋନାଲ।

ଆଚାର ଉତ୍ପାଦନ କେନ୍ଦ୍ରରେ ଆଚାର କିଲୋ ପ୍ରତି ୪୭ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆହାର କେନ୍ଦ୍ରକୁ ମାତ୍ର ୫୧ ଟଙ୍କାରେ ବିକ୍ରି କରାଯାଉଛି। ଏହି ଆଚାର ଉତ୍ପାଦନ କେନ୍ଦ୍ରରେ ଅତ୍ୟନ୍ତ ହାଇଜେନିକ ଭାବେ ଆଚାର ଉତ୍ପାଦନ କରାଯାଉଥିବା ଯୋଗୁଁ ଧିରେ ଧିରେ ଏଠାରେ ଆଚାର ନେବା ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି।
Published by:Lipina Das
First published: