ବର୍ଷା-ଅନୁଭବ ମାମଲା: ବର୍ଷାଙ୍କୁ ଡିସେମ୍ବର ୧୦ରେ ହାଜର ହେବାକୁ କହିଲେ ଦିଲ୍ଲୀର କୋର୍ଟ

ଏହି ମାମଲାର ଶୁଣାଣି ସମୟରେ ଅନୁଭବ ବିବାହ ବିଚ୍ଛେଦ ପାଇଁ ବର୍ଷାଙ୍କ ବିରୋଧରେ ଦେଇଥିବା ସବୁ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ତାଙ୍କ ଓକିଲ । କିନ୍ତୁ ଶୁଣାଣି ବେଳେ ସେଠାରେ ବର୍ଷାଙ୍କ ପକ୍ଷରୁ କେହି ଓକିଲ ହାଜର ହୋଇ ନ ଥିଲେ ।

ବର୍ଷା-ଅନୁଭବ ମାମଲା: ବର୍ଷାଙ୍କୁ ଡିସେମ୍ବର ୧୦ରେ ହାଜର ହେବାକୁ କହିଲେ ଦିଲ୍ଲୀର କୋର୍ଟ
ଷ୍ଟାର୍ ଦମ୍ପତି ଅନୁଭବ ଓ ବର୍ଷା
  • News18 Odia
  • Last Updated: October 8, 2020, 12:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଲିଉଡର ଷ୍ଟାର୍‌ ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଜାରି ରହିଥିବା ଅଦଲତି ଲଢ଼େଇର ପ୍ରଥମ ଚରଣରେ ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡ଼ପତ୍ର ମାମଲାର ଶୁଣାଣିରୁ ଆରମ୍ଭ ହୋଇଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଡିସେମ୍ବର ୧୦ ତାରିଖ ଦିନ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି । ଏହା ସହିତ ମାମଲାର ପରବର୍ତ୍ତୀ ଶୁଣାଣିକୁ କୋର୍ଟ ଡିସେମ୍ବର ୧୦ ତାରିଖକୁ ଘୁଞ୍ଚାଇଛନ୍ତି ।

ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଛାଡ଼ପତ୍ର ମାମଲାର ପ୍ରଥମ ଶୁଣାଣି ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ଏହି ମାମଲାର ଶୁଣାଣି ସମୟରେ ଅନୁଭବ ଯେଉଁ ସବୁ ପ୍ରସଙ୍ଗକୁ ଆଧାର କରି ବିବାହ ବିଚ୍ଛେଦ ଚାହୁଁଛନ୍ତି, ଯାହା ସବୁ ସେ ନିଜ ପିଟିସନରେ ଉଲ୍ଲେଖ କରିଥିଲେ, ସେହି ତଥ୍ୟଗୁଡ଼ିକୁ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ଅନୁଭବଙ୍କ ଓକିଲ । କିନ୍ତୁ ଏହି ମାମଲାର ପରିଚାଳନା ପାଇଁ ବର୍ଷାଙ୍କ ପକ୍ଷରୁ କୌଣସି ଓକିଲ ହାଜର ହୋଇ ନ ଥିଲେ ।

‘‘ଆମେ ଆଜି କୋର୍ଟଙ୍କୁ ଅବଗତ କରାଇଲୁ ଯେ ୨୦୧୪ ଫେବୃଆରୀ ମାସରୁ ଯେବେ ଠାରୁ ଉଭୟଙ୍କ ବିବାହ ହୋଇଥିଲା, ସେହି ଦିନ ଠାରୁ ପତି ପତ୍ନୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପିତ ହୋଇନାହିଁ । ଅନୁଭବଙ୍କ ଘରେ ରହି ବର୍ଷା ତାଙ୍କ ବାପାଙ୍କ ବିରୋଧରେ ନିର୍ଯ୍ୟାତନା ଭଳି ଅଭିଯୋଗ ଆଣିଲେ । ସେ ପାରିବାରିକ ମୁଲ୍ୟବୋଧର ପାଳନ ନ କରିବା ଓ ନିଜ ପତିଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅନୁଭବ । କୋର୍ଟ ଆମ କଥାକୁ ଶୁଣି ବର୍ଷାଙ୍କୁ ଡିସେମ୍ବର ମାସ ୧୦ ତାରିଖ ଦିନ ହାଜର ହୋଇ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,’’ କହିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ।

ଦିଲ୍ଲୀର ପଟିଆଲା ହାଉସ କୋର୍ଟ


ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାୟର ହୋଇଥିବା ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କିନ୍ତୁ ତାଙ୍କର ସେହି ଆବେଦନର ଶୁଣାଣି ଆରମ୍ଭ ହୋଇ ନ ଥିବାରୁ ଏ ନେଇ ସୁପ୍ରମ କୋର୍ଟଙ୍କ କୌଣସି ନିର୍ଦ୍ଦେଶ ଆସିନାହିଁ ।

ବର୍ଷା କଟକର ଏସଡିଜେଏମଙ୍କ କୋର୍ଟରେ ଦାୟର କରିଥିବା ଘରୋଇ ହିଂସା ଓ ଭରଷ ପୋଷଣ ମାମଲାର ଶୁଣାଣି ଆସନ୍ତା ୧୨ ତାରିଖ ଦିନ ହେବ । ଏହା ସହିତ ସେ କଟକର ପରିବାର ଅଦାଲତରେ ନିଜ ବିବାହକୁ ସ୍ଥାୟୀ କରିବା ପାଇଁ ଦାୟର କରିଥିବା ମାମଲାର ଶୁଣାଣି ବି ୧୪ ତାରିଖ ଦିନ ହେବ ବୋଲି ଧାର୍ଯ୍ୟ ହୋଇଛି ।

ମୁଳ ଛାଡ଼ପ୍ରତ୍ର ମାମଲାରେ ବର୍ଷାଙ୍କୁ ନିଜେ ହାଜର ହେବାକୁ ପଡ଼ିବ କିମ୍ବା ସେ ପଟିଆଲା ହାଉସ କୋର୍ଟରେ ଆଉ ଏକ ଆବେଦନ କରି କୋର୍ଟଙ୍କ ଅନୁମତି ମିଳିବା ପରେ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିପାରିବେ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ବିବାଦ ବିଚ୍ଛେଦ କରାଇବା ପୂର୍ବରୁ କୋର୍ଟ ଉଭୟ ପକ୍ଷଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ମତ ଦେଇଛନ୍ତି ଆଇନ ବିଷାରଦମାନେ ।

ଅନୁଭବ ଓ ବର୍ଷା ଏକ ସୁଖଦ ମୁହୂର୍ତ୍ତରେ


‘‘ଫ୍ୟାମିଲି କୋର୍ଟ ଆକ୍ଟର ସେକ୍ସନ୍ ୧୩ ଅନୁସାରେ ଫାମିଲି କୋର୍ଟରେ ଚାଲିଥିବା ମାମଲାରେ ନିଶ୍ଚିତ ଭାବେ ଉଭୟ ପକ୍ଷଙ୍କ ଉପସ୍ଥିତି ହେବ । ବର୍ଷାଙ୍କୁ ପଟିଆଲା ହାଉସ କୋର୍ଟ ହାଜର ହେବା ପାଇଁ ନୋଟିସ କରିବା କିଛି ଗୋଟିଏ ବିଚିତ୍ର କଥା ନୁହେଁ । ବର୍ଷା ସୁପ୍ରିମ କୋର୍ଟରେ ମାମଲା ଟ୍ରାନ୍ସଫର ପାଇଁ କରିଥିବା ଆବେଦନରେ କୋର୍ଟ ବର୍ଷାଙ୍କ କଥା ଶୁଣିବାର ଅନେକ ସମ୍ଭାବନା ରହିଛି । ସେହି ମାମଲାଟି କଟକ ପରିବାର ଅଦାଲତକୁ ସ୍ଥାନ୍ତାନ୍ତରିତ ହୋଇପାରେ । ଆଇନରେ ଏହି ବ୍ୟବସ୍ଥା ରହିଛି,’’ କହିଛନ୍ତି ଓଡିଶା ହାଇ କୋର୍ଟର ଅଭିଜ୍ଞ ଆଇନଜୀବୀ ମାନସ ଚାନ୍ଦ ।

ଏହା ବି ପଢ଼ନ୍ତୁ | Facebook ଡିଲିଟ୍ କଲା ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ; COVID-19କୁ କହିଥିଲେ ଫ୍ଲୁ ଅପେକ୍ଷା କମ୍ ମାରାତ୍ମକ

ଏହା ବି ପଢ଼ନ୍ତୁ | ମୃତ୍ୟୁର ୧୩ଦିନ ପରେ MCG ରେ ଦିଆଗଲା ଡିନ୍ ଜୋନ୍ସଙ୍କୁ ଶେଷ ବିଦାୟ; ସାମିଲ ହେଲେ କେବଳ ୧୦ ଜଣ ଲୋକ

ଅନୁଭବଙ୍କ ତରଫରୁ ଦାୟର ହୋଇଥିବା ଛାଡ଼ପତ୍ର ମାମଲାରେ ବିବାହ ବିଚ୍ଛେଦ କରାଇବା ପୂର୍ବରୁ ଫ୍ୟାମିଲି କୋର୍ଟ ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୁର କରିବା ପାଇଁ ଅନେକ ପ୍ରୟାସ କରିବେ ବୋଲି କହିଛନ୍ତି ଚାନ୍ଦ ।



ଭଲ ପାଇ ପରସ୍ପରକୁ ବିବାହ କରିଥିବା ଏହି ସେଲିବ୍ରେଟି ଯୋଡ଼ିଙ୍କ ମଧ୍ୟରେ ବିବାଦ କଥା ପୂର୍ବରୁ ଶୁଣିବାକୁ ମିଳୁଥିଲା । କିନ୍ତୁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ଦାୟର କରିବା କଥା ଜଣା ପଡ଼ିବା ପରେ ଏହି ବିବାଦ ସର୍ବସାଧାରଣରେ ପ୍ରଘଟ ହୋଇଥିଲା । ଏହା ସହିତ ପତ୍ନୀ ବର୍ଷା ମଧ୍ୟ ଅନୁଭବଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ ଲଗାଇବା ଓ ସେ ଏହି ବିବାହରେ ରହିବାକୁ ଚାହୁଁଥିବା ନେଇ ଦୁଇ ଦୁଇଟି ମାମଲା ଦାୟର କରିବା ପର ଠାରୁ ଏହି ଯୋଡ଼ିଙ୍କ ବୈବାହିକ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଛି ।
Published by: Anand Shankar Thankur Das
First published: October 7, 2020, 11:58 PM IST
corona virus btn
corona virus btn
Loading