କରୋନା ପାଇଁ ସମ୍ପୂର୍ଣ୍ଣ ଭାବେ ସିଲ୍ ହେଲା ଦିଲ୍ଲୀ-ଗାଜିଆବାଦ୍‌-ନୋଏଡା ସୀମା

ଦିଲ୍ଲୀରୁ ଗୌତମ ବୁଦ୍ଧ ନଗରକୁ ଆସୁଥିବା ଓ ଯାଉଥିବା ଲୋକଙ୍କ ସଂଖ୍ୟା ଅଧିକ । ଗତ କିଛି ଦିନ ହେବ ଏପରି ଅନେକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯେଉଁମାନଙ୍କର କୌଣସି କାରଣରୁ ଦିଲ୍ଲୀ ସହିତ ସମ୍ପର୍କ ରହିଛି ।

କରୋନା ପାଇଁ ସମ୍ପୂର୍ଣ୍ଣ ଭାବେ ସିଲ୍ ହେଲା ଦିଲ୍ଲୀ-ଗାଜିଆବାଦ୍‌-ନୋଏଡା ସୀମା
ଗାଜିଆବାଦର ଏକ ରାସ୍ତାରେ ଟ୍ରାଫିକର ଦୃଶ୍ୟ
  • News18 Odia
  • Last Updated: April 22, 2020, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଲିପିକା ମହାନ୍ତ | News18 Odia Digital

ନୂଆ ଦିଲ୍ଲୀ: ସମଗ୍ର ଦେଶରେ ନିଜର କାୟା ବିସ୍ତାର କରି ୧୯,୦୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା କରୋନା ଭୂତାଣୁର ନିୟନ୍ତ୍ରଣ ପାଇଁ ଆଉ ଗୋଟିଏ ପଦକ୍ଷେପ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳ ତଥା ନୋଏଡା ଓ ଗାଜିଆବାଦର ସୀମାକୁ ସିଲ୍ କରିଛନ୍ତି ଉତ୍ତର ପ୍ରଦେଶ ସରକାର ।

ସୀମା ସିଲ ହେବା ପରେ ଗତ କାଲି ଦିଲ୍ଲୀ-ଗାଜିଆବାଦ୍‌ ସୀମାରେ ଦେଖିବାକୁ ମିଳିଥିଲା ଲମ୍ବା ଧାଡ଼ିର ଟ୍ରାଫିକ୍ । ଗାଜିଆବାଦ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଜୟ କୁମାର ପାଣ୍ଡେଙ୍କ କହିବା ଅନୁଯାୟୀ କେବଳ ଉପଯୁକ୍ତ ପାସ୍ ଥିବା ବ୍ୟକ୍ତି ଓ ଜରୁରୀକାଳୀନ ପରିସ୍ଥିତିରେ ହିଁ  ସୀମା ପ୍ରବେଶ ପାଇଁ ଅନୁମତି ମିଳିବ। ଲକଡାଉନ୍ ନ ସରିବା ପର୍ଯ୍ୟନ୍ତ ନିର୍ଦ୍ଦେଶରେ କୌଣସି ଆଶ୍ଵସ୍ତି ମିଳିବ ନାହିଁ ।

ଆଜି ଠାରୁ ଗୌତମ ବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ ଏଲ ୱାଇ ନୋଏଡା-ଦିଲ୍ଲୀ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାମ୍ବାଦିକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି । କିନ୍ତୁ ଆସନ୍ତା କାଲି ଠାରୁ କେବଳ ସେହି ଲୋକମାନେ ପ୍ରବେଶ କରିପାରିବେ ଯେଉଁମାନଙ୍କୁ ପ୍ରଶାସନ ଅନୁମତି ଦେବ ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଏହି ପଦକ୍ଷେପ ନେଇଛନ୍ତି  ।

ଟ୍ବିଟ୍ ଜରିଆରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି: ‘‘ଜନ ସ୍ବାର୍ଥ ତଥା କରୋନା ଭାଇରସ୍ ବିରୋଧରେ ଲଢେଇ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଆମେ ଦିଲ୍ଲୀ-ନୋଏଡା ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରୁଛୁ"। ସହଯୋଗ ପାଇଁ ସେ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି । ଏଥି ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଦିଲ୍ଲୀରୁ ଗୌତମ ବୁଦ୍ଧ ନଗରକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ସଂଖ୍ୟା ଅଧିକ । ଗତ କିଛି ଦିନ ହେବ ଏପରି ଅନେକ ଲୋକଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାର କୌଣସି କାରଣରୁ ଦିଲ୍ଲୀ ସହିତ ସମ୍ପର୍କ ରହିଛି । କରୋନା ବିସ୍ତାର ନ ହେବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ କିଛି ସେବା ସହିତ ଜଡିତ ଲୋକଙ୍କ ଯାତାୟତକୁ ଏହି ପ୍ରତିବନ୍ଧକରୁ ଛାଡ୍ ମିଳିଛି ।

କରୋନା ଭାଇରସ୍ ସହ ଜଡିତ ସେବାରେ ସିଧାସଳଖ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଯେଉଁମାନଙ୍କ ପାଖରେ ଦିଲ୍ଲୀ ସରକାରଙ୍କ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ପାସ୍ ଅଛି । ଭାରତ ସରକାରଙ୍କ ଡେପୁଟି ସେକ୍ରେଟାରୀ ଏବଂ ଏହି ପଦବୀରୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯାତ୍ରା କରିବାକୁ ସକ୍ଷମ ହେବେ । ଯାହାର ଗୃହ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ପରିଚୟ ପତ୍ର ଅଛି ।

ଜିଲ୍ଲା ସୂଚନା ଅଧିକାରୀ ତଥା ଅତିରିକ୍ତ ପୋଲିସ କମିଶନର (ମୁଖ୍ୟାଳୟ) ଦ୍ବାରା ଜାରି କରାଯାଇଥିବା ପାସ୍ ସହିତ ଗଣମାଧ୍ୟମ ପ୍ରତିନିଧି ତଥା ଗୌତମ ବୁଦ୍ଧ ନାଗର ଜିଲ୍ଲାର ଡାକ୍ତରଖାନାଗୁଡିକରେ ଜରୁରୀକାଳୀନ ସେବା ଯୋଗାଉଥିବା ଡାକ୍ତରମାନଙ୍କୁ ଯାତାୟତ କରିବାକୁ ଅନୁମତି ଦିଆଯାଇଛି । ଏଗୁଡିକର ତାଲିକା ମୁଖ୍ୟ ଚିକିତ୍ସା ଅଧିକାରୀ ପୋଲିସ କମିଶନରଙ୍କ ନିକଟରେ ଉପଲବ୍ଧ ହେବ । ଏହା ବ୍ୟତୀତ ଆମ୍ବୁଲାନ୍ସ ଏବଂ ମାଲ ପରିବହନ ଯାନକୁ ମଧ୍ୟ ଏହି ପ୍ରତିବନ୍ଧକରୁ ମୁକ୍ତ ରଖାଯାଇଛି । ଯଦି ଏହି ଯାନଗୁଡିକ ଯାତ୍ରୀ ପରିବହନ ପାଇଁ ବ୍ୟବହାର ହେଉଥିବା ବେଳେ ଧରାପଡେ ତେବେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି ।
First published: April 22, 2020, 9:33 PM IST
corona virus btn
corona virus btn
Loading