୪୨ ଦିନ ହେବ ଧାରଣାରେ ଦୀପିକା; ଅନ୍ୟ କେଉଁଠି ବାହା ହୋଇଛନ୍ତି ଦିନେଶ!

ନ୍ୟାୟ ଆଶାରେ ୪୨ ଦିନ ପୁରିଲା ଦୀପିକାଙ୍କ ଧାରଣା। ଦିନେଶ ଅନ୍ୟ କେଉଁଠି ବାହା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ପାଇଁ ପୋଲିସକୁ ଅନୁରୋଧ କଲେ ଦୀପିକା ।

ଧାରଣାରେ ବସିଛନ୍ତି ଦୀପିକା (ପ୍ରତୀକାତ୍ମକ ଛବି)

ଧାରଣାରେ ବସିଛନ୍ତି ଦୀପିକା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ବ୍ରହ୍ମପୁର: ସ୍ତ୍ରୀର ହକ ଦାବି ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଦୀପିକାଙ୍କ ଧାରଣା ଆଜି ୪୨ ଦିନରେ ପହଞ୍ଚିଛି । ଦିନେଶଙ୍କ ପରିବାର ଲୋକେ ଗତ ୧୦ ଦିନ ହେଲା କେଉଁଆଡ଼େ ଚାଲିଯାଇଥିବା ବେଳେ କେବଳ ଶଶୁର ହିଁ ଘରକୁ ସମୟ ସମୟରେ ଆସି ବୁଲି ଯାଉଛନ୍ତି । ଦିନେଶ ଅନ୍ୟ ଜଣେ ଝିଅକୁ ବିବାହ ହୋଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏନେଇ ତଦନ୍ତ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ଦୀପିକା।

ଦୀପିକା ଓ ଦିନେଶ ପାରିବାରିକ ମାମଲାର ଅନ୍ତ କେବେ? ଏହି ମାମଲା ଦିନକୁ ଦିନ ଜଟିଳ ଆଡ଼କୁ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନାର ବାଟ ଫିଟିପାରୁ ନାହିଁ। ଦିନେଶଙ୍କ ଘର ବାରଣ୍ଡାରେ ଦୀପିକଙ୍କ ଧାରଣାକୁ ଇତିମଧ୍ୟରେ ୪୨ ଦିନ ବିତିସାରିଛି । ନା ତାଙ୍କୁ ମିଳୁଛି ସ୍ତ୍ରୀର ଅଧିକାର ନା ତାଙ୍କ ପୁଅକୁ ମିଳୁଛି ବାପାର ପରିଚୟ । ନ୍ୟାୟ ପାଇବା ଆଶାରେ ସେଭଳି ଧାରଣାରେ ବସି ରହିଛନ୍ତି ଦୀପିକା । ଗତ ୧୦ ଦିନ ହେଲା ଦିନେଶଙ୍କ ପରିବାର ଲୋକେ ଘରେ ବାହାର ପଟୁ ତାଲା ପକାଇ କେଉଁଆଡ଼େ ଚାଲିଯାଇଛନ୍ତି । ବର୍ତ୍ତମାନ ଗତ ଦୁଇ ଦିନ ପୂର୍ବରୁ କେବଳ ଶଶୁର ଘରକୁ ଆସି କିଛି ସମୟ ରହିବା ପରେ ପୁଣି ତାଲା ପକାଇ ଚାଲିଯାଇଥିଲେ ।

‘‘ଗତ ଦୁଇ ଦିନ ହେଲା ଦିନେଶଙ୍କ ବାପା ଘରକୁ ଆସି କିଛି ସମୟ ରହିଥିଲେ । ଏହି ସମୟରେ ଦୀପିକା ଏକୁଟିଆ ଘର ବାରଣ୍ଡାରେ ଧାରଣାରେ ବସିଥିଲେ । ସେପଟେ ଘରେ କେହି ନଥିବା ଯୋଗୁଁ ଦୀପିକାଙ୍କୁ ଘରକୁ ଆସିବା ନିମନ୍ତେ କହିଥିଲେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଦୀପିକା ପ୍ରତି ତାଙ୍କ ଶଶୁରର ଏଭଳି ବ୍ୟବହାରକୁ ତୀବ୍ର ନିନ୍ଦା କରିଛନ୍ତି । ଏଭଳି ବ୍ୟବହାର କରିବା ଦ୍ବାରା ଦୀପିକା ଧାରଣାରୁ ହଟିଯିବ ବୋଲି ସେ ଭାବୁଛନ୍ତି କିନ୍ତୁ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଦୀପିକା ଧାରଣାରୁ ହଟିବେ ନାହିଁ," କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

‘‘ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଝିଅ ନ୍ୟାୟ ପାଇବା ପାଇଁ ଦୀର୍ଘ୪୨ ଦିନ ହେଲା  ଧରଣାରେ ବସିଛି । ଏନେଇ ସମସ୍ତେ ଅବଗତ ରହିଥିବା ବେଳେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ନ ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା," କହିଛନ୍ତି ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ।

ଆସନ୍ତା ୧୯ ତାରିଖରେ ମହିଳା କମିଶନ ପକ୍ଷରୁ ମାମଲା ସମ୍ପର୍କରେ ଆଲୋଚନା ନେଇ ଉଭୟ ପକ୍ଷକୁ ଚିଠି କରାଯାଇଥିବା ବେଳେ ଉଭୟ ପକ୍ଷ ପହଞ୍ଚି କଣ ଆଲୋଚନା କରୁଛନ୍ତି ଓ କଣ ନିଷ୍କର୍ଷ ବାହାରୁଛି ଏବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି ।
Published by:Soumya Das
First published: