News18 Odia Digital
ବ୍ରହ୍ମପୁର: ସ୍ତ୍ରୀର ହକ ଓ ପୁଅକୁ ତା ବାପାର ପରିଚୟ ପ୍ରଦାନ ଦାବିରେ ଦୀନେଶଙ୍କ ଘର ବାରଣ୍ଡାରେ ବସିଥିବା ଦୀପିକାଙ୍କ ଧାରଣା ୫୧ ଦିନରେ ପହଞ୍ଚିଛି। ଗତ ୧୯ ତାରିଖରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଉଭୟ ପକ୍ଷଙ୍କୁ ଆପୋଷ ଆଲୋଚନା ପାଇଁ ହାଜର ହେବା ନେଇ ଚିଠି ହୋଇଥିଲା।
ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ହାଜର ହୋଇଥିବା ବେଳେ ଦୀନେଶ ଓ ତାଙ୍କ ପରିବାର ଲୋକେ କେହି ମଧ୍ୟ ମହିଳା କମିଶନରଙ୍କ ପାଖରେ ହାଜର ହୋଇନଥିଲା। ଯାହାଫଳରେ ପୁଣି ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ପରବର୍ତ୍ତୀ ଆପୋଷ ଆଲୋଚନା ନେଇ ଦିନ ଧାର୍ଯ୍ୟ କରିଥିଲେ ମହିଳା କମିଶନ।
କମିଶନରଙ୍କ ନିକଟରେ ଆପୋଷ ଆଲୋଚନା ହୋଇନଥିବା ପରେ ପୁଣି ଥରେ ସେଭଳି ଧାରଣାରେ ବସିଛନ୍ତି ଦୀପିକା। ଯଦି ଖୁବ୍ ଶୀଘ୍ର ନ୍ୟାୟ ନ ମିଳେ ତେବେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିବି ବୋଲି କହିଛନ୍ତି ଦୀପିକା।
ସେପଟେ ଦୀନେଶ ଆପୋଷ ଆଲୋଚନାକୁ ନ ଆସି ଏଭଳି ଲୁଚିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ସାମ୍ନାକୁ ଆସି କିଭଳି ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ସେ ନେଇ ଦୀନେଶ ଓ ତାଙ୍କ ପରିବାର ଲୋକେ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ଦୀପିକାଙ୍କ ଓକିଲ ଦୀପକ ପଟ୍ଟନାୟକ।
ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିବେ ଦୀପିକା। ନ୍ୟାୟ ପାଇବାରେ ବିଳମ୍ବ ହେଲେ ଏଭଳି ନିବେଦନ କରିବେ ବୋଲି ଦୀପିକା କହିଛନ୍ତି। ଦୀର୍ଘ ୫୧ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ। ସେଥି ପାଇଁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ଦୀପିକା। ସ୍ତ୍ରୀର ହକ ଦାବି ଓ ପୁଅକୁ ତା ବାପାର ପରିଚୟ ପ୍ରଦାନ ଦାବିରେ ଗତ ଅଗଷ୍ଟ ମାସ ୨ ତାରିଖରେ ବ୍ରହ୍ମପୁର ଦେଶୀବେହେରା ସାହିରେ ରହିଥିବା ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିଲେ ଦୀପିକା। ଦେଶୀ ବେହେରା ସାହି ଜନଗହଳିପୂର୍ଣ୍ଣ ସାହି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଦୀପିକାଙ୍କ ଏଭଳି ଧାରଣାକୁ ନେଇ ବିରୋଧ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପୋଷ ଆଲୋଚନା ପାଇଁ ଉଭୟ ପକ୍ଷକୁ ସଖି ସେଣ୍ଟରକୁ ଡ଼କାଯାଇଥିଲା। କିନ୍ତୁ ଏଥିରେ ଦୀପିକା ମନା କରି ଦେଇଥିଲେ।
ଗତ ୧୯ ତାରିଖରେ ଉଭୟ ଦୀପିକା ଓ ଦୀନେଶଙ୍କୁ ରାଜ୍ୟ ମହିଳା କମିଶନରଙ୍କ ନିକଟରେ ହାଜର ହେବାକୁ ନେଇ ଚିଠି କରିଥିଲେ। ଦୀପିକା ମହିଳା କମିଶନରଙ୍କ ପାଖରେ ହାଜର ହୋଇଥିବା ବେଳେ ଦୀନେଶ ଆସିନଥିଲେ। ଯାହାଫଳରେ ଆସନ୍ତା ୧୩ ତାରିଖରେ ପୁଣି ଆପୋଷ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଯଦି ଏଭଳି ନ୍ୟାୟ ମିଳିବାରେ ବିଳମ୍ବ ଘଟେ ତେବେ ବାଧ୍ୟ ହୋଇ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରି ଚିଠି ଲେଖିବି ବୋଲି କହିଛନ୍ତି ନିଜେ ଦୀପିକା।
‘‘୧୯ ତାରିଖରେ ମହିଳା କମିଶନରଙ୍କ ନିକଟରେ ଦୀପିକାଙ୍କ ପକ୍ଷରୁ ସମସ୍ତ ପ୍ରକାରର ଭିଡ଼ିଓ, ତଥ୍ୟ ଉପସ୍ଥାପନା କରାଯାଇଥିଲା। ଦୀପିକା, ସମାଜସେବୀ ପ୍ରମିଳା ତ୍ରିପାଠୀ, ଦୀପିକାଙ୍କ ୨୦ ମାସର ପୁଅ ଓ ମା' ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଦୀନେଶ ଆପୋଷ ଆଲୋଚନା ପାଇଁ ନ ଆସି ଲୁଚି ରହିଥିଲେ। ଯାହାକି ଏକ ଲଜ୍ଜ୍ୟା ଜନକ କଥା। ବର୍ତ୍ତମାନ ପୁଣି ଆସନ୍ତା ୧୩ ତାରିଖରେ ଆପୋଷ ଆଲୋଚନା ପାଇଁ ଚିଠି କରିବା ନେଇ କମିଶନ କହିଛନ୍ତି। ଯଦି ଦୀନେଶ ସେହି ଦିନ ଯଦି ନ ପହଞ୍ଚିବେ ତେବେ ତାଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଥିବା ନେଇ କହିଛନ୍ତି,’’ ସମାଜସସେବୀ ପ୍ରମିଳା ତ୍ରିପାଠୀ ।
‘‘ପୂର୍ବରୁ ଯଦିଓ ଜିଲ୍ଲା ପ୍ରଶାସନର ଆପୋଷ ବୁଝାମଣା ନିମନ୍ତେ ଦୀପିକା ସଖି ସେଣ୍ଟରକୁ ନ ଯାଇ ଧାରଣାସ୍ଥଳରେ ହିଁ ବୁଝାମଣା ପାଇଁ କହିଥିଲେ। କିନ୍ତୁ ସେଥିରେ ଦୀନେଶ ରାଜି ହୋଇଥିଲେ। ବର୍ତ୍ତମାନ ପୁଣି ୧୯ ତାରିଖରେ ରାଜ୍ୟ ମହିଳା କମିଶନରଙ୍କ ଚିଠିକୁ ମଧ୍ୟ ଅଣଦେଖା କରି ଆଲୋଚନାରେ ସାମିଲ ହେଲେ ନାହିଁ। ତେଣୁ ଏଭଳି ଦୀନେଶ ଓ ତାଙ୍କ ପରିବାର ଲୋକେ ନ କରି କିଭଳି ମାମଲାର ସମାଧାନ ହେବ ସେ ନେଇ ସମସ୍ତେ ଚେଷ୍ଟା କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ଦୀପିକାଙ୍କ ଓକିଲ ଦୀପକ ପଟ୍ଟନାୟକ।
ଦୀପିକା ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିବା ପାଇଁ ଅନୁରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ଘଟଣା ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆଗାମୀ ୧୩ ତାରିଖରେ ଉଭୟ ପକ୍ଷରୁ ଆଲୋଚନା ସଫଳ ହେଉଛି ନା ନାହିଁ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।