News 18 Odia Digital
ବ୍ରହ୍ମପୁର; ଦେଶୀବେହେରା ସାହିରେ ଧାରଣାରେ ବସିଥିବା ଦୀପିକା ଆଜି ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅପରାହ୍ନ ସମୟରେ ଦୀପିକା ସେଭଳି ଧାରଣାରେ ବସିଥିଲେ । ଏହି ସମୟରେ ଜଣେ ମହିଳା ଆସି ଦୀପିକାଙ୍କୁ ପ୍ରମିଳା ତ୍ରିପାଠୀଙ୍କ ନମ୍ବର ମାଗିଥିଲେ । ପାଖକୁ ଆସ ନମ୍ବର ଦେଉଛି ବୋଲି କହିଥିଲେ ଦୀପିକା । ମହିଳା ଜଣକ ପାଖକୁ ଯିବା ପରେ ଦୀପିକା ସମ୍ପୃକ୍ତ ମହିଳାଙ୍କୁ ଏକ ବ୍ରହ୍ମ ଚାପୁଡ଼ା ମାରିଥିଲେ ।

ଚାପୁଡ଼ା ମାରିବା ପରେ ପୁଣି ଦୀନେଶଙ୍କ ବାରଣ୍ଡାରୁ ବାହାରି ମହିଳାଙ୍କ ସହ ହାତାହାତି ହୋଇଥିଲେ । ଘଟଣାସ୍ଥଳରେ ରହିଥିବା ବଡ଼ବଜାର ଥାନାର କିଛି ପୋଲିସ କନେଷ୍ଟବଳ ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ସମ୍ପୃକ୍ତ ମହିଳା ଜଣକ କିଛି ଦିନ ପୂର୍ବରୁ ଦୀପିକାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ତେଣୁ ଏଭଳି ଚାପୁଡ଼ା ମାରିଥିବା କହିଛନ୍ତି ଦୀପିକା ।
ଅନ୍ୟପଟେ, ଦୁଇମାସରୁ ଅଧିକ ସମୟ ଧାରଣାରେ ବସିବା ପରେ ବି ଏହି ପାରିବାରିକ ବିବାଦରେ କୌଣସି ସମାଧାନ ହୋଇନାହିଁ । ଗତକାଲି ଶାଶୁ, ଶ୍ୱଶୁରଙ୍କ ସହ ମଧ୍ୟ ଘର ସାମ୍ନାରେ ଧସ୍ତାଧସ୍ତି ହୋଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଦୀପିକାଙ୍କର ଏକା ଜିଦ ମୁଁ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରୁ ଉଠିବି ନାହିଁ । ସେପଟେ ଦୀନେଶଙ୍କ ପରିବାର ଲୋକ ମଧ୍ୟ ଗଣମାଧ୍ୟମରେ ଉତ୍ତର ରଖି କହିଛନ୍ତି, ଆମ ପୁଅ ବିବାହ କରିନାହିଁ । ତେଣୁ ଦୀପିକାକୁ ଆମେ ଜାଣିନାହୁଁ । ଦୀପିକା ଘର ସାମ୍ନାରେ ବସିବା ବେଳକୁ ଆମକୁ ଚଳପ୍ରଚଳ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଯାହା ହେବ କୋର୍ଟରେ ହେବ । ସେ କୋର୍ଟକୁ ଯାଉ ଏବଂ ନ୍ୟାୟିକ ତଦନ୍ତରେ ସାହାର୍ଯ୍ୟ କରୁ । କିନ୍ତୁ ଦୀପିକାଙ୍କର ଏକା ଜିଦ ଦିନେଶ ଆସିଲେ ହିଁ ଏ ବିବାଦର ସମାଧାନ ହେବ । ଦୀପିକାଙ୍କ ପୁଅକୁ ବାପାର ପରିଚୟ ଏବଂ ପୁଅକୁ ବାପାର ପରିଚୟ ମିଳିବା ପରେ ଆପେଆପେ ମତେ ସ୍ତ୍ରୀର ପରିଚୟ ମିଳିଯିବ ବୋଲି କହିଛନ୍ତି ଦୀପିକା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।