ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଦୀପିକା
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ସ୍ତ୍ରୀର ମାନ୍ୟତା ଓ ପୁଅକୁ ପିତାର ପରିଚୟ ପ୍ରଦାନ ପାଇଁ ରାସ୍ତାକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଥିବା ବ୍ରହ୍ମପୁରର କେ ଦୀପିକାଙ୍କ ମାମଲା ଆଜି ରାଜ୍ୟ ମହିଳା ଆୟୋଗରେ ଅନ୍ତ ଘଟିଛି। ନ୍ୟାୟ ଆଶାରେ ୫ମ ଥର ପାଇଁ ନିର୍ଦ୍ଧାରିତ ସମୟରେ ଦୀପିକା ଆୟୋଗ ନିକଟରେ ହାଜର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦିନେଶ ନିଜ ବାପା ଓ ମାଙ୍କ ସହ ଆୟୋଗଙ୍କ ନିକଟରେ ହାଜର ହୋଇଥିଲେ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟାର ପ୍ରବଳ ଯୁକ୍ତିତର୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନଥିଲା। ଦୀପିକାଙ୍କୁ ବୋହୁ ଭାବେ ଶାଶୁ ଓ ଶ୍ୱଶୁରଙ୍କ ସମେତ ଦିନେଶ ସିଧାସଳଖ ମନା କରିଦେଇଥିଲେ ହେଁ ଶିଶୁପୁତ୍ର ପ୍ରତି ସେମାନଙ୍କର ସହାନୁଭୂତି ଥିବା ଦିନେଶଙ୍କ ପରିବାର ବର୍ଗ କହିଥିଲେ। ଦୀପିକା ଓ ଦିନେଶଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହି ମାମଲାକୁ ରାଜ୍ୟ ମହିଳା ଆୟୋଗ ଶୁଣାଣି ବନ୍ଦ କରିଦେଇଛନ୍ତି। କୋର୍ଟଙ୍କ ରାୟ ଯାହା ଆସିବ ତାହା ଶେଷ ନିଷ୍ପତ୍ତି ହୋଇଥିବାରୁ ଏଥିରେ କମିଶନଙ୍କ କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତି ବେହେରା। ସେପଟେ ଆଜିର ଘଟଣା ପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡିତା ଦୀପିକା। ଦିନେଶ ନିଜ ଅର୍ଥବଳ ବ୍ୟବହାର କରୁଥିବାରୁ ତାଙ୍କୁ ନ୍ୟାୟ ମିଳିବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଦୀପିକା। ଆଜି ମହିଳା କମିଶନରୁ ନ୍ୟାୟ ପାଇବାରୁ ନିରାଶ ହେବା ପରେ ସେ ଭାଙ୍ଗି ପଡିବେନି ବରଂ ନିଜ ହକ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଏବଂ ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା କହିଛନ୍ତି।
ଗୁରୁତ୍ୱପୂର୍ଣ୍ଣ ଦିନରେ ଦୀପିକାଙ୍କୁ ନ୍ୟାୟ ଦେବାପାଇଁ ଆଗକୁ ଆସିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କର ଦେଖା ନଥିଲା। ଯାହା ଆଉ ଏକ ଚର୍ଚ୍ଚାର ବିଷୟ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।