News18 Odia Digital
ବ୍ରହ୍ମପୁର: ଆଜି ପୂରା ଦେଶରେ ପାଳନ ହେଉଛି ଗଣେଶ ପୂଜା। ଏହାକୁ ନେଇ ବ୍ରହ୍ମପୁର ସହରର ସିଦ୍ଧ ବିନାୟକ ମନ୍ଦିର ସମେତ ବିଭିନ୍ନ ଗଣେଶ ପୀଠରେ ବେଶ୍ ଧୁମଧାମରେ ପାଳିତ ହୋଇଛି ଗଣେଶଙ୍କ ପୂଜା।
କରୋନା କଟକଣାର ଦୁଇ ବର୍ଷ ପରେ ଚଳିତ ଥର ଗଣେଶ ପୂଜାକୁ ବେଶ୍ ଆନନ୍ଦରେ ଭକ୍ତମାନେ ପାଳନ କରୁଥିବା ଦେଖିବାକୁ ମିଳୁଛି। ସେପଟେ ସ୍ତ୍ରୀର ହକ ଦାବି ଓ ପୁଅକୁ ନିଜର ପରିଚୟ ପ୍ରଦାନ ଦାବିରେ ଶାଶୁ ଘର ବାରଣ୍ଡାରେ ଧାରଣାରେ ବସିଥିବା ଦୀପିକା ମଧ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତି ସେଭଳି ବାରଣ୍ଡାରେ ସ୍ଥାପନ କରି ପୂଜା କରିବା ସହିତ ଦୀନେଶ ଓ ତାଙ୍କ ପରିବାର ଲୋକଙ୍କୁ ସଦ୍ବୁଦ୍ଧି ଦେବା ନିମନ୍ତେ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଦୀନେଶଙ୍କ ଘର ବାରଣ୍ଡାରେ ଟେବୁଲ ପକାଇ ବିଭିନ୍ନ ସାଜସଜ୍ଜ୍ୟା କରି ଗଣେଶଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରି ପୂଜା କରିଛନ୍ତି। ଏହାସହ ସେ ନିଜ ଅଧିକାର ପାଇବା ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି। ବହୁ ଆଡ଼ମ୍ବର ଓ ନିଷ୍ଠାର ସହିତ ଗଣେଶଙ୍କୁ ଆରାଧନା କରିଥିବା ବେଳେ ନିଶ୍ଚିତ ଭାବେ ଗଣେଶ ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶାବାଦୀ ଅଛନ୍ତି ଦୀପିକା ।

ଦୀପିକା
ଦୀପିକାଙ୍କ ଧାରଣା ଆଜି ୩୦ ଦିନରେ ପହଞ୍ଚିଛି। ଚଳିତ ମାସ ୨ ତାରିଖରୁ ଦୀନେଶଙ୍କ ଘର ବାରଣ୍ଡାରେ ସେଭଳି ନିଜ ହକକୁ ପାଇବା ନିମନ୍ତେ ଧାରଣାରେ ସେ ବସିଛନ୍ତି। ଦୀପିକାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଆଜି ଗଣେଶ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ଦୀପିକା ଓ ଦୀନେଶଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ ହେବା ସହ କିଭଳି ଉଭୟ ମିଶିବେ ସେ ନେଇ ଗଣେଶଙ୍କୁ ପ୍ରାର୍ଥନା କରାଯାଇଥିବା କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।
ଗତକାଲି ଦୀପିକା ହାଇକୋର୍ଟରେ ଦୀନେଶଙ୍କ ଜାମିନକୁ ଖାରଜ କରିବା ନିମନ୍ତେ ଆବେଦନ କରିଥିବା ବେଳେ ତାହାର ଶୁଣାଣି ନ ହୋଇ ଦୀନେଶଙ୍କ ଓକିଲ ସମୟ ମାଗିବା ପରେ ଶୁଣାଣି ନିମନ୍ତେ ଆଉ କିଛି ଦିନ ସମୟ ଧାର୍ଯ୍ୟ କରିଥିଲେ କୋର୍ଟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।