ଦୀପିକା ଦୀନେଶ ମାମଲାର ସମାଧାନ ରାସ୍ତାରେ ବଳିପଡୁଛି ପୁଅ ଦିବ୍ୟାନ୍ସର ଭବିଷ୍ୟତ

ଦୀପିକା ଦୀନେଶ ପାରିବାରିକ ମାମଲାର ସମାଧାନ ରାସ୍ତାରେ ବଳିପଡ଼ିଛି ଦିବ୍ୟାନ୍ସର ଭବିଷ୍ୟତ। ଦିବ୍ୟାନ୍ସର ଠିକଣା କେଉଁଠି ରହିବ ଯାହାକୁ ନେଇ ସହରରେ ଏବେ ଚର୍ଚ୍ଚା।

 ଦୀପିକା ଦୀନେଶ ମାମଲା

ଦୀପିକା ଦୀନେଶ ମାମଲା

  • Share this:
News18 Odia Digital

ବ୍ରହ୍ମପୁର: କ‘ଣ ହେବ ୧୯ ମାସ ପୁଅର ଭବିଷ୍ୟତ। କେଉଁ ଠିକଣା ରହିବ ତା'ର। ନା ବାପା ପାଖରେ ରହିବ ନା ମା' ପାଖରେ ରହିବ। ଯାହାକୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ଯେତିକି ଚର୍ଚ୍ଚା ଧରିଛି ସେତିକି ଦୁଃଖ ମଧ୍ୟ ପ୍ରକାଶ କରୁଛନ୍ତି ସମସ୍ତେ।

ଆମେ ଏଠାରେ କହୁଛୁ ବ୍ରହ୍ମପୁର ଦେଶୀ ବେହେରା ସାହିରେ ସ୍ତ୍ରୀ'ର ହକ ଓ ନିଜ ପୁଅକୁ ଦୀନେଶର ବାପା ପରିଚୟ ଦାବିରେ ଧାରଣାରେ ବସିଥିବା ଦୀପିକାଙ୍କ ପୁଅଙ୍କ କଥା। ଦୀପିକା ଗତ ୨ ତାରିଖରୁ ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିବା ବେଳେ ତାଙ୍କ ଠାରୁ ତାଙ୍କ ପୁଅ ଗତ ୨୩ ଦିନ ହେଲା ଦୂରରେ ରହିଛି। ଯେଉଁଥି ପାଇଁ ଦୀପିକାଙ୍କ ପୁଅର ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗୁଡ଼ି ଥିବାବେଳେ କିଛି କିଛି ସମୟରେ ପୁଅକୁ ଧାରଣାସ୍ଥଳକୁ ଆଣି କିଛି ସମୟ ତା' ସହ ବିତାଇବା ପରେ ପୁଣି ନିଜ ମା' ଘରକୁ ପଠାଇ ଦିଅନ୍ତି ସେ। ପୁଅର ଏଭଳି ଅବସ୍ଥାକୁ ଦେଖି ଉଭୟ ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀ, ଦୀନେଶଙ୍କୁ ଅନୁରୋଧ କରିଛନ୍ତି କିଭଳି ମାମଲାର ସମାଧାନ ନିମନ୍ତେ ସେ ଆଗକୁ ଆସନ୍ତୁ ବୋଲି।

ଦିନ ଥିଲା ବେଶ୍ ହସ ଖୁସୀର ସଂସାର ଥିଲା। ପାଖରେ ବାପା ନଥିଲେ କଣ ହେଲା ନିଜ ମାକୁ ପାଖରେ ପାଇ ବେଶ ଖୁସୀ ଥିଲେ ଦିବ୍ୟାନ୍ସ। ମା' ନିକଟରେ ଅନେକ ଅଝଟ ହେଉଥିଲେ ସୁଦ୍ଧା ମା' ତା'ର ସବୁ ଅଝଟକୁ ସହୁଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଏବେ ଏକୁଟିଆ ହୋଇଯାଇଛି ଦିବ୍ୟାନ୍ସ। ପାଖରେ ଗେଲ କରିବାକୁ ଓ ଅଝଟ ସହିବାକୁ ମା' ନାହିଁ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବହୁ ଚର୍ଚ୍ଚିତ ଦୀପିକାଙ୍କ କ୍ଷେତ୍ରରେ।

ବ୍ରହ୍ମପୁର ଦେଶୀ ବେହେରା ସାହିରେ କେ.ଦୀପିକା ସ୍ତ୍ରୀର ହକ ଓ ତାଙ୍କ ପୁଅକୁ ଦୀନେଶ ତାଙ୍କୁ ବାପାର ପରିଚୟ ପ୍ରଦାନ ଦାବିରେ ଗତ ୨୩ ଦିନ ହେଲା ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି। ଧାରଣାରେ ବସିବା ସ୍ଥଳ ସଠିକ ନଥିବା ଯୋଗୁଁ ଦୀପିକା ନିଜ ପୁଅକୁ ଧରି ବସିପାରୁନାହାଁନ୍ତି।

ଦୀର୍ଘ ୨୩ ଦିନ ଧରି ଦୀପିକା ଏପେଟ ନିଜ ଦାବି ପୂରଣ ପାଇଁ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଦୀପିକାଙ୍କ ନିଜ ଘରେ ରହିଛି ଦିବ୍ୟାନ୍ସ। ନିଜ ମା' ଠାରୁ ଦୂରେଇ ରହିବା ପରେ ଦିନକୁ ଦିନ ଦିବ୍ୟାନ୍ସର ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗୁଡ଼ିଛି। କେତେବେଳେ ଜ୍ବର ହେଉଛି ତ କେତେବେଳେ ଦେହ କାଲୁଆ ପଡ଼ିଯାଉଛି। ଏଭଳି ବିଭିନ୍ନ ରୋଗରେ ଦିନକୁ ଦିନ ରୋଗଣା ହୋଇଯିବା ସହିତ ନିଜ ମା'କୁ ଝୁରି ଝୁରି ପୂର୍ବ ଅପେକ୍ଷା ଦିବ୍ୟାନ୍ସର ଓଜନ ମଧ୍ୟ କମିଗଲାଣି। ଦୀନେଶ ମଧ୍ୟ ଜଣେ ପୁଅ। ନିଜ ମା' ଠାରୁ ଦୂରେଇ ରହିଲେ ପୁଅକୁ କେତେ ଦୁଃଖ ହୁଏ ସେ ସଠିକ୍ ଭାବେ ଜାଣିଛନ୍ତି। ତେଣୁ ଆଉ ବିଳମ୍ବ ନ କରି ଦୀନେଶ ସାମ୍ନାକୁ ଆସି ମାମଲାର ସମାଧାନ କରି ଦିବ୍ୟାନ୍ସକୁ ଆପଣେଇ ନେବାକୁ ଅନୁରୋଧ କରିଛନ୍ତି କେ. ଦୀପିକା।

ଦୀପିକାଙ୍କୁ ସମର୍ଥନ ଜଣାଇ ଗତ ୧୭ ଦିନ ହେଲା ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଦୀପିକାଙ୍କ ସହ ଧାରଣାରେ ବସିଛନ୍ତି। ଦୀପିକା ଓ ତାଙ୍କ ପୁଅ ଦିବ୍ୟାନ୍ସଙ୍କୁ ଅଲଗା ରହୁଥିବା ଦେଖି ସେ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି।

‘‘ମା ଠାରୁ ପୁଅ ଅଲଗାରେ ରହି କେତେ ଦୁଃଖ ସେ କେବଳ ମା' ଓ ପୁଅ ହିଁ ଜାଣନ୍ତି। ଦିବ୍ୟାନ୍ସ ଆଇ ଘରେ ରହୁଥିବା ବେଳେ ଦୀପିକା ଏଠି ନିଜର ହକ ଓ ଦିବ୍ୟାନ୍ସ ପାଇଁ ଲଢ଼େଇ କରୁଛି। ଦିବ୍ୟାନ୍ସଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେଲେ ଓ ବେଳେ ବେଳେ ଦିବ୍ୟାନ୍ସ ଧାରଣା ସ୍ଥଳକୁ ଆସି ଦୀପିକାଙ୍କ ସହ କିଛି ସମୟ ବିତାଇବା ପରେ ପୁଣି ଆଇ ଘରକୁ ଚାଲିଯାଏ। କିନ୍ତୁ ଏତେ କମ ବୟସରେ ପୁଅକୁ ତା ମା ଠାରୁ ଅଲଗା ହୋଇ ରହିବା ଅତ୍ୟନ୍ତ ଦୁଃଖ କଥା। ତେଣୁ ଦୀନେଶ ନିଜ ପୁଅର ମୁହଁକୁ ଚାହିଁ ଆପୋଷ ସମାଧାନ କରି କିଭଳି ନିଜ ପୁଅକୁ ଗ୍ରହଣ କରିବା ସହିତ ଦୀପିକାକୁ ନ୍ୟାୟ ଦେବେ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ,’’ କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।

‘‘ଦୀପିକା ନିଜର ସ୍ତ୍ରୀର ହକ ଦାବି କରି ଧାରଣାରେ ବସିଛନ୍ତି ସତ। କିନ୍ତୁ ନିଜର ପୁଅ ଓ ତା'ର ଭବିଷ୍ୟତ ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ନିଜ ପୁଅ ପାଇଁ ନ୍ୟାୟାଳୟ ନିକଟରେ ମଧ୍ୟ ଫେରାଦ ହୋଇନାହାଁନ୍ତି। ନ୍ୟାୟାଳୟରେ ଦୀପିକା ଓ ତାଙ୍କ ପୁଅକୁ କିଭଳି ସହାୟତା ମିଳିବ ସେ ନେଇ ଅନେକ ଆଇନ ରହିଛି। କିନ୍ତୁ ସେ ଆଇନଗତ ଭାବେ କୌଣସି ପଦକ୍ଷେପ ନ ନେଇ କେବଳ ଧାରଣାରେ ବସିଲେ ତାଙ୍କୁ ନ୍ୟାୟ ମିଳିବ ତାହା ଭାବିବା ଭୁଲ ବରଂ ଦୀପିକା ଆଇନଗତ ଭାବେ ପଦକ୍ଷେପ ନେବା ସହିତ ନ୍ୟୟାଳୟ ଉପରେ ବିଶ୍ବାସ ରଖିବା ଜରୁରୀ,’’ କହିଛନ୍ତି ଦୀନେଶଙ୍କ ଓକିଲ ଶିଶିର ପାଢ଼ୀ।

ଦୀନେଶ ଓ ଦୀପିକା ପାରିବାରିକ ମାମଲାରେ କେବେ ସମାଧାନର ବାଟ ବାହାରିବ ତାହାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଦୀପିକାଙ୍କ ୧୯ ମାସର ପୁଅ ଦିବ୍ୟାନ୍ସର ଭବିଷ୍ୟତକୁ ନେଇ ଉଭୟ ପକ୍ଷ ଚିନ୍ତାର କରିବାର ଆବଶ୍ୟକତା ରହିଛି ବୋଲି କହୁଛନ୍ତି ସମସ୍ତେ।
Published by:Lipina Das
First published: