News18 Odia Digital
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ (Jharsuguda by election) ବିଜେଡି (BJD) ପ୍ରାର୍ଥୀ କିଏ ହେବ ସେ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେଡି ପ୍ରାର୍ଥୀ ନାମ ଶୁକ୍ରବାର ଦିନ ଘୋଷଣା କରାଯାଇଛି। ଏଥର ଦିବଂଗତ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ (Naba Das) ଝିଅ ଦୀପାଳି ଦାସ (Deepali Das) ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ।
ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଦୀପାଳି ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ତାଙ୍କ ନାମ ଘୋଷଣା କରାଯାଇଛି।
ପୂର୍ବରୁ ନବ ଦାସଙ୍କ ପରିବାରରୁ ବିଜେଡି ପ୍ରାର୍ଥୀ ଚୟନ କରାଯିବ ବୋଲି ଏକ ପ୍ରକାର ସ୍ଥିର ହୋଇଥିଲା। ଯେଉଁଥିରେ ଆଜି ମୋହର ବାଜିଛି। ତେବେ ନବଙ୍କ ଝିଅ ଦୀପାଳି ହିଁ ପ୍ରାର୍ଥୀ ହେବେ ସେ ନେଇ ଇଙ୍ଗିତ ଦେଇଥିଲେ ଅନେକ ବିଜେଡି ନେତାମାନେ।
ସେହିପରି ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ‘‘ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ କରିବେ। ସିଏ ଯାହାକୁ ମୋହର ମାରିବେ ସେ ହିଁ ପ୍ରାର୍ଥୀ ହେବେ। ଦିବଂଗତ ନବ ଦାସଙ୍କ ଝିଅ ଦୀପାଳି ବହୁତ ଆକ୍ଟିଭ। ଯେ ଯୁବ ମହିଳା ଭାବେ ଜନ ଜୀବନରେ ଆସିବାକୁ ମଧ୍ୟ ଆଗ୍ରହୀ।’’
ନିକଟରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷଣା ହୋଇଥିଲା ତାରିଖ। ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ମେ ୧୩ରେ ହେବ ଭୋଟ ଗଣତି। ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୦ ରଖାଯାଇଛି। ନାମାଙ୍କନ ଯାଞ୍ଚ ଏପ୍ରିଲ ୨୧, ପ୍ରତ୍ୟାହାର ୨୪ ତାରିଖ ରହିଛି।
ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୯୭ ହଜାରରୁ ଅଧିକ ଭୋଟର ରହିଛନ୍ତି। ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି। ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ।
ପ୍ରକାଶ ଥାଉକି ଗତ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଛି। ଏହି ବିଧାନସଭା କ୍ଷେତ୍ରର ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୦୭୩ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩, ମହିଳା ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ସମୁଦାୟ ପୋଲିଙ୍ଗ ଷ୍ଟେସନ ସଂଖ୍ୟା ୨୫୩। ଝାରସୁଗୁଡା ପୌର ପରିଷଦ ର ଭୋଟର ସଂଖ୍ୟା ୭୧୧୧୩, ଝାରସୁଗୁଡା ବ୍ଲକ ର ୩୮୫୪୬, କିର୍ମିରା ବ୍ଲକ ର ୩୩୯୦୧, କୋଲାବିରା ବ୍ଲକର ୩୭୮୧୦ ଓ ଲଇକେରା ବ୍ଲକର ଭୋଟର ସଂଖ୍ୟା ୩୯୭୦୩ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।