News 18 Odia Digital
ଝାରସୁଗୁଡା: ରାମ ନବମୀରେ ଖଣ୍ଡା ବୁଲାଇ ଚର୍ଚ୍ଚାରେ ନବ ଦାସଙ୍କ ଝିଅ ଦୀପାଳି ଦାସ (dipali das) । ଗତକାଲି ଶ୍ରୀ ରାମନବମୀ ଅବସରରେ ସହରରେ ଭବ୍ୟ ଶୋଭାଯାତ୍ରା ବାହାରିଥିଲା । ଏହି ଅବସରରେ ସାମିଲ ହୋଇଥିଲେ ବିଭିନ୍ନ ଆଖଡା ଦଳ । ଏଥିରେ ସାମିଲ ହୋଇଥିଲେ ନବଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଲ ଦାସ । ଏହି ଅବସରରେ ଦୀପାଳି ଖଣ୍ଡା ବୁଲାଇଥିଲେ । ଲୋକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ ।
ସୂଚନାଯୋଗ୍ୟ, ଝାରସୁଗୁଡା ଜିଲ୍ଲାରେ ଅତି ଆଡମ୍ବରରେ ପାଳନ ହେଉଛି ପବିତ୍ର ଶ୍ରୀରାମ ନବମୀ l ଜିଲ୍ଲାର ସମସ୍ତ ରାମ ମନ୍ଦିର, ହନୁମାନ ମନ୍ଦିରରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସମସ୍ତ ପୂଜା କମିଟି ଗୁଡିକ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି l ସହରର ବିଭିନ୍ନ ଆଖଡା ଦଳ ସାମିଲ ରହିବା ସହ ରାଜ୍ୟ ଓ ରାଜ୍ୟ ବାହାର ଆଖଡା ଟିମ୍ ସାମିଲ ରହିଥିଲେ ଏହି ଆଖଡା ଟିମରେ ଦୀପାଳି ଦାସ ଖଣ୍ଡା ବୁଲାଇଥିଲେ। ବିଭିନ୍ନ ଆଖଡା ସମିତି ପକ୍ଷରୁ ଉଭୟ ଭାଇ ଭଉଣୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଝାରସୁଗୁଡା ସହରରେ ୩୦ରୁ ଉର୍ଦ୍ଧ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ବେଲପାହାଡ, ବ୍ରଜରାଜନଗର ଲଖନପୁର ଅଞ୍ଚଳରେ ମଧ୍ୟ ଶୋଭାଯାତ୍ରାମାନ ଅନୁଷ୍ଠିତ ହୋଇଛି l ଗୋଟିଏ ପରେ ଗୋଟିଏ ମେଢ଼ ଶୋଭାଯାତ୍ରା କରି ଝାରସୁଗୁଡା ସହର ପରିକ୍ରମା କରିଛି l ବିଭିନ୍ନ ନୃତ୍ୟ ଗୀତରେ ଝୁମିଛି ଝାରସୁଗୁଡା ସହର l ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମଦିନକୁ ଅତି ଧୁମଧାମରେ ଝାରସୁଗୁଡା ଜିଲ୍ଲାବାସୀ ପାଳନ କରୁଥିବାବେଳେ ଏଥିରେ ବିଭିନ୍ନ ରାଜନୀତି ଦଳର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ l ରାମ ନବମୀର ଏହି ଶୋଭାଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମଗମ ହୋଇଥିଲା l ପୂଜା କମିଟି ଗୁଡିକ ପକ୍ଷରୁ ବିଭିନ୍ନ ଛକରେ ପ୍ରସାଦ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା l ଶୋଭାଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବାବେଳେ ଅତି ସୁରୁଖୁରୁରେ ଏବଂ ଧୁମଧାମରେ ଝାରସୁଗୁଡା ଜିଲ୍ଲାରେ ଶ୍ରୀରାମ ନବମୀ ପାଳିତ ହୋଇଛି l
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ମେ ୧୦ ତାରିଖରେ ଭୋଟଗ୍ରହଣ ହେବ । ମେ ୧୩ରେ ହେବ ଭୋଟ ଗଣତି । ୧୩ ଏପ୍ରିଲରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଏପ୍ରିଲ ରଖାଯାଇଛି । ନାମାଙ୍କନ ଯାଞ୍ଚ ଏପ୍ରିଲ ୨୧, ପ୍ରତ୍ଯାହାର ୨୪ ତାରିଖ ରହିଛି ।
ଗତ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଛି। ଏହି ବିଧାନସଭା କ୍ଷେତ୍ରର ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୦୭୩ ଥିବାବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩, ମହିଳା ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ସମୁଦାୟ ପୋଲିଙ୍ଗ ଷ୍ଟେସନ ସଂଖ୍ୟା ୨୫୩। ଝାରସୁଗୁଡା ପୌର ପରିଷଦ ର ଭୋଟର ସଂଖ୍ୟା ୭୧୧୧୩, ଝାରସୁଗୁଡା ବ୍ଲକ ର ୩୮୫୪୬, କିର୍ମିରା ବ୍ଲକ ର ୩୩୯୦୧, କୋଲାବିରା ବ୍ଲକର ୩୭୮୧୦ ଓ ଲଇକେରା ବ୍ଲକର ଭୋଟର ସଂଖ୍ୟା ୩୯୭୦୩ ।
ବିଜେଡି ଟିକେଟ ରେସରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଅଛନ୍ତି। ଆଗୁଆ ପ୍ରଚାର ଆରମ୍ଭ କରିଦେଇଛନ୍ତି ଦୀପାଳି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବନ୍ଧୁ ମିଳନ ଓ ମହିଳା ସମାବେଶରେ ସାମିଲ ହେଉଛନ୍ତି ଭାଇ ଓ ଭଉଣୀ । ସେପଟେ ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ଟିକେଟ ମିଳିପାରେ। ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଟଙ୍କଧରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଝାରସୁଗୁଡାର ବିଭିନ୍ନ ବ୍ଲକ ଏବଂ ପୌର ପରିଷଦରେ ଦୁର୍ନୀତି ଅଭିଯୋଗ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଅନ୍ୟପଟେ ଟିକିଏ ବେକ ଫୁଟରେ ଅଛି କଂଗ୍ରେସ। ତଥାପି ଉପନିର୍ବାଚନରେ ଭଲ କରିବୁ ବୋଲି ଆଶା ରଖିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ମିଶ୍ର।
ଏହି ଖବର ପଢ଼ନ୍ତୁ -
CNN ନ୍ୟୁଜ୍ 18 ନେଟୱାର୍କକୁ ପ୍ରଶଂସା କଲେ ପିଏମ ମୋଦିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।