News18 Odia Digital
Deepali Das Oath: ଝାରସୁଗୁଡ଼ା (Jharsuguda) ବିଧାୟିକା ଭାବେ ଶପଥ ନେଇଛନ୍ତି ଦୀପାଳି ଦାସ (Deepali Das)। ଦୀପାଳିଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ।
ଉପବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶପଥ ପାଠ ବେଳେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ରୀତା ସାହୁଙ୍କ ସହ ଦଳର ବହୁ ବିଧାୟକ ଉପସ୍ଥିତ ଥିଲେ। ସେହିପରି ଦୀପାଳିଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ। ପୂର୍ବରୁ ବିଧାନସଭାକୁ ଆସିବା ମାତ୍ରେ ମୁଣ୍ଡିଆ ମାରିଥିଲେ। ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ।
ମୁଖ୍ୟମନ୍ତ୍ରୀଙ୍କ (CM Naveen Patnaik) ଆଶୀର୍ବାଦ ନେବା ପରେ ଗଣମାଧ୍ୟମକୁ ଦୀପାଳି କହିଛନ୍ତି ଯେ ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର, ଦିବଂଗତ ନବ ଦାସଙ୍କର, ଝାରସୁଗୁଡ଼ାବାସୀଙ୍କର। ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି। ସମସ୍ତଙ୍କୁ ଭେଟି ସେମାନଙ୍କ ନିକଟରୁ ଆଶୀର୍ବାଦ ନେବା ସହ କୃତଜ୍ଞତା ଜଣାଇବି।
ଝାରସୁଗୁଡ଼ାର ନୂଆ ନିର୍ମାଣ ବାପାଙ୍କ ସ୍ୱପ୍ନ ଥିଲା। ବାପାଙ୍କ ଦ୍ୱାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୋ ବାପା ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜ ଏବଂ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ନିର୍ମାଣ ସ୍ୱପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି।
ପଢ଼ନ୍ତୁ ଏହି ଖବର: Weather Update: ଆଜିଠୁ ରାଜ୍ୟରେ ବଢ଼ିବ ଆହୁରି ତାତି; ୪୫ ଡିଗ୍ରୀ ଟପିବ ତାପମାତ୍ରାଉଲ୍ଲେଖଥାଉ କି, ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ୪୮, ୭୨୧ ଭୋଟରେ ବିଜୟୀ ହୋଇଛନ୍ତି । ଏଥି ସହିତ ସେ ନିଜ ବାପା ନବ ଦାସଙ୍କ ଭୋଟ୍ ବ୍ୟାବଧାନ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଦୀପାଳିଙ୍କୁ ମୋଟ୍ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଥିଲା ।
ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ବିଜୟ ପରେ ଦୀପାଳି ଦାସଙ୍କୁ ବଡ଼ ଉପହାର ଦେଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରେ ସବୁ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି । ଲକ୍ଷାଧିକ ଭୋଟ୍ ସହ ବାପା ନବ ଦାସଙ୍କ ଅପେକ୍ଷା ବଡ଼ ବ୍ୟବଧାନରେ ବିଜୟୀ ହୋଇଥିବା ଦୀପାଳିଙ୍କୁ ମିଳିପାରେ ବଡ଼ ଉପହାର । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଡାର୍କ ହର୍ସ ଭାବେ ଉଭା ହୋଇପାରନ୍ତି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି। ସୂଚନା ଅନୁସାରେ ନୂଆ ମନ୍ତ୍ରିମଣ୍ଡଳରେ ଦୀପାଳିଙ୍କୁ ମନ୍ତ୍ରୀ କରିପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦୀପାଳିଙ୍କୁ କେଉଁ ମନ୍ତ୍ରୀ ପଦ ମିଳିପାରେ ?
ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ପଛରେ ଯଥେଷ୍ଟ କାରଣ ରହିଛି ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି । ପଶ୍ଚିମ ଓଡ଼ିଶାକୁ ଗୁରୁତ୍ବ, ମହିଳା କାର୍ଡ, ଉଚ୍ଚଶିକ୍ଷିତା ଓ ନବ ଦାସଙ୍କ ପରିବାର ପ୍ରତି ଏକ ସମବେଦନା ସ୍ବରୁପ ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ଏବେ ବଡ଼ କଥା ହେଉଛି ଦୀପାଳି ମନ୍ତ୍ରୀ ହେଲେ କେଉଁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ ।
ବିଜେଡିର ଏକ ଗୋଷ୍ଠୀ ଅନୁସାରେ ଦୀପାଳିଙ୍କ ବାପା ନବ ଦାସଙ୍କ ହାତରେ ସ୍ବାସ୍ଥ୍ୟ ବିଭାଗ ଥିବାରୁ ଦୀପାଳିଙ୍କୁ ମଧ୍ୟ ସେଇ ବିଭାଗର ଦାୟିତ୍ବ ଦେଇପାରନ୍ତି ନବୀନ । ରାଜନୀତି ବିଶାରଦଙ୍କ ଅନୁସାରେ ନବ ଦାସଙ୍କ ହତ୍ୟା ପରେ କଡ଼ା ସୁରକ୍ଷା ଭିତରେ ନବଙ୍କ ପରିବାର ରହିଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଭଳି ପଦ ଦେଇ ଏକ ସର୍ପ୍ରାଇଜ ଦେଇପାରନ୍ତି ବିଜେଡି ସୁପ୍ରିମୋ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।