ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି; ଡିଏମଇଟିଙ୍କ ମନ୍ତବ୍ୟକୁ ନେଇ ଦ୍ବନ୍ଦ୍ବ

ଡିଏମଇଟି ରମା ରମନ ମହାନ୍ତି କହିଥିଲେ, "ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ। ପୂର୍ବ ସ୍ଥିତିକୁ ଦେଖି ମଙ୍ଗଳବାର ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଥାଇପାରେ। ବର୍ତ୍ତମାନ ଯେପରି ସଂକ୍ରମଣ ବଢୁଛି ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇପାରନ୍ତି।’’

ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି

ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି

  • Share this:
News18 Odia Digital

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୩ ତାରିଖରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସ୍କୁଲ ଖୋଲିବା ନେଇ ଏସଓପି ବି ଜାରି କରିଛନ୍ତି। କିପରି ପିଲାମାନେ ଆସିବେ ପାଠ ପଢ଼ିବେ କଣ ନିୟମାବଳୀ ରହିବ ସେ ନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ସ୍କୁଲ ଖୋଲିବା ନେଇ ଦ୍ଵନ୍ଦ ଦେଖାଯାଇଛି। ଦିଲ୍ଲୀରେ ସ୍କୁଲ ବନ୍ଦ ନେଇ ସରକାର ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ଅନେକ ହଜମ କରି ପାରିନାହାଁନ୍ତି।

ଏପରିକି ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ସରକାର ନିଷ୍ପତ୍ତି ବି ବଦଳେଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । କାରଣ ଡିଏମଇଟି ଏ ନେଇ ବି ସଙ୍କେତ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବା ନିଷ୍ପତ୍ତି ଠିକ କି ବୋଲି ପ୍ରଶ୍ନରେ ଡିଏମଇଟି ରମା ରମନ ମହାନ୍ତି କହିଛନ୍ତି, "ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ। ପୂର୍ବ ସ୍ଥିତିକୁ ଦେଖି ମଙ୍ଗଳବାର ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଥାଇପାରେ। ବର୍ତ୍ତମାନ ଯେପରି ସଂକ୍ରମଣ ବଢୁଛି ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇପାରନ୍ତି। ତେବେ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଡିଏମଇଟି।’’

ମଙ୍ଗଳବାର ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିବା ବେଳେ ଡିଏମଇଟିଙ୍କ ଏହି ମନ୍ତବ୍ୟ ଦ୍ଵନ୍ଦ ସୃଷ୍ଟି କରିଛି। ଅନ୍ୟପଟେ ବର୍ତ୍ତମାନ ସ୍କୁଲ ଖୋଲିଲେ କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଥିଲେ, " ବର୍ତ୍ତମାନ ସ୍କୁଲ ବନ୍ଦ କରିବାର ଆବଶ୍ୟକ ନାହିଁ। ବଡ଼ ବଡ଼ ଜନଗହଳିକୁ ନିୟନ୍ତ୍ରଣ କରନ୍ତୁ। ପ୍ରଥମ ଓ ଦ୍ଵିତୀୟ ଲହରରେ ପିଲାମାନଙ୍କ ବିଶେଷ ପ୍ରଭାବ ପଡ଼ିନଥିଲା । ଏବେ ଚିହ୍ନଟ ହେଲେ ବି ହସ୍ପିଟାଇଜେଶନ କମ ରହିଚି। ପିଲାମାନଙ୍କ ଆଣ୍ଟିବଡ଼ି ଭଲ ରହିଛି। ସାଉଥ ଆଫ୍ରିକାରେ ଓମିକ୍ରନର ଲହର ଆସିଥିଲେ ବି ସ୍କୁଲ ବନ୍ଦ ହୋଇନଥିଲା। ସେଠି କେବଳ ଜନଗହଳି ଓ ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ସ୍କୁଲରେ ପିଲାମାନଙ୍କୁ ଗୋଟେ ମିଟର ବ୍ୟବଧାନରେ ବସାଇଥିଲେ ଓ ମାସ୍କ ପିନ୍ଧାଇଥିଲେ। ତାଙ୍କ ପିଲା ଯଦି ପାଠପଢ଼ି ପାରିଲେ । ଆମର କାହିଁକି ପିଲା ପଢ଼ିବେନି ।’’

ମଙ୍ଗଳବାର ମନ୍ତ୍ରୀ ସମୀର ଦାସ କହିଥିଲେ ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମେଟିଭ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।

ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରଏ ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଜାନୁଆରୀ ୩ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପେକ୍ଷୀରେ ୨୧ ମାସ ଧରି ବନ୍ଦ ରହିଥିବା ସମସ୍ତ ବିଦ୍ୟାଳୟ ଖୋଲିବ ଓ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବ। ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଓ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଏହି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ସମସ୍ତ ପଦକ୍ଷେପକୁ ସ୍ୱାଗତ ଜଣାଇଛି।
Published by:Lipina Das
First published:
)}