ଦିଲ୍ଲୀ ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୨୩ ହେଲା; ୨୦୦ରୁ ଅଧିକ ଲୋକ ଆହତ; ଧାରା ୧୪୪ ଲାଗିଲା

ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ଥିବା ଦର୍ଶାଇ ଭାରତୀୟ ସେନାକୁ ଦିଲ୍ଲୀ ଆଣିବା ଦରକାର ବୋଲି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉତ୍ତରରେ କହିଛନ୍ତି ଦିଲ୍ଲୀରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଦ୍ଧସାମରିକ ବଳ ରହିଥିବାରୁ ସେନାକୁ ଡାକିବାର ଆବଶ୍ୟକତା ନାହିଁ ।

ଦିଲ୍ଲୀ ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୨୩ ହେଲା; ୨୦୦ରୁ ଅଧିକ ଲୋକ ଆହତ; ଧାରା ୧୪୪ ଲାଗିଲା
ଦିଲ୍ଲୀର ମୌଜପୁରରେ ଏକ ଦୋକାନରେ ନିଆଁ ଲଗେଇ ଦିଆଯାଇଛି ।
  • News18 Odia
  • Last Updated: February 26, 2020, 7:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ତିନି ଦିନ ଧରି ଚ଼ାଲିଥିବା ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢି଼ ଆଜି ୨୩ରେ ପହଞ୍ଚିଛି । ନାଗରିକତା ସଂଶୋଧନ ଆଇନ (CAA)ର ବିରୋଧରୁ ଆରମ୍ଭ ହୋଇଥିବା ଏହି ହିଂସକ ଘଟଣାଗୁଡ଼ିକରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଗତ କାଲି ରାତିରେ ଦିଲ୍ଲୀର ସାତଟି ସ୍ଥାନରେ ଧାରା ୧୪୪ ଲଗେଇବା ପରେ ଓ ୪,୦୦୦ ପୋଲିସ କର୍ମୀଙ୍କୁ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା କାମରେ ମୁତୟନ କରିବା ପରେ ଉତ୍ତର-ପୂର୍ବ ଦିଲ୍ଲୀରେ ଆଜି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ହେଲେ ଦୋକାନ ବଜାର ବନ୍ଦ ରହିଛି । ସମଗ୍ର ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି । ରାପିଡ୍‌ ଆକ୍ସନ୍‌ ଫୋର୍ସ ଓ ସିଆରପିଏଫ୍‌କୁ ମୁତୟନ କରାଯାଇଛି ।

ପୂର୍ବରୁ ହିଂସାକାଣ୍ଡ ହୋଇଥିବା ଭଜନପୁରା ଓ ଖଜୁରୀ ଖାସ୍‌ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ୍ଚ କରିଛି ପୋଲିସ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ଏହି ସବୁ ଅଞ୍ଚଳରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ CBSE ବୋର୍ଡ଼ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

ଦିଲ୍ଲୀରେ ଶାନ୍ତି ବ୍ୟବସ୍ଥା ଫେରାଇ ଆଣିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦାୟିତ୍ବ ଦିଆଯାଇଛି । ସେ ହିଂସା ପ୍ରଭାବିତ ଅଞ୍ଚଳକୁ ଯାଇ ସଂଖ୍ୟାଲଘୁ ନେତାଙ୍କୁ ଭେଟିଛନ୍ତି । ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ଥିବା ଯୋଗୁଁ ଭାରତୀୟ ସେନାକୁ ଦିଲ୍ଲୀ ଆଣିବାର ଆବଶ୍ୟକତା ରହିଛି । ଦିଲ୍ଲୀର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବୟାନର ଉତ୍ତର ରଖିଛନ୍ତି ।

‘‘ଦିଲ୍ଲୀରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଦ୍ଧସାମରିକ ବଳ ରହିଛନ୍ତି । ତେଣୁ ସେନାକୁ ଡାକିବାର ଆବଶ୍ୟକତା ନାହିଁ… ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଛି ଓ ପଦକ୍ଷେପ ନିଆଯାଉଛି,’’ କହିଛନ୍ତି ଅମିତ ଶାହ । ଅମିତ ଶାହଙ୍କ ସମୀକ୍ଷା ବୈଠକରେ ଅରବିନ୍ଦ କେଜରିୱାଲ, ଉପ-ରାଜ୍ୟପାଳ ଅନୀଲ ବୈଜଲ, ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ, କଂଗ୍ରେସ ନେତା ସୁଭାଷ ଚ଼ୋପ୍ରା, ବିଜେପି ନେତା ମନୋଜ ତିୱାରୀ ଓ ଗୌତମ ଗମ୍ଭୀର ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ହିଂସା ଉପରେ ଏଫ୍‌.ଆଇ.ଆର୍‌. କରିବା ଦାବି କରି ପୂର୍ବ ମୁଖ୍ୟ ସୂଚ଼ନା ଆୟୁକ୍ତ ୱଜାହତ୍‌ ହବିବୁଲ୍ଲା ଦାୟର କରିଥିବା ଏକ ଯାଚ଼ିକା ଉପରେ ସୁପ୍ରିମ୍‌ କୋର୍ଟରେ ଶୁଣାଣି ହେବାର ଅଛି। ଦଙ୍ଗାର ତଦନ୍ତ ପାଇଁ ଏକ ଏସ୍.ଆଇ.ଟି. ଗଠନ ଓ କେନ୍ଦ୍ର ସରକାର ସେନାଙ୍କୁ ଦଙ୍ଗା ରୋକିବାରେ ସାହାଯ୍ୟ ପାଇଁ ଲଗେଇବାର ଦାବିକରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଏକ ଯାଚ଼ିକାର ଆଜି ଶୁଣାଣି ହେଇଛି । ଏ ନେଇ ଦିଲ୍ଲୀ ପୋଲିସକୁ ନୋଟିସ୍‌ ଜାରି କରିଛନ୍ତି ଦିଲ୍ଲୀ ହାଇ କୋର୍ଟ ।

ଦିଲ୍ଲୀର ଶହୀନବାଗରେ ଅନେକ ଦିନ ହେବ ନାଗରିକତା ସଂଶୋଧନ ଆଇନର ବିରୋଧରେ ବସିରହିଥିବା ଲୋକଙ୍କୁ ସେଠୁ ତଡ଼ିବା ଦାବି କରି ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଦୁଇଟି ଯାଚ଼ିକାର ବି ଶୁଣାଣି ହେବାର ଅଛି ।
First published: February 26, 2020, 1:46 PM IST
corona virus btn
corona virus btn
Loading