News 18 Odia Digital
କଟକ: ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ଗୋଟିଏ ମାଈ ହାତୀର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହାରି ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ମାଈ ହାତୀଟି ଗର୍ଭବତୀ ଥିଲା । ମାଆ ହାତୀର ମୃତ୍ୟୁ ପରେ ତା ସହିତ ଏକ କୁନି ଶାବକର ମଧ୍ୟ ମୃତ୍ୟୁ ଘଟିଛି ।
ମୃତ ମାଈ ହାତୀଟିର ପୋଷ୍ଟମଟମ ସମୟରେ ଏହା ଜଣାପଡ଼ିଛି ।
ସିଟି ଡ଼ିଏଫଓ ଅଜିତ ଶତପଥିଙ୍କ ସୂଚନା ମୁତାବକ, ମୃତ ମାଈ ହାତୀଟି ୧୬ ମାସର ଗର୍ଭବତୀ ଥିଲା । ଆଉ ତିନିମାସ ପରେ ସେ ଏକ ହାତୀ ଶାବକକୁ ଜନ୍ମ ଦେଇଥାନ୍ତା । କିନ୍ତୁ ମହାନଦୀର ଆକାତ କାତ ପାଣିରେ ବୁଡ଼ିଯିବା ଯୋଗୁଁ ମା ହାତୀ ସହିତ ତା ଗର୍ଭରେ ଥିବା କୁନି ଶାବକଟିର ମଧ୍ୟ ମୃତ୍ୟ ଘଟିଛି । ଉଭୟ ମାଆ ଓ ତାର ଶାବକକୁ ପୋଷ୍ଟ ମଟମ ପରେ ଜଗତପୁର ମହାନଦୀ ପଠାରେ ପୋତି ଦିଆଯାଇଛି ।
ସେପଟେ ତାଣ୍ଡବ ରଚିଥିବା ବୟସ୍କ ମାଈ ହାତୀଟିକୁ ଦିର୍ଘ ୧୨ ଘଣ୍ଟାର ଅପରେସନ ପରେ ଶେଷରେ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲା ବନବିଭାଗ । କିନ୍ତୁ ରାତି ହୋଇ ଯାଇଥିବାରୁ ହାତୀଟିକୁ ସେହି ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଚିତ ଭାବିଲାନାହିଁ ନାହିଁ ବନ ବିଭାଗ । ଫଳସ୍ବରୂପ ଗୁରୁବାର ସକାଳେ ଟ୍ରାଙ୍କୁଲାଇଜ୍ଡ ହୋଇଥିବା ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିବା ପାଇଁ ନିଷ୍ପତି କରିଛି ବିଭାଗ । ସକାଳ ପର୍ଯ୍ୟନ୍ତ ହାତୀଟିର ସୁରକ୍ଷା ସହ ତାର ସ୍ୱାସ୍ଥ୍ୟ ଜାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀଦଳକୁ ଜଗତପୁର ନିକଟ ବସନ୍ତ ବିହାର ନିକଟରେ ମୁତୟନ କରାଯାଇଛି ।
ଜଗତପୁର ପଣ୍ଡାସାହି ଓ ନିମପୁର ଅଞ୍ଚଳରେ ବିଚରଣ କରୁଥିବା ଛୁଆ ହାତୀଟି ବିରୁପା ନଦୀ ପାର ହୋଇ ଚୌଦ୍ୱାର ଅଞ୍ଚଳକୁ ଚାଲିଯାଇଛି । ମିଳିଥିବା ସୂଚନା ଅନୁଯାଇ ରାତି ୯ଟା ସୁଦ୍ଧା ସେହି ଛୁଆ ହାତୀ ଓଟିଏମ ପରିସରରେ ଥିବା ଜଙ୍ଗଲିଆ ସ୍ଥାନକୁ ଚାଲିଯାଇଛି । ସେହି ହାତୀଟିର ଗତିବିଧି ଉପରେ ମଧ୍ୟ ବନ ବିଭାଗର କର୍ମଚାରୀମାନେ ନଜର ରଖିଛନ୍ତି । ବିଶେଷ କରି ମାଆକୁ ହାରାଇଥିବା ହାତୀ ଛୁଆଟି ଯେପରି ଚୌଦ୍ୱାର ଅଞ୍ଚଳ ଜନବସତି ଆଡ଼କୁ ନ ଆସିବ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।
ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ୬ ଜଣ ଆହତ ହେବା ସହ ଅନେକ ଘର ଭାଙ୍ଗିବା ଘଟଣା ଜଗତପୁର ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରିଛି । ଏହାସହ ଭବିଷ୍ୟତରେ ହାତୀ ପଲ ଜଗତପୁରକୁ ପ୍ରବେଶ ଆଶଙ୍କା ମଧ୍ୟ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।