ଷ୍ଟାଡ଼ିୟମରେ ମିଳିଥିବା ମୃତଦେହ ମମିତାଙ୍କର! ଘର ଲୋକଙ୍କୁ ଶବ ଦେଖାଇଲାନି ପୋଲିସ

କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରୁ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ।

ମମିତା ମୃତ ଦେହ ମିଳିଥିବା ନେଇ ସନ୍ଦେହ ହେଉଛି (ପ୍ରତୀକାତ୍ମକ ଛବି)

ମମିତା ମୃତ ଦେହ ମିଳିଥିବା ନେଇ ସନ୍ଦେହ ହେଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଳାହାଣ୍ଡି: କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରୁ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା। ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଷ୍ଟାଡ଼ିୟମକୁ ପୋଲିସ ଚାରିପଟୁ ସିଲ କରି ଦେଇଛି।  ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସଲେଟ, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି ।

ମିଳିଥିବା ଜିନିଷକୁ ଦେଖି ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି। ଘଟଣାସ୍ଥଳରେ ମମିତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ ପୋଲିସ ତରଫରୁ ସେମାନଙ୍କୁ କୌଣସି ସହଯୋଗ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପରିବାର ଲୋକଙ୍କୁ ମୃତଦେହ କିମ୍ବା ସେଠାରୁ ମିଳିଥିବା କୌଣସି ସାମଗ୍ରୀ ଦେଖାଯାଇ ନ ଥିବା ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ବାପା।

ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଷ୍ଟାଡିୟମଟି ପୋଲିସ ଛାଉଣୀରେ ପରିଣତ ହୋଇଥିବା ସତ୍ତ୍ୱେ ଶହ ଶହ ଲୋକ ଷ୍ଟାଡିୟମ ଭିତରକୁ ଧସି ପଶି ଯାଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଲୋକଙ୍କୁ ଘଉଡ଼ାଇବାକୁ ଆରମ୍ଭ କରିଛି। ମୃତଦେହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାହାର ଡିଏନ୍‌ଏ ଟେଷ୍ଟ ହେବ ବୋଲି ବଲାଙ୍ଗିର ପୋଲିସ ପକ୍ଷରୁ କୁହାଯାଇଛି।
Published by:Soumya Das
First published: