ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ମହାନତା; ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ କରେଇଲେ ସାକ୍ଷାତ

ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସୁରଭି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଡିସିପିଙ୍କ ମହାନତା ଦେଖିବାକୁ ମିଳିଥିଲା।

ଡିସିପି ପ୍ରତିକ ସିଂ

ଡିସିପି ପ୍ରତିକ ସିଂ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସୁରଭି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଡିସିପିଙ୍କ ମହାନତା ଦେଖିବାକୁ ମିଳିଥିଲା। ୟୁନିଟ୍ -୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରୁ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଯିବାକୁ ପ୍ରସ୍ତୁତ ହେଉଥିଲାବେଳେ ଜଣେ ଛାତ୍ରୀ ସ୍ବଚିତ୍ରିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକୃତି ଦେବାକୁ ଚାହିଁଥିଲେ। ଛାତ୍ରଛାତ୍ରୀଙ୍କ ଭିଡ଼ ଭିତରେ ସେ ଏହି ପ୍ରତିକୃତିକୁ ଧରି ଛିଡ଼ା ହୋଇଥିଲେ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଦେବାପାଇଁ ଅନେକ ଅଧିକାରୀଙ୍କୁ କହିଥିଲେ ମଧ୍ୟ କେହି ସାହସ କରିପାରୁଥିଲେ ଯୋଗାଯୋଗ ପାଇଁ। ଏହି ସମୟରେ ତତକ୍ଷଣାତ୍ ଛାତ୍ରୀଙ୍କ ଉପରେ ଡିସିପି ପ୍ରତୀକ ସିଂ ଙ୍କ ନଜର ପଡ଼ିଥିଲା। ଡିସିପି ତୁରନ୍ତ ଏକଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନଙ୍କୁ ଜଣାଇଥିଲେ। ବ୍ୟକ୍ତିଗତ ସଚିବ ଏହା ମୁଖ୍ୟମନ୍ତ୍ରୀଙ୍କ କାନରେ ପକାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଗାଡିରୁ ଓହ୍ଲାଇ ପଡ଼ିଥିଲେ। ଛାତ୍ରୀଙ୍କ ନିକଟରୁ ନିଜ ପ୍ରତିକୃତିକୁ ହସ ହସ ମୁହଁରେ ଗ୍ରହଣ କରିଥିଲେ। ଛାତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ଜ୍ୟୋତି ଦାସ। ସିମୁଳିଆ ମାହେଶ୍ୱରୀ ସାଂସ୍କୃତ ବିଦ୍ୟାଳୟରେ ୧୦ଶ୍ରେଣୀରେ ପାଠ ପଢନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ସେ ବହୁତ ଖୁସି ବୋଲି କହିଛନ୍ତି।

ସୁରଭୀ ଉଦଯାପନୀ ଦିବସ ରେ ଉପସ୍ଥିତ ଛାତ୍ରଛ୍ରତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି – ସମୟର ଆହ୍ବାନ। ସେ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ । ଠିକ୍‌ ସମୟରେ ଠିକ୍‌ କାମ କଲେ, ପିଲାମାନେ ଆଗରେ ରହିପାରିବେ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ବର୍ତ୍ତମାନ ହେଉଛି ପିଲାମାନଙ୍କର ଜ୍ଞାନ ଅର୍ଜନ କରିବାର ସମୟ। ପାଠ ସହିତ ଖେଳକୁଦ, ନାଚଗୀତ – ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ଦ୍ବିତୀୟରେ “ପରିବର୍ତ୍ତନ ଅବଶ୍ୟମ୍ଭାବୀ” ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୟ ସହ ତାଳ ଦେଇ ଆଗକୁ ବଢିବାକୁ ହେବ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ସମୟର ଆହ୍ବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ ଆମର ୫-ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ ହେଉଛି, ସମୟର ଆହ୍ବାନର ମୁକାବିଲା ପାଇଁ ପିଲା ମାନଙ୍କୁ ପ୍ରସ୍ତୁତ କରିବା। ନିଜ ଭିତରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ। ତୃତୀୟରେ ପିଲାମାନଙ୍କୁ ଦାୟିତ୍ବବୋଧତା ସଂପର୍କରେ ବୁଝାଇ କହିଥିଲେ ଯେ ତୁମମାନଙ୍କ ଜୀବନ ଗଢିତୋଳିବାରେ ଯେଉଁ ମାନଙ୍କ ଅବଦାନ ରହିଛି, ଯଥା- ଶିକ୍ଷକ, ପରିବାର, ଗୁରୁ ,ନିଜ ଗାଁ ଓ ସ୍କୁଲ – ସେମାନଙ୍କ ପ୍ରତି ନିଜର ଦାୟିତ୍ବ ଓ ସମ୍ମାନକୁ କେବେ ହେଲେ ଭୁଲ ନାହଁ ।
Published by:Soumyashree Mishra
First published: