News 18 Odia Digital
ବାଲେଶ୍ୱର: ITRରୁ ତଥ୍ୟ ଲିକ୍ ଅଭିଯୋଗ । ତଥ୍ୟ ଲିକ୍ ଅଭିଯୋଗରେ ITRର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ଗିରଫ ବ୍ୟକ୍ତି ଜଣକ ହେଲେ ITRର ସିନିଅର ଟେକ୍ନିକାଲ ଅଫିସର । ତାଙ୍କୁ ହନିଟ୍ରାପ୍ରେ ଫସାଇଥିଲେ ପାକିସ୍ତାନର ଜଣେ ଯୁବତୀ । ପାକିସ୍ତାନ ରାୱଲପିଣ୍ଡିରୁ ହୋଇଥିଲା ହନିଟ୍ରାପ୍ । ବର୍ଷେ ହେଲା ପାକିସ୍ତାନ ଯୁବତୀଙ୍କ ଲିଙ୍କ୍ରେ ଥିଲେ ସିନିଅର ଟେକ୍ନିକାଲ ଅଫିସର । ସନ୍ଦେହରେ ଆଉ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ବୋଲି କହିଛନ୍ତି ଆଇଜି ହିମାଂଶୁ ଲାଲ ।
୨୦୧୫, ଜାନୁଆରୀରେ ITRର ଠିକା କର୍ମଚାରୀ ଈଶ୍ୱର ବେହେରା ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ ବାଲେଶ୍ବର ଜିଲ୍ଲା ଦୌରାଜଜ୍ କୋର୍ଟ । ଗତବର୍ଷ ସେପ୍ଟେମ୍ବରରେ ସମାନ ଅଭିଯୋଗରେ ITRର ୪ ଜଣ ଅସ୍ଥାୟୀ କର୍ମଚାରୀଙ୍କ ସହିତ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଏହି ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି ।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଛି । ପାକ ଗୁଇନ୍ଦା ସଂସ୍ତା ଆଇଏସଆଇ ସହିତ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଇଶ୍ୱର ବେହେରା ନାମକ ଜଣେ କ୍ୟାମେରାମ୍ୟାନ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କାର୍ଯ୍ୟ କରୁଥିଲେ । ୨୦୧୪ ଡିସେମ୍ବର ୨୨ରେ ଈଶ୍ବରକୁ ଗିରଫ କରିଥିଲା ପୋଲିସ । isi ସହ ତାଙ୍କର ସମ୍ପର୍କ ରହିଥିବା ନେଇ ଘଟଣା ସାମ୍ନାକୁ ଆସିଥିଲା । isiକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇ ଟଙ୍କା ଆଦାୟ କରୁଥିବା ପରି ଅଭିଯୋଗ ଇଶ୍ୱରଙ୍କ ନାମରେ ରହିଥିଲା । ୨୦୨୧ ଫେବୃଆରୀ ୧୧ ତାରିଖରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଜଣେ ବିଦେଶୀ ଏଜେଣ୍ଟ ସହ ୬୬୬ ସେକେଣ୍ଡର କଲ୍ ରେକର୍ଡରେ ଈଶ୍ବରର ଦେଶଦ୍ରୋହ ପ୍ରମାଣ ମିଳିବା ପରେ ଏହି ରାୟ ଶୁଣାଇଥିଲେ ଅତିରିକ୍ତ ଦୌରାଜଜ୍ ଗିରିଜା ପ୍ରସାଦ ମହାପାତ୍ର । ଈଶ୍ବର ବିରୋଧରେ ଲାଗିଥିଲା IPCର ଧାରା ୧୨୦A, ୧୨୦B,୧୨୧ ଓ ସେକ୍ସନ ୩,୪,୫ରେ ସଂଗୀନ ଦଫା । ଆଜୀବନ ଜେଲ୍ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ । ସେହିଭଳି ଅଫିସିଆଲ ସିକ୍ରେଟ ଆକ୍ଟର ସେକ୍ସନ-୩ ଅନୁସାରେ ୧୦ ବର୍ଷ ଓ ସେକ୍ସନ-୫ରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ କୋର୍ଟ ।
ଏହି ଖବର ପଢ଼ନ୍ତୁ -
http://ପ୍ରେମିକାଙ୍କୁ ମିଳିଲା ନ୍ୟାୟ; ରାତିରେ ଧାରଣାରେ ବସିଲେ ସକାଳେ ଘରେ ପସିଲେଆହୁରି ସାଂଘାତିକ ଅଭିଯୋଗ ଆସିଥିଲା ଯେ ଈଶ୍ବରର ବ୍ୟାଙ୍କ ଆକାଉଣ୍ଟକୁ ଆବୁଧାବି, କୋଲକାତା, ଆଜମେର ଓ ବିହାରରୁ ଟଙ୍କା ଆସୁଥିଲା । ଏକ ୯ ଟିକିଆ ନମ୍ବରରୁ ବାରମ୍ବାର କଲ୍ ଆସୁଥିଲା । ଏଭଳି ଦେଶଦ୍ରୋହ ଅପରାଧୀକୁ ମୃତ୍ୟୁଦଣ୍ଡ ଦେଲେ ସେ ଅପରାଧର ପରିଣାମ ଜାଣି ପାରିବ ନାହିଁ । ତେଣୁ ସାରା ଜୀବନ ଅନୁତପ୍ତ ପାଇଁ ଆଜୀବନ କାରାଦଣ୍ଡ ଦିଆଗଲା ବୋଲି କୋର୍ଟ ରାୟରେ ଶୁଣାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।