News 18 Odia Digital
ବ୍ରହ୍ମପୁର; ୩ ଦିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ
Minister of State in the Ministry of Railways of India ତଥା ସୁରତର ସାଂସଦ ଦର୍ଶନା ଜର୍ଦୋସ (Darshana Jardosh) । ଆଜି ଅପରାହ୍ନ ୧୧.୩୦ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ । ଏହାପରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ଦର୍ଶନାଙ୍କୁ ରେଳ ଷ୍ଟେସନରୁ ବିରାଟ ପଟୁଆରରେ ସର୍କିଟ ହାଉସକୁ ନିଆଯାଇଥିଲା ।
ସର୍କିଟ ହାଉସରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ବ୍ରହ୍ମପୁର ଲୋକସଭା କୋର କମିଟିଙ୍କ ଦଳର ସଙ୍ଗଠନକୁ ନେଇ ଆଲୋଚନା କରିଥିଲେ । ଏହାସହିତ ଜିଲ୍ଲାର ବିଭିନ୍ନ ମୋର୍ଚ୍ଚାର ସମିତିଙ୍କ ସହ ମିଳିତ ଭାବେ ସାଙ୍ଗଠନିକ ଗତିବିଧି ଓ ସାଙ୍ଗଠନିକ ସୁଦୃଢ଼ତାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ତିନି ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ ବ୍ରହ୍ମପୁର ଲୋକସଭା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରହିଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି କିଭଳି ରହିଛି ସେ ନେଇ ଆଲୋଚନା କରିବେ । ଏହା ସହିତ କର୍ମୀମାନଙ୍କର ସମସ୍ୟାର ସମାଧାନ ନେଇ ମଧ୍ୟ ଆଲୋଚନା କରିବେ ।
‘‘କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ସେ ନେଇ ସରକାରୀ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ରେଳ ପ୍ରକଳ୍ପ କ୍ଷେତ୍ରରେ ଆହୁରି ଅଧିକ ବିକାଶ କରିବା ନିମନ୍ତେ କେନ୍ଦ୍ର ସରକାର ତତ୍ପର ରହିଥିବା ବେଳେ ରାଜ୍ୟ ସରକାର ସେହି ପ୍ରକାର ସମର୍ଥନ ଜଣାଉନାହାନ୍ତି । ଯାହାଫଳରେ ରେଳ କ୍ଷେତ୍ରରେ ବିକାଶ ସମ୍ଭବପର ହେଉନାହିଁ । ଯଦିଓ ବ୍ରହ୍ମପୁର ସହରରେ ବୟନ ଶିଳ୍ପ କ୍ଷେତ୍ରରେ ଭଲ କାମ ହେଉଛି ତଥାପି ମଧ୍ୟ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ନେଇ ଅନେକ ଯୋଜନା ଠିକ ଭାବେ କାମ କରୁଛି କି ନାହିଁ ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି,‘‘ ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ ।

‘‘ଆସନ୍ତା ୨୦୨୪ ନିର୍ବାଚନ ନିମନ୍ତେ ଭାରତୀୟ ଜନତା ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରତ୍ୟେକ ଲୋକସଭାକୁ ଜଣେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ସାଂସଦଙ୍କୁ ଦାୟିତ୍ୱ ଦିଆଯାଇଛି । ବିଶେଷ କରି କମ ଭୋଟରେ ପଛରେ ପଡ଼ିଥିବା ଲୋକସଭାରେ କିଭଳି ବିଜେପି ଆଗକୁ ବଢ଼ିବ ସେ ନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବ । ଏହାସହିତ ତୃଣମୃଣ ସ୍ତରରୁ କିଭଳି ବିଜେପିର ସମସ୍ତ କର୍ମକର୍ତ୍ତା ଆହୁରି ସଙ୍ଗଠିତ ହୋଇ କାମ କରିବେ ସେ ନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବ ବୋଲି କହିଛନ୍ତି,‘‘ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।

ମଙ୍ଗଳବାର ରାଷ୍ଟ୍ରମନ୍ତ୍ରୀ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ନାରାୟଣପୁର ଓ ଗୁରାଣ୍ଡି ଯିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଗୋଳନ୍ଥରା ଓ ଛତ୍ରପୁର ଗସ୍ତ କରିବା ପରେ କାର୍ଯ୍ୟକ୍ରମ ଶେଷ ହେବ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ସହିତ ଜିଲ୍ଲାର ବହୁ ବିଜେପି ( BJP ) ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।
https://odia.news18.com/news/trending/air-travel-became-cheaper-there-are-attractive-discounts-available-on-this-flight-4srm-090123-srm-146925.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।