News 18 Odia Digital
ପୁରୀ; ଚୁନାରା ସେବା ଏକ ନିଆରା ସେବା । ୨୧୩ ଫୁଟ ସୁଉଚ୍ଚ ଶ୍ରୀମନ୍ଦିର ଚୁଡାରେ ବାନା ବାନ୍ଧିବାର ଗୁରୁ ଦାୟୀତ୍ୱ ଏମାନଙ୍କ ଉପରେ ନ୍ୟସ୍ତ । ଟିକେ ଅସାବଧାନ ହେଲେ ଜୀବନ ପ୍ରତି ରହିଥାଏ ବିପଦ । ଖୁବ କୌଶଳରେ ଚଢି ବାନା ବାନ୍ଧିଥାନ୍ତି ଏହି ସେବାୟତ ।
ତେବେ ଚୁନାରା ସେବାୟତ ନୃସିଂହ ମହାପାତ୍ରଙ୍କ ଅନ୍ଦାଜ ଟିକେ ନିଆରା । ଅନ୍ୟମାନଙ୍କ ଭଳି ସେ କୌଶଳରେ ଚଢ଼ନ୍ତି ସତ । ହେଲେ ଶ୍ରୀମନ୍ଦିର ଚୁଡାରେ ଦେଖାନ୍ତି ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ । ଯାହା ଏବେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ । ଶ୍ରୀମନ୍ଦିର ଚୁଡାରେ ଅଣ ଓସାରିଆ ନୀଳଚକ୍ର ଉପରେ ଛିଡ଼ାହୋଇ ଦୁଇ ହାତ ଛାଡିଦିଅନ୍ତି ନୃସିଂହ । ଭଗବାନଙ୍କୁ ସ୍ମରଣ କରି ଅନେକ ପ୍ରକାରର ଷ୍ଟଣ୍ଟ ଦେଖାନ୍ତି ନୃସିଂହ । ଷ୍ଟଣ୍ଟ୍ ସମ୍ପର୍କରେ ପଚାରାଗଲେ ନୃସିଂହ କୁହନ୍ତି ପତିତପାବନ ଏବଂ ନୀଳଚକ୍ରରେ ତାଙ୍କୁ କେବଳ କଳାଠାକୁର ଦେଖାଯାଆନ୍ତି । ତାଙ୍କୁ ହିଁ ସ୍ମରଣ କରି ସେ ସବୁକିଛି କରିପାରନ୍ତି ।
ଚୁନାରା ସେବା ଏକ ନିଆରା ସେଵା । ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବନ୍ଧା ବେଳେ ଦୁଇହାତ ଖୋଲି
ମହାପ୍ରଭୁଙ୍କ ପ୍ରତି ସମର୍ପିତ ହୋଇ ମାଆ ବିମଳାଙ୍କୁ ଆବାହନ କରି ଧ୍ୱଜା ବାନ୍ଧିଥାନ୍ତି । ସେବାଟି ବିପଦପୂର୍ଣ୍ଣ ହେଲେ ମଧ୍ୟ ମହାପ୍ରଭୁଙ୍କ ପାଇଁ କେବେ ବି ବିପଦ ଆସିନି । ତେବେ ୨୧୩ ଫୁଟ ବା ୭୩ରୁ ୭୫ ମିଟର ସୁଉଚ୍ଚ ଶ୍ରୀମନ୍ଦିର ଚୁଡାରେ ବାନା ବାନ୍ଧିବାର ଗୁରୁ ଦାୟୀତ୍ୱ କେବଳ ଚୁନରା ସେବାୟତଙ୍କ ଉପରେ ନ୍ୟସ୍ତ । ଟିକେ ଅସାବଧାନ ହେଲେ ଜୀବନ ପ୍ରତି ବିପଦ । ଝଡ଼ ହେଉ କି ବର୍ଷା ,ବାତ୍ୟା ହେଉ କି କୋଭିଡ ମହାମାରୀ, କେବେବି ବନ୍ଦ ହୋଇନି ମହାପ୍ରଭୁଙ୍କ ସେବା । ନୃସିଂହ କହିଛନ୍ତି ଯେ, ଥରେ ବାନା ବାନ୍ଧିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଏତେ କଷ୍ଟ ହେଲା ଭାବିଲି ଡେଇଁ ପଡିବି । ମାତ୍ର ମୋତେ ମହାପ୍ରଭୁ ତଳକୁ ଆଣି ମୋ ଜୀବନ ବଞ୍ଚାଇଦେଲେ । ଆଉ ଏସବୁ କେବଳ ସମର୍ପଣ ବୋଲି କହିଛନ୍ତି ଚୁନରା ସେବାୟତ ନୃସିଂହ ମହାପାତ୍ର ।
ପ୍ରକୃତରେ କାଳିଆର ଳିଳା ବଡ଼ ବିଚିତ୍ର । ସେଥିପାଇଁ ତ ତାକୁ ଳିଳାମୟ ବୋଲି କୁହାଯାଏ । ତା ପ୍ରେମରେ ଯିଏ ନିଜକୁ ସମର୍ପିଦିଏ ସେ ସର୍ବସିଦ୍ଧି ଲାଭ କରିଥାଏ । ପ୍ରଭୁ ଭକ୍ତର ସମର୍ପଣ ଭାବ ଦେଖି ଦାସିଆ ବାଉରିଙ୍କ ନଡିଆ ଗ୍ରହଣ କରିଛନ୍ତି । ପ୍ରଭୁ ଶବରୀର ଅଇଁଠା କୋଳି ଖାଇଛନ୍ତି । ମାଣିକ ଗଉଡୁଣୀଙ୍କ ହାତରୁ ଦହି ପିଇଛନ୍ତି । ଭକ୍ତ ସାଲବେଗ ହୁଅନ୍ତୁ କି ଦେବଦାସୀ ସଭିଏଁ ପ୍ରଭୁଙ୍କ ପ୍ରେମରେ ନିଜକୁ ହଜାଇଦେଇଥିଲେ । ଏପରି ଅନେକ କଥା ପୁରାଣରେ ବର୍ଣ୍ଣିତ ହୋଇ ରହିଛି । ତେଣୁ ପ୍ରଭୁଙ୍କ କରୁଣା ଯାହା ଉପରେ ଥାଏ ତାର କୌଣସି ଅନିଷ୍ଟ ହୁଏନାହିଁ । ସେ ସର୍ବସିଦ୍ଧି ଲାଭ କରେ ବୋଲି ପଣ୍ଡିତମାନେ କୁହନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।