News 18 Odia Digital
ଛତ୍ରପୁର: ଚଳିତ ପାର୍ବଣ ଋତୁରେ ସମାଜକୁ କିଛି ଫେରାଇବାର ମହତ ଉଦ୍ଦେଶ୍ୟ ରଖି ଗୋପାଳପୁର ବନ୍ଦର ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ବ୍ୟାନରରେ ଜିପିଏଲ୍ ପରିସରରେ ସପ୍ତାହବ୍ୟାପୀ ‘ଦାନ ଉତ୍ସବ’ ପାଳନ କରିଛି । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୧୧ତାରିଖରେ ଶେଷ ହୋଇଛି । ଉଦଯାପନୀ ଉତ୍ସବରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭି ଜେ ରାଓ ଏବଂ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।
ସମାଜର ପଛୁଆ ବର୍ଗର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହି ଉତ୍ସବ ହେଉଛି ଏକ ମାଧ୍ୟମ । ଗାନ୍ଧି ଜୟନ୍ତୀ ଅବସରରେ ଗତ ୨ ତାରିଖ ଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ବନ୍ଦରର ଅନେକ କର୍ମଚାରୀ ସ୍ବେଚ୍ଛାକୃତ ଭାବରେ ପୋଷାକ, ଶୀତକାଳୀନ ପୋଷାକ, ଶୁଖିଲା ଖାଦ୍ୟ ସାମଗ୍ରୀ, ପୁସ୍ତକ ଏବଂ ଅଧ୍ୟୟନ ସାମଗ୍ରୀ, ଖେଳନା ଇତ୍ୟାଦି ପ୍ରଦାନ କରିଥିଲେ। କର୍ପୋରେଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଇଥିଲା।
ତେବେ ଏହି ଉତ୍ସବ ପାଳନ ପଛରେ ଥିବା ଗୋପାଳପୁର ବନ୍ଦର ଉପସଭାପତି (HR / IR) ଅଜୟ କୁମାର ମିଶ୍ର କହିଥିଲେ ଯେ ଆମେ ବିଶ୍ୱାସ କରୁ ପ୍ରଦାନ କରିବାର କୌଣସି ସୀମା ନଥାଏ ଏବଂ କୌଣସି ଦାନ ଛୋଟ କିମ୍ବା ବଡ ହୋଇନଥାଏ। ଆମର ଜିପିଏଲ୍ କର୍ମଚାରୀମାନେ ସ୍ୱତଃପ୍ରବୃତ ଭାବେ ପୋଷାକ, ଶୀତବସ୍ତ୍ର, ଶୁଖିଲା ଖାଦ୍ୟ, ପୁସ୍ତକ ଏବଂ ଅଧ୍ୟୟନ ସାମଗ୍ରୀ, ଖେଳନା ଇତ୍ୟାଦି ପ୍ରଦାନ କରିଛନ୍ତି । ସଂଗୃହିତ ଦ୍ରବ୍ୟକୁ ଆବଶ୍ୟକ କରୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବଣ୍ଟାଯିବ ବୋଲି ସେ ସୂଚନା ଦେଇଥିଲେ।
ଦାନ ଉତ୍ସବ ପୂର୍ବରୁ ଆନନ୍ଦ ପ୍ରଦାନ ସପ୍ତାହ କୁହାଯାଉଥିଲା। ପ୍ରତ୍ୟେକ ଭାରତୀୟ ସମାଜକୁ କିଛି ଫେରାଇବାର ସୁଯୋଗ ଦେଇଥାଏ। ଭାରତର ଦାନ ଉତ୍ସବ ଯାହା ପ୍ରଥମେ ୨୦୦୯ରେ ଆରମ୍ଭ ହୋଇଥିଲା ଏବଂ ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ (ଅକ୍ଟୋବର ୨-ଅକ୍ଟୋବର ୮) ପାଳନ କରାଯାଏ ।
ଏହା ଏକ ସୁଯୋଗ ଯାହାକି ଦୋକାନୀ ଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀର ଟପ୍ ଏକ୍ଜିକ୍ୟୁଟିଭ୍ ପର୍ଯ୍ୟନ୍ତ, ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଜେଜେବାପା ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକଙ୍କୁ ନିଜ ସକ୍ଷମ ଅନୁସାରେ ଫେରାଇବାକୁ ଅନୁମତି ଦେଇଥାଏ। ଦେବାର କାର୍ଯ୍ୟ, ଯଦିଓ ଛୋଟ କିମ୍ବା ବଡ, ସୁଖ, ପ୍ରେମ ଏବଂ କରୁଣା ବିସ୍ତାର କରିବାର ଏକ କାର୍ଯ୍ୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।