ପ୍ରଥମ ଆଦିବାସୀ ମହିଳା ଦମୟନ୍ତୀ ମାଝି ହେଲେ ସିଏମସିର ଡେପୁଟି ମେୟର

ସିଏମସି ନିର୍ବାଚନରେ କର୍ପୋରେଟର ଭାବେ ଜିତି ଥିବା ଦମୟନ୍ତୀଙ୍କୁ ବିଜେଡ଼ି ଦେଇଛି ନୂଆ ଏକ ପରିଚୟ ଓ ସେ ପାଲଟି ଯାଇଛନ୍ତି ସିଏମସିର ଡେପୁଟି ମେୟର ।

ସିଏମସିର ଡେପୁଟି ମେୟର

ସିଏମସିର ଡେପୁଟି ମେୟର

  • Share this:
News18 Odia Digital

କଟକ: ବଦଳିଲା ଦମୟନ୍ତୀ ମାଝିଙ୍କ ପରିଚୟ । ପୂର୍ବରୁ ବସ୍ତି ବାସିନ୍ଦାର ପରିଚୟ ନେଇ ଆସୁଥିବା ଦମୟନ୍ତୀ ନିଜ ଅଧ୍ୟବସାୟ ବଳରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । କିନ୍ତୁ ସିଏମସି ନିର୍ବାଚନରେ କର୍ପୋରେଟର ଭାବେ ଜିତି ଥିବା ଦମୟନ୍ତୀଙ୍କୁ ବିଜେଡ଼ି ଦେଇଛି ନୂଆ ଏକ ପରିଚୟ ଓ ସେ ପାଲଟି ଯାଇଛନ୍ତି ସିଏମସିର ଡେପୁଟି ମେୟର ।

ଗୁରୁବାର ଦିନ କଟକ ଶହୀଦ ଭବନରେ ଅନୁଷ୍ଠିତ ହୋଇଥିବା ଶପଥ ପାଠ କାର୍ଯ୍ୟକ୍ରମରେ ସିଏମସିର ନବର୍ନିବାଚିତ ମେୟର ଓ କର୍ପୋରେଟରମାନେ ଶପଥ ପାଠ କରିଥିଲେ । ଏହା ପରେ ଅନୁଷ୍ଠିତ ହୋଇଥିବା ଡେପୁଟି ମେୟର ନିର୍ବାଚନରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଶେଷ ବର୍ଷରେ ଅଧ୍ୟୟନ କରୁଥିବା ତଥା ୪୯ ଓ୍ବାର୍ଡରୁ ବିଜେଡ଼ି ଟିକେଟରେ ଜିତି ଥିବା କର୍ପୋରେଟର ଦମୟନ୍ତୀଙ୍କୁ ଦଳର ନିଜର ଡେପୁଟି ମେୟର ପ୍ରାର୍ଥି ଭାବେ ନିର୍ବାଚନକୁ ଓହ୍ଲାଇଥିଲା ।

ଦମୟନ୍ତୀଙ୍କ ବ୍ୟତିତ ଅନ୍ୟ କେହି କର୍ପୋରେଟର ଏହି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ଦମୟନ୍ତୀ ଅପ୍ରତିଦ୍ବନ୍ଦି ଭାବେ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ ।

"ବିଜୁ ଜନତା ଦଳ ସର୍ବଦା ଦୁର୍ବଳ ବର୍ଗଙ୍କ ସ୍ବାର୍ଥ ରକ୍ଷା ଦିଗରେ କାମ କରି ଆସୁଛି । ଦମୟନ୍ତୀ ମାଝିଙ୍କୁ ଡେପୁଟି ମେୟର କରି ଦଳ ପୁଣି ଥରେ ଏହାକୁ ପ୍ରମାଣିତ କରିଛି । ସମାଜର ସବୁଠାରୁ ନିମ୍ନବର୍ଗରେ ରହୁଥିବା ଲୋକ ମଧ୍ୟ ଶାସନ କ୍ଷମତାକୁ ଆସୁ ଏହାହିଁ ଆମ ଦଳ ଆଭିମୁଖ୍ୟ," କହିଛନ୍ତି କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ ।

ଦମୟନ୍ତୀ ପିଲାଟି ଦିନରୁ ନିଜ ପରିବାର ସହ ଜଗତପୁର ଶିଳ୍ପାଞ୍ଚଳରେ ଥିବା ବାଲିସାହି ବସ୍ତିରେ ରହି ଆସୁଛନ୍ତି । ବାପା ଚାଲିଯିବା ପରେ ବିଧବା ମା ଦିନ ମଜୁରି ଲାଗି ଯେତିକି ରୋଜଗାର କରନ୍ତି ସେତିକିରେ ଘରର ଗୁଜୁରାଣ ମେଣ୍ଟିବା ସହ  ତିନି ଭାଇ ଭଉଣୀଙ୍କ ପେଟ ମଧ୍ୟ ପୋଷା ହୋଇଥାଏ । ଭଙ୍ଗ ଦଦରା ଘରେ ରହୁଥିଲେ ମଧ୍ୟ ପଙ୍କରୁ ପଦ୍ମଫୁଟିବା ପରି ନିଜର ଇଚ୍ଛା ଶକ୍ତିକୁ ପାଥେୟ କରି ଦାରିଦ୍ରର ଛାତି ଚିରି ଉଚ୍ଚ ଶିକ୍ଷା ଗ୍ରହଣ କରିବାରେ ସେ ସଫଳ ହୋଇଛନ୍ତି ।

ନିଜର ନିଷ୍ଠା ବଳରେ ଅଶିକ୍ଷାର ଅନ୍ଧାରୀ ମୁଲକରୁ ବାହାରି ସିଏମସିର ଡେପୁଟି ମେୟର ବନିଥିବା ଦମୟନ୍ତୀ ଅନେକଙ୍କ ପାଇଁ ଏକ ପ୍ରେରଣା ଉତ୍ସ ପାଲଟିଛନ୍ତି । ନିଜ ବସ୍ତିରେ ଥିବା ସେହି ଭଙ୍ଗା ଘରେ ରହି ସହରବାସୀଙ୍କ ସହ ସହରରେ ରହୁଥିବା ବସ୍ତି ବାସିନ୍ଦା ପାଇଁ ନିରନ୍ତର କାର୍ଯ୍ୟ କରିବେ ବୋଲି କହିଛନ୍ତି ।

"ବସ୍ତିରୁ ଡେପୁଟି ମେୟର ହେବା ପର୍ଯ୍ୟନ୍ତ ଯାତ୍ରା ସହଜ ନଥିଲା । ସମାଜ ସେବା କରିବା ପାଇଁ ମୋର ଇଚ୍ଛା ଥିଲା । ବିଜେଡ଼ି ବିଶେଷ କରି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ରାଜନୀତି ଜରିଆରେ ସମାଜ ସେବା କରିବା ମୋତେ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । ଯେମତି କଟକର ସାଧାରଣ ନାଗରିକଙ୍କ ସହ ସହରରେ ରହୁଥିବା ବସ୍ତି ବାସିନ୍ଦା ଓ ପ୍ରତିଟି ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ଯେମତି ସମସ୍ତ ସରକାରୀ ଯୋଜନାର ଲାଭ ପହଞ୍ଚିପାରିବ ସେ ନେଇ ମୁଁ ସର୍ବଦା ଉଦ୍ୟମ କରିବି," କହିଛନ୍ତି ସିଏମସିର ଡେପୁଟି ମେୟର ଦମୟନ୍ତୀ ମାଝି ।
Published by:Soumya Das
First published: