ବାଲେଶ୍ବର ସଦର BDOଙ୍କ ସହ ଦୁର୍ବ୍ୟବହାର କଲେ ପୂର୍ବତନ ସରପଞ୍ଚ

ବୁଆଁଳ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି। ନିଶାଗ୍ରସ୍ତ ଅବସ୍ଥାରେ ସହଯୋଗୀମାନଙ୍କ ସହ କାର୍ଯ୍ୟାଳୟରେ ପଶି ବିଡ଼ିଓଙ୍କୁ ଧକ୍କା ମାରି ତାଙ୍କ ମୋବାଇଲ ଫୋନ ଛଡାଇ ନେଲେ।

ବାଲେଶ୍ବର ସଦର BDOଙ୍କ ସହ ଦୁର୍ବ୍ୟବହାର କଲେ ପୂର୍ବତନ ସରପଞ୍ଚ

ବାଲେଶ୍ବର ସଦର BDOଙ୍କ ସହ ଦୁର୍ବ୍ୟବହାର କଲେ ପୂର୍ବତନ ସରପଞ୍ଚ

  • News18 Odia
  • Last Updated :
  • Share this:
News18 Odia Digital

ବାଲେଶ୍ବର: ବୁଆଁଳ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି। ନିଶାଗ୍ରସ୍ତ ଅବସ୍ଥାରେ ସହଯୋଗୀମାନଙ୍କ ସହ କାର୍ଯ୍ୟାଳୟରେ ପଶି ବିଡ଼ିଓଙ୍କୁ ଧକ୍କା ମାରି ତାଙ୍କ ମୋବାଇଲ ଫୋନ ଛଡାଇ ନେଲେ। ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ଧାରଣାରେ ବସିଥିଲେ।

ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ୪.୩୦ରେ ଘଟିଥିଲା।

ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଶ୍ରୀକାନ୍ତ ମହାପାତ୍ର ଓ ତାଙ୍କ ସହଯୋଗୀ କୁଡ଼ିଆ ଗ୍ରାମର କାଳିଚରଣ ପଣ୍ଡା, କୁଡ଼ିଆ ଗ୍ରାମର ମୁରଲୀଧର ମହାନ୍ତି ଓ ବୁଆଁଳ ଗ୍ରାମର ଅଶୋକ ମହାକୁଡ଼ ନିଶାଗ୍ରସ୍ତ ଅବସ୍ଥାରେ ବ୍ଲକ କାର୍ଯ୍ୟାଳୟରେ ପଶି ହୋ ହାଲ୍ଲା କରିବା ସହିତ ଅଶ୍ଳୀଳ ଭାଷାରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଗାଳି ଗୁଳଜ କରୁଥିଲେ। ସେମାନଙ୍କ ପାଟି ଶୁଣି ବିଡ଼ିଓ ନରେନ୍ଦ୍ର ଖମାରି ତାଙ୍କ ପ୍ରକୋଷ୍ଠରୁ ବାହାରି ଆସି କାହିଁକି ହୋ ହାଲ୍ଲା କରୁଛ ବୋଲି ପଚାରିବାରୁ ପ୍ରାକ୍ତନ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ବିଡ଼ିଓଙ୍କୁ ଧକ୍କା ମାରିବା ସହିତ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ଥିଲେ।

ବିଡ଼ିଓଙ୍କୁ ଆକ୍ରମଣ କରାଯିବା ଦେଖି କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣା ସ୍ଥାନକୁ ଦୌଡ଼ି ଆସିବାରୁ ପ୍ରାକ୍ତନ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ପଳାଇଯିବା ପୂର୍ବରୁ ବିଡ଼ିଓଙ୍କ ମୋବାଇଲ ସେମାନଙ୍କ ପାଖରୁ କର୍ମଚାରୀମାନେ ଛଡ଼ାଇ ନେଇଥିଲେ।

ଏନେଇ ବିଡ଼ିଓଙ୍କ ତରଫରୁ ସହଦେବଖୁଣ୍ଟା ଥାନାକୁ ଖବର ଦିଆଯିବାରୁ ପୋଲିସ ତୁରନ୍ତ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ତେବେ କାର୍ଯ୍ୟାଳୟ ପରିସରରେ ଏଭଳି ଦାଦାଗିରି କରିବାକୁ ନେଇ ସମସ୍ତ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଧାରଣାରେ ବସିଥିଲେ। ପରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ,ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଧାରଣାରେ ବସିଥିବା କର୍ମଚାରୀମାନଙ୍କୁ ଆନ୍ଦୋଳନରୁ ଓହରି ଯିବାପାଇଁ ନିବେଦନ କରିଥିଲେ।

ତେବେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆପଣ ମାନେ ଆଇନକୁ ସମ୍ମାନ ଜଣାଇ ଧାରଣାରୁ ଓହରି ଯାଇ ନିଜ ନିଜ କାର୍ଯ୍ୟ କରିବା ପାଇଁ ବିଧାୟକ ଦାସ ଓ ଜିଲ୍ଲା ପରିଷଦ ସଭାପତି ପ୍ରଧାନଙ୍କ ସମେତ ଅନ୍ୟ ବିଜେଡି କର୍ମକର୍ତ୍ତାମାନେ ନିବେଦନ କରିଥିଲେ। ପରେ କର୍ମଚାରୀମାନେ ଧାରଣାରୁ ଓହରି ଯାଇ ନିଜ ନିଜ କାମରେ ଲାଗିଥିଲେ।

ବିଡ଼ିଓଙ୍କ ଅଭିଯୋଗ ଆଧାରରେ ସହଦେବଖୁଣ୍ଟା ଥାନା ପୋଲିସ ପକ୍ଷରୁ ଉପରୋକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ତେବେ ଏବାବଦରେ ବିଡ଼ିଓ ନରେନ୍ଦ୍ର ଖମାରି ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘‘ଏହି ବ୍ୟକ୍ତିମାନେ ନିଶାଗ୍ରସ୍ତ ଅବସ୍ଥାରେ ବାରମ୍ବାର କାର୍ଯ୍ୟାଳୟରେ ପଶି ଗଣ୍ଡଗୋଳ କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରାଯାଇଛି। ଆଇନ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’’

ସୂଚନା ଯୋଗ୍ୟ ଯେ ଗତ ୨୦୨୧ରେ ପ୍ରାକ୍ତନ ସରପଞ୍ଚ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ଏହି ବ୍ଲକ କାର୍ଯ୍ୟାଳୟରେ ପଶି ବିଧାୟକ ଦାସଙ୍କୁ ଠେଲାପେଲା କରିବା ସହିତ ଗାଳିଗୁଲଜ କରିଥିଲେ। ସେତେବେଳେ ମଧ୍ୟ ମହାପାତ୍ରଙ୍କ ନାମରେ ଥାନାରେ ବିଡ଼ିଓଙ୍କ ତରଫରୁ ଏତଲା ଦିଆଯାଇଥିଲା।
Published by:Lipina Das
First published: