• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବାତ୍ୟା ୟାସକୁ ପୂରିବାକୁ ବସିଲାଣି ୩ ମାସ: ଏବେ ବି କମିନି ଚାଷୀଙ୍କ ଦୁଃଖ; ଲୁଣି ପାଣି ଯୋଗୁଁ କରି ପାରୁନାହାଁନ୍ତି ଚାଷ

ବାତ୍ୟା ୟାସକୁ ପୂରିବାକୁ ବସିଲାଣି ୩ ମାସ: ଏବେ ବି କମିନି ଚାଷୀଙ୍କ ଦୁଃଖ; ଲୁଣି ପାଣି ଯୋଗୁଁ କରି ପାରୁନାହାଁନ୍ତି ଚାଷ

ଚଳିତ ବର୍ଷ ମେ ୨୬ ତାରିଖରେ ବାତ୍ୟା 'ୟାସ' ରଚିଥିଲା ତାଣ୍ଡବ । ବାରମ୍ବାର ବାତ୍ୟାର ସାମ୍ନା କରୁଥିବା ବାଲେଶ୍ୱର ବାସୀ କେବେ ଆଶା କରିନଥିଲେ ବାତ୍ୟା 'ୟାସ' ସିଧାସଳଖ ବାଲେଶ୍ୱରରେ ହିଟ କରିବ ବୋଲି ।

ୟାସ ବାତ୍ୟାକୁ ନେଇ ଏବେ ବି ଦୁଃଖରେ ବାଲେଶ୍ବର ଚାଷୀ

ୟାସ ବାତ୍ୟାକୁ ନେଇ ଏବେ ବି ଦୁଃଖରେ ବାଲେଶ୍ବର ଚାଷୀ

  • Share this:
News18 Odia Digital

ବାଲେଶ୍ବର: ଜିଲ୍ଲାର ସଦର, ବହାନଗା, ବାଲିଆପାଳ, ଭୋଗରାଇ ଆଦି ବ୍ଲକର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଛି ଲୁଣା ପାଣି ମାଡ଼ିଯିବା ଯୋଗୁଁ । ବାତ୍ୟା 'ୟାସ’କୁ ପୁରିବାକୁ ବସିଲାଣି ତିନି ମାସ । ହେଲେ ଏବେ ବି ଚାଷୀଙ୍କ କମିନି ଦୁର୍ଦ୍ଦଶା । ତଳିଆ ଅଞ୍ଚଳରେ ଲୁଣି ପାଣି ମାଡ଼ିଥିବା ସ୍ଥାନରେ ଚାଷ ଅନୁପଯୋଗୀ ଘୋଷଣା କରିଛି କୃଷି ବିଭାଗ । ୫,୮୪୨ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ୨୧୬ ହେକ୍ଟର ଜମିର ଅବସ୍ଥା ଠିକ୍ ହେବାକୁ ଲାଗିବ ଆହୁରି ତିନି ବର୍ଷ।

ଯେଉଁ ସମୟରେ ଚାଷ ଜମିରେ ଧାନ ରୁଆ ହେବା କଥା ସେଠାରେ ଧାନ ଦୂରର କଥା ଦୁବ ଘାସ ମଧ୍ୟ ଉଠିପାରୁନି । ଚଳିତ ବର୍ଷ ମେ ୨୬ ତାରିଖରେ ବାତ୍ୟା 'ୟାସ' ରଚିଥିଲା ତାଣ୍ଡବ । ବାରମ୍ବାର ବାତ୍ୟାର ସାମ୍ନା କରୁଥିବା ବାଲେଶ୍ୱର ବାସୀ କେବେ ଆଶା କରିନଥିଲେ ବାତ୍ୟା 'ୟାସ' ସିଧାସଳଖ ବାଲେଶ୍ୱରରେ ହିଟ କରିବ । ହେଲେ ବାଲେଶ୍ୱର ବରଜଦେଉଳୀରେ ବାତ୍ୟା ଲ୍ୟାଣ୍ଡଫଲ କରିଥିଲା । ତେବେ ବାତ୍ୟା ପ୍ରଭାବରେ ମାଡ଼ି ଆସିଥିଲା ଉଚ୍ଚ ଉଚ୍ଚ ଜୁଆର । ୧୨ଫୁଟର ଜୁଆର ପାଣି ମାଡ଼ି ଯାଇଥିଲା ଲୋ ଲାଇନ ଏରିଆରେ ।

ତେବେ ବାତ୍ୟାର ଅଢ଼େଇ ମାସ ବିତି ସାରିଛି ହେଲେ ଏବେ ବି ସ୍ୱାଭାବିକ ହୋଇପାରିନି ପରିସ୍ଥିତି। ଅନେକ ଅଞ୍ଚଳରେ ଏବେ ବି ସମୁଦ୍ର ପାଣି ଲହରୀ ମାରୁଛି ଚାଷ ଜମି ଉପରେ । ଆଉ ଯେଉଁଠି ଟିକେ ପାଣି କମିଛି ଲୁଣା ଚରି ଯାଇଛି । ଏଥି ପାଇଁ ଏବେ ସବୁ ଆଡ଼େ ଚାଷ ଅମଳ ଚାଲିଥିବା ବେଳେ ତଳିଆ ଉପକୂଳବର୍ତୀ ଅଞ୍ଚଳ ଲୋକେ କିପରି ଚାଷ କରିବେ ଆଉ କିପରି ପରିବାର ପୋଷଣ କରିବେ ତାକୁ ନେଇ ଚିନ୍ତାରେ ସମସ୍ତେ ।

ଲୁଣି ପାଣି ଯୋଗୁଁ ଚାଷୀ କରି ପାରୁନାହାଁନ୍ତି ଚାଷ


ସଦର ବ୍ଲକ ଅଞ୍ଚଳର ଚାଷୀ ତାପସ କୁମାର ଜେନା କରିଛନ୍ତି, ‘‘ବାତ୍ୟାର ପବନ ସେତେ ଜୋରର ହୋଇନଥିଲା ହେଲେ ସମୁଦ୍ର ପାଣି ଏତେ ଜୋରରେ ଆଉ ଏତେ ଉଚ୍ଚରେ ମାଡ଼ି ଆସିବ ଆମ ଧାରଣା ବାହାରେ ଥିଲା । ହଠାତ ୬ରୁ ୭ ଫୁଟ ଉଚ୍ଚର ପାଣି ମାଡ଼ି ଆସିଲା ଆମେ ସିନା ଜୀବନ ବଞ୍ଚାଇବାକୁ ବାତ୍ୟା ଆଶ୍ରୟସ୍ଥଳୀ ପଳେଇ ଯାଇଥିଲୁ ହେଲେ ଜମିରେ ଯେଉଁ ପାଣି ମାଡ଼ି ଯାଇଥିଲା ତାକୁ ରୋକି ହେଲାନି । ଫଳରେ ଏବେ ଜମିରେ ଆଉ ଚାଷ ହୋଇପାରୁନି । "

ଅନ୍ୟ ଜଣେ ଚାଷୀ ରବୀନ୍ଦ୍ର ରଣା କହିଛନ୍ତି, "ଆମ ଜୀବନ କାଳରେ ବା ଆମ ବାପା ଜେଜେଙ୍କ ସମୟରେ ମଧ୍ୟ ଏପରି ସମୁଦ୍ର ପାଣି ମାଡ଼ିବା ଆମେ ଦେଖିନଥିଲୁ । ଘର ଦୁଆର ମୁହଁ ପର୍ଯ୍ୟନ୍ତ ଲୁଣି ପାଣି ପଶି ଆସିଥିଲା । ଏବେ ଚାଷ କଥା ନକହିବା ଭଲ । ଆମ ଅଞ୍ଚଳର ଅଧିକାଂଶ ସ୍ଥାନରେ ଏବେବି ଲୁଣା ପାଣି ଜମି ରହିଛି । ଫଳରେ ଚଳିତ ବର୍ଷ ଚାଷ ସମ୍ଭବ ନୁହେଁ, ତେବେ ପୁରା ପାଣି କମି କେବେ ଚାଷ ସ୍ୱାଭାବିକ ହେବ ତାହା କହିବା ମଧ୍ୟ ସମ୍ଭବ ନୁହେଁ ବୋଲି ରବୀନ୍ଦ୍ର ରଣା , ଆଉ ଜଣେ ଚାଷୀ କହିଛନ୍ତି । "

ବାଲେଶ୍ବର ଜିଲ୍ଲାରେ ଅନେକ ଚାଷ ଜମିରେ ଏବେ ବି ଲୁଣି ପାଣି ହେଉପାରୁନାହୁଁ ଚାଷ


ଚାଷୀଙ୍କ ବ୍ୟତୀତ କୃଷି ଅଧିକାରୀ ବିରେନ୍ଦ୍ର ବେହେରା କହିଛନ୍ତି, "ବାଲେଶ୍ୱର ଜିଲ୍ଲାର ସଦର, ବହାନଗା, ବାଲିଆପାଳ, ଭୋଗରାଇ ଆଦି ବ୍ଲକର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଛି ଲୁଣା ପାଣି ମାଡ଼ିଯିବା ଯୋଗୁଁ । ସେହିପରି ସଦର ବ୍ଲକର ଛାନୁଆ, ସାର୍ଥା, ଚକ ସାର୍ଥା, ବାହାବଳପୁର, କସାଫଳ ଆଦି ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । କୃଷି ବିଭାଗ ଅନୁସାରେ ଉପକୂଳବର୍ତୀର ୫,୮୪୨ ହେକ୍ଟର ଲୁଣା ପାଣି ମାଡ଼ି ଥିବା ବେଳେ ସେଥି ମଧ୍ୟରୁ ୨୧୬ ହେକ୍ଟର ଜମିରେ ଏବେ ବି ଲୁଣା ପାଣି ଜମି ରହିଛି । ତେବେ ବାକି ୫,୬୨୬ ହେକ୍ଟର ଚାଷ ଜମିର ୮୦ ପ୍ରତିଶତ ଚାଷ କାର୍ଯ୍ୟ ଚାଷୀ ମାନେ କରିଛନ୍ତି ହେଲେ ଏ ସବୁରୁ ମଧ୍ୟ ଆଶାନୁରୂପ ଫସଲ ଅମଳ ହେବା କଷ୍ଟକର । ଲୁଣାର ପ୍ରଭଵ କମିବାକୁ ଆହୁରି ତିନି ବର୍ଷ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଯଦି ଚଳିତ ଥର ପ୍ରବଳ ବର୍ଷା ହେବ ତେବେ କିଛିଟା ପରିସ୍ଥିତିର ସୁଧାର ଆସିବ ନେଇ ଆଶା ଅଛି ।’’

ଜମିରୁ ଲୁଣା ପାଣି ନିଷ୍କାସନ ନହେବାର ଅନ୍ୟ ଏକ ମୁଖ୍ୟ କାରଣ । ସମୁଦ୍ର କୂଳିଆ ଅଞ୍ଚଳରେ ଶତାଧିକ ଚିଙ୍ଗୁଡ଼ି ଘେରିର ଡ୍ରେନେଜ ବ୍ୟବସ୍ତା ନଥିବା ବୋଲି ମଧ୍ୟ ଅଭିଯୋଗ ହେଉଛି ।
Published by:Lipina Das
First published: