News18 Odia Digital
ଭୁବନେଶ୍ବର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ସ୍ପେଶାଲ ରିଲିଫ କମିଶନର ସତ୍ୟବ୍ରତ ସାହୁ ଗଣମାଧ୍ୟମ ଆଗକୁ ଆସି ମୁକାବିଲା ପାଇଁ ପ୍ରସ୍ତୁତି ନେଇ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଉପକୂଳବର୍ତ୍ତୀ ଓ ସମ୍ଭାବ୍ୟ ପ୍ରଭାବ ନେଇ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ।’’
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଛନ୍ତି। ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ବାତ୍ୟା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ‘‘ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ବେଶି ହୋଇଥାଏ। ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ଜିରୋ କାଜୁଆଲ୍ଟି ନୀତି ଅବଲମ୍ବନ କରି ସଫଳତା ପାଇଛୁ। ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି ଏବଂ ସବୁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ। ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।’’
ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଲେ ଯେ ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି। ୧୭ଟି NDRF ଓ ୨୦ଟି ODRAF ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂସଲ, ଉନ୍ନୟନ କମିଶନର (ଜଳସଂପଦ) ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ଶ୍ରୀ ସଂଜୟ ସିଂ, କୃଷି ବିଭାଗ ସଚିବ ଶ୍ରୀ ଅରବିନ୍ଦ ପାଢୀ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।