Cyclone Mocha: ଭୀଷଣ ହେବ ବାତ୍ୟାର ରୂପ ! ଜାଣନ୍ତୁ କଣ କହୁଛି IMD

Cyclone Mocha: ପାଣିପାଗ ବିଭାଗ କହିଛି, ଦକ୍ଷିଣ ବଙ୍ଗୋପସାଗରରେ ଆସନ୍ତା ୭ ତାରିଖରେ ସୃଷ୍ଟି ହେବ ଲଘୁଚାପ। ଯାହା ୮ରେ ଅବପାତରେ ପରିଣତ ହେବ।

ଭୀଷଣ ହେବ ବାତ୍ୟାର ରୂପ!

ଭୀଷଣ ହେବ ବାତ୍ୟାର ରୂପ!

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Cyclone News: ସମ୍ଭାବ୍ୟ ବାତ୍ୟା 'ମୋକା'କୁ ନେଇ ଆସିଲା ଆଉ ଏକ ବଡ଼ ଅପଡେଟ୍‌ ।  ଅତି ଭୀଷଣ ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା (Cyclone Mocha) । ଜିଏଫ୍‌ଏସ୍‌ (GFS Model) ଓ ୟୁରୋପିଆନ ମୋଡେଲ (European Model) କେତେକ ଅନ୍ତର୍ଜାତୀୟ ସଂସ୍ଥା ଏଭଳି ଆକଳନ କରିଛନ୍ତି ।  କିନ୍ତୁ ଏହା କେଉଁ ଦିଗରେ ଯାଇ କେଉଁଠି ସ୍ଥଳଭାଗ ଛୁଇଁବ, ସେନଇ ଏଯାଏ କୌଣସି ସଂସ୍ଥା କିଛି ସୂଚନା ଦେଇ ନାହାନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହୁଛି IMD ?

ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିଝଡ଼ (Cyclonic Circulation) ସୃଷ୍ଟି ହେବ ଯାହା ଘନୀଭୂତ ହୋଇ ୭ ତାରିଖରେ ଲଘୁଚାପରେ ପରିଣତ ହେବ। ଆଉ ଏହାର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୮ରେ ଏହା ଅବପାତ (Depression)ର ରୂପ ନେବ । ଆଉ  ପରବର୍ତ୍ତୀ ୨୪ ଘଣ୍ଟାରେ ମାନେ ୯ ତାରିଖରେ ଏହି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ରୂପ ନେଲାପରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗ ମୁହାଁ ହେବ । ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ରହିପାରେ। ଏହାର ଗତିପଥ ନେଇ IMD କିଛି କହିନଥିଲେ ମଧ୍ୟ କିଛି ମଡେଲ୍ ଅନୁମାନ କରୁଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ମିଆଁମାର ମୁହାଁ ହୋଇପାରେ।

ସେପଟେ ସମ୍ଭାବ୍ୟ ବାତ୍ୟା ମୋକାକୁ ନେଇ ବିଭିନ୍ନ ମଡେଲ ସେମାନଙ୍କ ମତ ରଖିଛନ୍ତି। IMD ଅନୁଯାୟୀ ମେ ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସଗରରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖ ସୁଦ୍ଧା ସେହି ସ୍ଥାନରେ ବାତ୍ୟାରେ ପରିଣତ ହେବ।
କ୍ରମେ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ୧୦ ତାରିଖ ପର୍ଯ୍ୟନ୍ତ ଗତି କରିବ। ଏହା ପରେ ଉତ୍ତର ପୂର୍ବ ଦିଗରେ କରି ଦକ୍ଷିଣ ପୂର୍ବ ବାଂଲାଦେଶ ନିକଟବର୍ତ୍ତୀ ମିଆଁମାର ଉପକୂଳକୁ ମୁହାଁଇବ। ବଙ୍ଗୋପସାଗରର ତାପମାନ ବର୍ତ୍ତମାନ ୩୦ ରୁ ୩୨ ଡିଗ୍ରୀ ରହିଥିବାରୁ ବାତ୍ୟା ଭୟଙ୍କର ହୋଇପାରେ ବୋଲି ଆକଳନ କରାଯାଉଛି।

ବାତ୍ୟା କେଉଁ ଦିନ ସୃଷ୍ଟି ହେବ ? 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୮ରେ ଅବପାତ ହେବା ପରେ ଏହା ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି ।  ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ବାତ୍ୟା ସୃଷ୍ଟି ହେଲାପରେ ହିଁ ଗତିପଥକୁ ନେଇ କିଛି ଆକଳନ କରିହେବ ।  ଏହା ବାତ୍ୟାର ରୂପନେବା ପରେ ଉତ୍ତର ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ କହିଛନ୍ତି ଏହି ସିଷ୍ଟମ ଉପରେ ନିରନ୍ତର ନଜର ରଖିଛନ୍ତି ।  କାରଣ ମେ ମାସରେ ବାତ୍ୟାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ଭୀଷଣ ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।  ଭାରତୀୟ ଉପଗ୍ରହ ଗୁଡ଼ିକରୁ ମିଳୁଥିବା ଚିତ୍ର ବୟାନ କରୁଛି, ଯେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପର ଆକାଶରେ ସ୍ବଳ୍ପ ଏବଂ ମଧ୍ୟମ ଧରଣର ବାଦଲ ବିକ୍ଷୀପ୍ତ ଅବସ୍ଥାରେ ରହିଛି ।




ସାଇକ୍ଲୋଜେନେସିସ କଣ ?

ମେ ଦ୍ବିତୀୟ ସପ୍ତାହରେ ହେବାକୁ ଥିବା ଏହି ସିଷ୍ଟମର ସାଇକ୍ଲୋଜେନେସିସ୍‌ (cyclogenesis) ଉପରେ ସମସ୍ତଙ୍କ ନଜର ରହିଛି । ସାଇକ୍ଲୋଜେନେସିସ୍‌ ହେଉଛି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ପ୍ରକ୍ରିୟା । ଅର୍ଥାତ ଲଘୁଚାପ ପରେ ଓ ଅବପାତ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରକ୍ରିୟା । ଏହା ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏଥିରୁ ହିଁ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ଅନେକ ତଥ୍ୟ ଜଣାପଡ଼େ । ଯେପରିକି ବାତ୍ୟା କେତେ ଭୀଷଣ ହେବ, ବାତ୍ୟାର ଗତିପଥ କଣ ରହିବ, ପବନର ବେଗ କଣ ରହିପାରେ, ସମ୍ଭାବ୍ୟ ଲ୍ୟାଣ୍ଡଫଲ୍‌କୁ ନେଇ ମଧ୍ୟ ଏକ ଆକଳନ କରାଯାଇପାରେ । ୭-୮ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଦକ୍ଷିଣ ବଙ୍ଗୋପସାଗରରେ ହେବ ।

ଅନ୍ୟପଟେ ରାଜ୍ୟରେ ପୁଣି ବଢିବ ତାତିର ପ୍ରକୋପ । ଚଳିତ ମାସ ୭ ତାରିଖ ବେଳକୁ ପୁଣି ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସାଙ୍ଘାତିକ ଗ୍ରୀଷ୍ମ ଲହରୀକୁ ଟାଣିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୫ ତାରିଖ ପରେ କାଳବୈଶାଖୀ ପ୍ରଭାବ ହ୍ରାସ ପାଇବ ଓ ଏହାପରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଏପରିକି କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି । ୯, ୧୦ ଓ ୧୧ରେ ଭୀଷଣ ଗରମ ଅନୁଭୂତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଯଦି ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳ ଆଡ଼କୁ ମୁହାଁଇବ ତେବେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ବର୍ଷା ହେବା ସହ ତାତିର ପ୍ରକୋପ ଦୁଇ ଚାରି ଦିନ ପର୍ଯ୍ୟନ୍ତ ହ୍ରାସ ପାଇବାର ଆକଳନ କରାଯାଇଛି । ଯଦି ବାତ୍ୟା ଭାରତ ଉପକୂଳରୁ ଦୂରେଇ ଯାଏ ତେବେ ତାତିର ପ୍ରକୋପ ହ୍ରାସ ପାଇବା ସମ୍ଭାବନା କମ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Published by:Lipina Das
First published: