News 18 Odia Digital
ଭୁବନେଶ୍ୱର; ରାଜ୍ୟ ରାଜଧାନୀରୁ ଗୋଟିଏ ବର୍ଷରେ ସାଇବର ଲୁଟେରା ଠକିନେଲେ ୧୩କୋଟି ୧୦ ଲକ୍ଷ ୪୦ହଜାର ୯୭୨ଟଙ୍କା । ଏହି ରିପୋର୍ଟ ଜାରି କରିଛି କମିଶନରେଟ ପୋଲିସ। ଯେଉଁଥିରେ ୩୮୩୬ଜଣଙ୍କ ଠାରୁ ଏହି ଟଙ୍କା ସାଇବର ଅପରାଧ ମାଧ୍ୟମରେ ଠକିଥିବା କୁହାଯାଇଛି। ଗୋଟିଏ ବର୍ଷରେ ୧୩କୋଟି ୪୦ଲକ୍ଷରୁ ଅଧିକ ଟଙ୍କା ସାଇବର ଲୁଟେରା ଲୁଟ କରିବା କମିଶନରେଟ ପୋଲିସ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି ।
ପୋଲିସ ସୂଚନା ଅନୁସାରେ, ଭୁବନେଶ୍ୱର ସହରାଞ୍ଚଳ ପୋଲିସରେ ଥିବା ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ୨୦୨୨ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୮୩୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୩,୨୭୦ଟି ଅର୍ଥ ଠକେଇ ଜନିତ ଅଭିଯୋଗ ହୋଇଥିବା ବେଳେ ମୋଟ ୫୬୬ଟି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପଡ଼େସ୍କ ଗ୍ରହଣ କରିଥିଲେ । ଆସିଥିବା ଠକେଇ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ୫୩ଗୋଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୋଟ ୧୩,୧୦,୪୦,୯୭୨ ପରିମାଣର ଟଙ୍କା ଠକେଇ ଅଭିଯୋଗ ହୋଇଛି।
ସାଇବର ଠକ ଲୁଟିଥିବା ଟଙ୍କା ମଧ୍ୟରୁ ଅଭିଯୋଗକାରୀ ମାନଙ୍କୁ ମୋଟ ୧ କୋଟି ୨୩ ଲକ୍ଷ ୦୨୮୦୪-ଟଙ୍କା ଫେରସ୍ତ କରାଯାଇଛି । ସେହିଭଳି ମୋଟ ୧,୪୬,୦୨,୩୧୯ ଟଙ୍କାକୁ ବ୍ଲକ ବା ଫ୍ରିଜ କରାଯାଇ ପାରିଛି । ଏହିପରି ଭାବେ ମୋଟ ୨,୬୯,୦୫,୧୨୩ ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି ।
ସାଇବରଠକଙ୍କ ଠାରୁ ବର୍ତ୍ତିବା ପାଇଁ ବର୍ଷ ତମାମ ପୋଲିସ ପକ୍ଷରୁ ସଚେତନ କରାଯାଉଛି । ଏନେଇ ବିଭିନ୍ନ ସମୟରେ ବିଜ୍ଞାପନ ମଧ୍ୟ ଲଗା ଯାଉଛି। ତଥାପି ଲୋଭର ବଶବର୍ତ୍ତୀ ହୋଇ ଅନେକ ଲୋକ ସାଇବର ଠକଙ୍କ ଜାଲରେ ପଡୁଛନ୍ତି। ଯାହାକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।