News18 Odia Digital
News18 Odia Digital
ଭୁବନେଶ୍ବର: ଓଡ଼ିଶାରେ ମାତିଛନ୍ତି ସାଇବର ଠକ। ଦିନିକୁ ଦିନ ବଢ଼ିଚାଲିଛି ଏମାନଙ୍କ କାରନାମା। ଏଥର ସାଇବର ଠକେଇର ଶିକାର ହୋଇଛନ୍ତି ଦିବଂଗତ ନବ ଦାସଙ୍କ ଝିଅ ଦୀପାଲି ଦାସ। ମାର୍ଚ୍ଚ ୬ରେ ସେ ସାଇବର ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।
ଏ ନେଇ ସେ ସମ୍ବଲପୁର ଅଇଁଠାପଲି ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, ‘‘ମୋ ପାଖକୁ ଏକ ଅଜଣା ନମ୍ବରରୁ ଓଟିପି ଆସିଥିଲା। ହେଲେ ମୁଁ ଉକ୍ତ ଓଟିପିକୁ କାହା ସହ ସେୟାର କରିନଥିଲି। କିନ୍ତୁ ଦୁଇଟି ପର୍ଯ୍ୟାୟରେ ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା କଟିଯାଇଥିଲା।’’
ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର। ଅଇଁଠାପାଲିରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ଆକାଉଣ୍ଟ ଥିଲା। ସେହି ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।
ପ୍ରକାଶ ଥାଉକି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଆସିଥିଲେ ଦୀପାଲି।
ବାପାଙ୍କ ମୃତ୍ୟୁକୁ ନେଇ ସେ କହିଥିଲେ, ‘‘ଏହା ଏକ ସମ୍ୱେଦନଶୀଳ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ। ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ଏବେ କିଛି କହିବା ଠିକ୍ ହେବନି। କେବଳ ସେତିକି ନୁହେଁ ରାଜନୀତିକୁ ଆସିବେ କି ନାହିଁ ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।