News18 Odia Digital
ପୁରୀ: ସହରର ନାମୀ ଦାମୀ ହୋଟେଲମାନଙ୍କର ଇଣ୍ଟରନେଟ୍ ସାଇଟ୍ରେ ସାଇବର ଠକେଇ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୋଲିସ ଚୁପ ବସିଥିଲା। ତେଣୁ ଏହି ଘଟଣାକୁ ଏବେ ଗୁରୁତ୍ବ ଦେଇ ଏଥିପାଇଁ ଏକ ସଚେତନତା ଶିବିରର ଆୟୋଜନ କରାଯାଇଛି।
ସମସ୍ତ ହୋଟେଲ କର୍ତ୍ତୁପକ୍ଷ ଏବଂ ଟ୍ରାଭେଲ୍ ଏଜେଣ୍ଟମାନଙ୍କୁ ସାଇବର ଭଲ୍ୟୁଣ୍ଟର ଭାବେ ଘୋଷଣା କରି ଏସ୍ପି ବିଶାଲ କନଓ୍ଵର ସିଂହ କହିଛନ୍ତି ଯେ ସାଇବର ସ୍ବେଚ୍ଛାସେବୀମାନେ ପୁରୀରେ ସାଇବର ଠକେଇ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଯଦି ଏଭଳି କୌଣସି ଅଭିଯୋଗ ଆସୁଛି, ତେବେ ପୋଲିସ ହେଲ୍ପ ଲାଇନ୍କୁ ଜଣାଇବା ସହ ଅଭିଯୋଗକାରୀଙ୍କୁ ମାତ୍ର ୧୫ ମିନିଟ୍ ମଧ୍ୟରେ ଫୋନ୍ କରାଯିବାର ପ୍ରତିଶ୍ରୁତି ଦିଅନ୍ତୁ। ଏଥିପାଇଁ ଅଭିଜ୍ଞ ଅଫିସରମାନଙ୍କୁ ସାଇବର ଥାନାରେ ନିୟୋଜିତ କରାଯାଇଛି। ସେମାନେ ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛନ୍ତି।
ନିକଟରେ ସାଇବର ଠକମାନଙ୍କ ଠାରୁ ପୁରୀ ପୋଲିସ ପ୍ରାୟ ୫ ଲକ୍ଷ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି। ଗତ ଅଗଷ୍ଟ ୨୦ ତାରିଖ ଦିନ ଓଏଲ୍ଏକ୍ସ ମାଧ୍ୟମରେ ପ୍ରାୟ ୩୦ ହଜାର ଟଙ୍କା ଠକେଇ ହୋଇଥିବା ବେଳେ ୭ ଦିନ ମଧ୍ୟରେ ଏହାକୁ ଫେରାଇ ଅଣାଯାଇପାରିଛି। ସେହିପରି ଗତ ଫେବୃୟାରୀ ୭ ତାରିଖ ଦିନ ୟୋନୋ ଆପ୍ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୬ ହଜାର ଟଙ୍କା ଠକେଇ ହୋଇଥିବା ବେଳେ ଉକ୍ତ ଟଙ୍କାକୁ ମଧ୍ୟ ଫେରାଇ ଅଣାଯାଇପାରିଛି। ସେହିପରି ଗତ ମଇ ମାସରେ ହେଲିକପ୍ଟର ବୁକିଂ ନାମରେ ୬୬ ହଜାର ସାଇବର ଠକେଇ ହୋଇଥିବା ବେଳେ ମାତ୍ର ତିନି ଦିନ ମଧ୍ୟରେ ଏହି ଠଙ୍କାକୁ ଫେରସ୍ତ ଅଣାଯାଇପାରିଛି। ଏହିପରି ଏହି ସାଇବର ଠକ ସଂସ୍ଥାମାନେ ପୁରୀର ବିଭିନ୍ନ ହୋଟେଲମାନଙ୍କ ନାମରେ ସାଇଟ୍ ଖୋଲି ଭୁଲ୍ ଫୋନ୍ ନମ୍ବର ଓ ଇ-ମେଲ୍ ଖୋଲି ଠକେଇ କରିବା ଆରମ୍ଭ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଧରିବା ପାଇଁ ପୁରୀ ପୋଲିସ ସବୁବେଳେ ଚେଷ୍ଟା ଜାରି ରଖିଛି। ଯଦି ଏଭଳି କୌଣସି ଖବର ମିଳେ ତେବେ ପୋଲିସ ହେଲ୍ପ ଲାଇନ୍କୁ ଜଣାଇବାକୁ ଏସ୍ପି ନିବେଦନ କରିଛନ୍ତି।
ସେହିପରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିବା ସହ ସେହି ଠକେଇରୁ କିପରି ବର୍ତ୍ତିପାରିବେ, ସେ ସମ୍ପର୍କରେ ମଧ୍ୟ ସଚେତନ ହେବାପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ ପୁରୀ ପୁଲିସର ସହାୟତା ନେବାପାଇଁ ସେ ନିବେଦନ କରିଛନ୍ତି।
ପୁରୀ ଯେହେତୁ ଏକ ବିଶ୍ବ ପର୍ଯ୍ୟଟନ ସ୍ଥଳୀ ତେଣୁ ଏଠାରେ ସାଇବର ଠକେଇ ହେବା ସ୍ବାଭାବିକ ଘଟଣା। ତେବେ ଏନେଇ ପୁରୀର ସମସ୍ତ ଗଳିକନ୍ଦିର ମଧ୍ୟ ସଚେତନତାର ଆବଶ୍ୟକତା ରହିଛି। ସାଇବର ଠକେଇ ହେଲେ ତୁରନ୍ତ ୧୯୩୦ ନମ୍ବରକୁ ଜଣାଇବାକୁ କହିଥିଲେ ସମ୍ମାନିତ ଅତିଥି।
ଏହି ଅବସରରେ ହଲିଡେ ରିସର୍ଟ ହୋଟେଲର ପରିଚାଳନା ନିର୍ଦ୍ଦେଶକ ରାଜକିଶୋର ପାତ୍ର, ପୁରୀ ହୋଟେଲ ମେ-ଫେୟାର ହୋଟେଲର ମୁଖ୍ୟ ପରିଚାଳନା ଅଧିକାରୀ ସନ୍ତୋଷ କୁମାର ନାୟକ, ୱାଇଲ୍ଡ ଗ୍ରାସ୍ ରେଷ୍ଟୁରାଣ୍ଟର ମୁଖ୍ୟ ଯୁଗବ୍ରତ କର, ପୂର୍ବତନ ପୌର ସଦସ୍ୟ ବାବୁଲ ପ୍ରସାଦ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିବା ସହ ପୁଲିସର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସିଟି ଡିଏସ୍ପି ହରିପ୍ରସାଦ ପରିଚାଳନା କରିଥିବା ବେଳେ ସମୁଦ୍ରକୂଳ ଥାନା ଆଇଆଇସି ଶ୍ରୀ ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।