News18 Odia Digital
ବ୍ରହ୍ମପୁର: ଅନଲାଇନ ଘର ଭଡ଼ା ଦେଉଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଆପଣ ମଧ୍ୟ ହୋଇପାରନ୍ତି ସାଇବର ଠକେଇର ଶିକାର। ଏଭଳି ସାଇବର ଠକେଇର ଶିକାର ହେବା ପୂର୍ବରୁ ବଞ୍ଚି ଯାଇଛନ୍ତି ବ୍ରହ୍ମପୁରର ଜଣେ ମହିଳା।
ମହିଳା ଜଣକ ହେଲା ବ୍ରହ୍ମପୁର ବୀମା ନଗରର କଳ୍ପନା ସେନାପତି। କଳ୍ପନା ନିଜର ଭୁବନେଶ୍ବରରେ ରହିଥିବା ଏକ ଘରକୁ ଭଡ଼ା ଦେବା ନିମନ୍ତେ ଓଏଲଏକ୍ସ ଆପରେ ଏକ ବିଜ୍ଞାପନ ଦେଇଥିଲେ। ଏହାକୁ ଦେଖି ଜଣେ ଯୁବକ ନିଜକୁ ସେନା କର୍ମଚାରୀ ବୋଲି ପରିଚୟ ଦେଇ ଉକ୍ତ ଘରରେ ଭଡ଼ା ରହିବା ନିମନ୍ତେ ରାଜି ହୋଇଥିଲା। ଏହାସହିତ ତିନି ମାସର ଅଗ୍ରିମ ଭଡ଼ା ଦେବା ପାଇଁ ନେଟ୍ ବେଙ୍କିଙ୍ଗ୍ ମାଧ୍ୟମରେ ଟଙ୍କା ଦେବା ପାଇଁ କହିଥିଲା। କିନ୍ତୁ ନେଟ୍ ବେଙ୍କିଙ୍ଗ୍ ଦ୍ବାରା ଠକେଇ କରିବା ନିମନ୍ତେ ଯୁବକ ଜଣକ ଉଦ୍ୟମ କରିବା ଜାଣିବା ପରେ କଳ୍ପନା ନିଜ ଆକାଉଣ୍ଟରୁ ସମସ୍ତ ଟଙ୍କା ସ୍ବାମୀଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଶେଷରେ ଠକାମିର ଶିକାର ହେବା ପୂର୍ବରୁ ଠକେଇ ପାଇଁ ଉଦ୍ୟମ କରୁଥିବା ଯୁବକକୁ କାହିଁକି ଠକୁଛ ବୋଲି କହିବା ପରେ ସେ ଆଉ କୌଣସି ଉତ୍ତର ନ ଦେଇ ଫୋନ କାଟିଦେଇଥିଲା।
ସେନା କର୍ମଚାରୀର ପରିଚୟ ଦେଇ ଲୁଟିବାକୁ ଉଦ୍ୟମ କରୁଥିଲେ ଯୁବକ। କିନ୍ତୁ ଜଣେ ଉଚ୍ଚ ଶିକ୍ଷିତା ସହ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ଜଣେ ମହିଳା ସାଇବର ଠକେଇରୁ ବଞ୍ଚି ଯାଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ଆମ୍ବପୁଆ ବୀମା ନଗର ଚତୁର୍ଥ ଲାଇନର କଳ୍ପନା ସେନାପତି।
କଳ୍ପନା ଜଣେ ଅଧ୍ୟାପକ ହୋଇଥିବା ବେଳେ ବ୍ରହ୍ମପୁରରେ ଦୀର୍ଘ ଦିନ ହେଲା ରହି ଆସୁଛନ୍ତି। କଳ୍ପନାଙ୍କ ଭୁବନେଶ୍ବର ସୁନ୍ଦରପଦା ଠାରେ ଏକ ଘର ରହିଛି। ତେବେ ଉକ୍ତ ଘରକୁ ଭଡ଼ା ଦେବା ନିମନ୍ତେ କିଛି ଦିନ ପୂର୍ବରୁ ସେ ଓଏଲଏକ୍ସ ମାଧ୍ୟମରେ ଏକ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନକୁ ଦେଖି ଓଏଲଏକ୍ସର ମେସେଞ୍ଜରରେ ହିଁ ଜଣେ ଯୁବକ କଳ୍ପନାଙ୍କ ସହ ଯୋଗାଯୋଗ କରି ଫୋନ ନମ୍ବର ମାଗିଥିଲେ। ଏହାପରେ ଫୋନ ଯୋଗେ ଉକ୍ତ ଯୁବକ କଳ୍ପନାଙ୍କ ସହ କଥା ହୋଇଥିଲେ। ଯୁବକ ଜଣକ ନିଜକୁ ସେନା କର୍ମଚାରୀ ବୋଲି କହିବା ସହିତ ନିଜ ନାମ ପଙ୍କଜ ଶର୍ମା କହିଥିଲେ।
ସେ ଜଣେ ସେନା କର୍ମଚାରୀ ରହିଥିବା ବେଳେ ଲକ୍ଷ୍ନୌରୁ ଭୁବନେଶ୍ବର ବଦଳି ହୋଇଯାଇଛି। ତେଣୁ ଭୁବନେଶ୍ବରର ସୁନ୍ଦରପଦାରେ ଥିବା ଘର ପସନ୍ଦ ଆସିଛି ଆଉ ସେଠାରେ ରହିବୁ ବୋଲି କହିବା ସହିତ ତିନି ମାସର ଅଗ୍ରିମ ଭଡ଼ା ଟଙ୍କା ଦେବା ପାଇଁ ଗୁଗଲ୍ ପେ, ଫୋନ୍ ପେ କିମ୍ବା ପେଟିଏମ୍ ବ୍ୟବହାର କରୁଛ କି ବୋଲି କଳ୍ପନାଙ୍କୁ ପଚାରିଥିଲେ। କିନ୍ତୁ କଳ୍ପନା ଏଥିମଧ୍ୟରୁ କୌଣସି ଆପ୍ ବ୍ୟବହାର କରୁନାହିଁ ବରଂ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପଙ୍କଜଙ୍କୁ କହିଥିଲେ।
‘‘ଏହାପରେ ନେଟ୍ ବେଙ୍କିଙ୍ଗ୍ ଯୋଗେ କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀ ଫୋନ କରି ଟଙ୍କା ପଠାଇବେ ବୋଲି କହିଥିଲେ। କିଛି ସମୟ ପରେ ଅନ୍ୟ ଜଣେ ଯୁବକ ଫୋନ କରିବା ସହିତ ହିନ୍ଦୀରେ ନେଟ୍ ବେଙ୍କିଙ୍ଗ୍ ଓପେନ୍ କରିବା ସହିତ କିଭଳି ଟଙ୍କା ପଠାଯିବ ସେ ନେଇ ମତେ କହିଥିଲେ। ଏହି ସମୟରେ ମୁଁ ନିଜେ ଠକାମିର ଶିକାର ହେବା ନେଇ ଜାଣିବାକୁ ପାଇବା ଯୋଗୁଁ ମୁଁ ନିଜ ଆକାଉଣ୍ଟରେ ରହିଥିବା ସମସ୍ତ ଟଙ୍କା ମୋ ସ୍ବାମୀଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲି। ଶେଷରେ ସମ୍ପୃକ୍ତ ଯୁବକ ଟଙ୍କା ପଠାଇବା ପାଇଁ ଓଟିପି ଲେଖିବାକୁ କହିଥିଲେ। କିନ୍ତୁ ଏହି ସମୟରେ ଓଟିପି ନ ଲେଖି ସାଇବର ଠକାମି କରୁଛ ବୋଲି ତାଙ୍କୁ କହିବା ପରେ ସେ ମୋ ଫୋନ କାଟିଦେଇଥିଲେ,’’ କହିଛନ୍ତି ସାଇବର ଠକାମିରୁ ବଞ୍ଚିଯାଇଥିବା ମହିଳା କଳ୍ପନା ସେନାପତି।
ନେଟ୍ ବେଙ୍କିଙ୍ଗ୍ ଶେଷରେ ଯଦି ଓଟିପି ଲେଖିଥାନ୍ତେ ତେବେ ତାଙ୍କ ଆକାଉଣ୍ଟରେ ରହିଥିବା ସମସ୍ତ ଟଙ୍କା ପଙ୍କଜଙ୍କ ଆକାଉଣ୍ଟକୁ ଚାଲିଯାଇଥାନ୍ତା। ଯେହେତୁ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଠକାମିର ଶିକାର ହେଉଥିବା ଜାଣି ଏଥିରୁ ବଞ୍ଚି ଯାଇଛନ୍ତି। ତେଣୁ ଯେଉଁମାନେ ମଧ୍ୟ ଅନଲାଇନ ମାଧ୍ୟମରେ କିଛି କିଣାବିକା କରୁଛନ୍ତି ତେବେ ସାବଧାନତାର ସହିତ କରନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଛନ୍ତି ସାଇବର ଠକାମିରୁ ବଞ୍ଚିଯାଇଥିବା ମହିଳା କଳ୍ପନା ସେନାପତି।
‘‘ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ବଢ଼ିବା ସହିତ ଠକାମିରେ ମଧ୍ୟ ଅନେକ ଲୋକେ ପଡ଼ିଯାଉଛନ୍ତି। ସାଇବର ଠକମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରି ଲୋକଙ୍କ ଠାରୁ ଟଙ୍କା ଲୁଟି ନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଲୋକେ ସାବଧାନ ହେବା ସହିତ କୌଣସି ପ୍ରକାରର ଟଙ୍କା ନେଣଦେଣ କରିବା ପୂର୍ବରୁ ଅଧିକ ଖୋଳତାଡ଼ କରିବା ଆବଶ୍ୟକ। ଏହାସହିତ କୌଣସି ଓଟିପି କାହାକୁ ଦିଅନ୍ତି ନାହିଁ ଏବଂ ଅନାବଶ୍ୟକ ଭାବେ ନିଜ ମୋବାଇଲ ଓ ମେଲ୍କୁ ଆସୁଥିବା ଲିଙ୍କ୍କୁ କ୍ଲିକ କରନ୍ତୁ ନାହିଁ। ଲୋକେ ସଚେତନ ହେଲେ ହିଁ ସାଇବର ଠକାମିରୁ ନିଜକୁ ବଞ୍ଚାଇପାରିବେ,’’ କହିଛନ୍ତି ବ୍ରହ୍ମପୁର ଏସପି ଡ଼ଃ. ଶ୍ରବଣା ବିବେକ ଏମ।
ସାଇବର ଠକାମିର ଶିକାର ହେବା ପୂର୍ବରୁ ଅଳ୍ପକେ ବଞ୍ଚିଯାଇଛନ୍ତି କଳ୍ପନା। ତେଣୁ ଏଭଳି ଅନଲାଇନ ମାଧ୍ୟମରେ କୌଣସି ସାମଗ୍ରୀ କିଣାବିକା କରିବା ପୂର୍ବରୁ ବାରମ୍ବାର ତଦନ୍ତ କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।