କଟକ: କୁନି ଝିଅର ସ୍ୱାସ୍ଥ୍ୟକୁ ନେଇ ମା’ ଏତେ ଚିନ୍ତିତ ଥିଲେ ଯେ ତାକୁ ମାରି ନିଜେ ଆତ୍ମହତ୍ୟା କଲେ
ତାଙ୍କ ସାନ ଝିଅର ଅପରେସନ୍ କରାଇବା ପରେ ବି ସେ ପୂରା ଭଲ ହେବ ନାହିଁ ବୋଲି ସବୁ ବେଳେ ଭାବୁଥିଲେ ବନସ୍ମିତା । ଲଗାତର ହତାଶାର ଶିକାର ଏହି ମା’ ଶେଷରେ ସାତ ମାସର ଝିଅଟିକୁ ହତ୍ୟା କରି ନିଜେ ପଙ୍ଖାରୁ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।

ସ୍ୱାମୀଙ୍କ ସହ ବନସ୍ମିତା ଓଝା (ଫାଇଲ୍ ଫଟୋ)
- News18 Odia
- Last Updated: December 19, 2020, 10:12 PM IST
କଟକ: କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ଏସ୍.ବି.ଆଇ. କଲେନୀରେ ଘଟିଥିବା ମା ଓ ଝିଅଙ୍କ ମୃତ୍ୟୁ ଘଟଣା ପଛରେ ମୃତା କୁନି ଝିଅଟିର ଖରାପ ସ୍ୱାସ୍ଥ୍ୟାବସ୍ଥା ଥିବା ଜଣାପଡ଼ିଛି । ପୋଲିସ ଶନିବାର ଦିନ ଉଭୟଙ୍କ ମୃତ ଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ୩୬ ବର୍ଷୀୟା ବନସ୍ମିତା ଓଝା ପ୍ରଥମେ ନିଜର ସାତ ମାସର ଶିଶୁ କନ୍ୟାକୁ କ୍ଷତାକ୍ତ କରି ହତ୍ୟା କରିବା ପରେ ନିଜେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି ।
କଟକ ଏସ୍.ବି.ଆଇ. ମୁଖ୍ୟ ଶାଖାରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିବା ବନସ୍ମିତା ଓଝା ଗତ କିଛି ବର୍ଷ ହେଲା ସ୍ଥାନୀୟ ଏସ୍.ବି.ଆଇ. କ୍ବାଟରରେ ରହି ଆସୁଥିଲେ । ସେହି କ୍ବାଟରରେ ସେ ନିଜ ସ୍ବାମୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ । ହସଖୁସିରେ ବନସ୍ମିତାଙ୍କ ପରିବାର ଚଳିଆସୁଥିବା ବେଳେ ସାନ ଝିଅ ଜନ୍ମ ହେବା ପର ଠାରୁ ତା’ ସ୍ବାସ୍ଥାବସ୍ଥାକୁ ନେଇ ସେ ଭୀଷଣ ଚିନ୍ତିତ ରହୁଥିଲେ ।
ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

ବିଡ଼ାନାସୀରେ ଏସ୍.ବି.ଆଇ. କ୍ବାଟରରେ ବନସ୍ମିତା ରହୁଥିଲେ ।
ବନସ୍ମିତା ଜଗତସିଂପୁରରେ ନିଜ ବାପ ଘରୁ ଦୁଇ ଝିଅଙ୍କ ସହ ଗତ ମଙ୍ଗଳବାର ଦିନ କଟକର ନିଜ କ୍ବାଟରକୁ ଫେରିଥିଲେ । ଭୁବନେଶ୍ବରରେ ଏକ ବେସରକାରୀ ନିର୍ମାଣ ସଂସ୍ଥାରେ କାମ କରୁଥିବା ତାଙ୍କ ସ୍ବାମୀ ସକାଳ ୧୦ଟା ବେଳେ ନିଜ ଡିଉଟିକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ଶୁକ୍ରବାର ଅପରାହ୍ଣରେ ବଡ଼ ଝିଅକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଦେବା ପରେ ନିଜ କ୍ୱାଟରର ଦରଜାକୁ ଭିତର ପଟୁ ବନ୍ଦ କରି ହତ୍ୟା ଓ ଆତ୍ମହତ୍ୟା କରିଥିଲେ ବନସ୍ମିତା ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି
ଦୀର୍ଘ ସମୟ ଧରି ତାଙ୍କ କ୍ୱାଟରର କବାଟ ନ ଖୋଲିବାରୁ ପଡ଼ୋଶୀମାନେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଯାହା ଦେଖିଲେ ତାହା ସମସ୍ତଙ୍କ ହୋସ ଉଠାଇ ଦେଇଥିଲା । ଗୋଟିଏ ରୁମର ଖଟ ଉପରେ କ୍ଷତାକ୍ତ ଅବସ୍ଥାରେ ସାତ ମାସ ଶିଶୁ କନ୍ୟାଟିର ମୃତ ଦେହ ପଡ଼ିଥିଲା । ଅନ୍ୟ ରୁମରେ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଥିଲା ବନସ୍ମିତାଙ୍କ ମୃତ ଦେହ ।
ଖବର ପାଇ ବିଡ଼ାନାସୀ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ରାତି ହୋଇଯାଇଥିବାରୁ ଏହି ପ୍ରକୋଷ୍ଠଟିକୁ ସିଲ୍ କରାଯାଇଥିବା ବେଳେ ଶନିବାର ସକାଳୁ ଉଭୟଙ୍କ ମୃତ ଦେହକୁ ଜବତ କରିଥିଲା ପୋଲିସ ।

ବନସ୍ମିତା ଓଝା ଓ ତାଙ୍କ ସାତ ମାସର ଝିଅର ଶବ ତାଙ୍କ କ୍ୱାଟରରୁ ମିଳିଥିଲା ।
‘‘ଆମେ ପହଞ୍ଚିବା ବେଳକୁ ଉଭୟ ମୃତ୍ୟୁ ବରଣ କରି ସାରିଥିଲେ । ବନସ୍ମିତା ପଙ୍ଖାରେ ଝୁଲୁଥିଲେ ଓ ତାଙ୍କ ସାତ ମାସର ଝିଅର ଦୁଇ ହାତର ବଳାଗଣ୍ଠି ଓ ଦୁଇ ଗୋଡ଼ର ଗୋଇଠି କଟାଯାଇଥିବା ଦେଖିଲୁ । ବନସ୍ମିତା ତାଙ୍କ ଝିଅର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାଗସ୍ତ ରହୁଥିଲେ । ସେଥି ପାଇଁ ସେ ପ୍ରଥମେ ନିଜ ଝିଅକୁ ହତ୍ୟା କରି ତା’ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛୁ । ଏ ନେଇ ବିଡ଼ାନାସୀ ଥାନାରେ ଆଇପିସିର ଧାରା ୩୨୬ ଓ ୩୦୨ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛୁ,’’ କହିଛନ୍ତି କଟକର ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ।
ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...
ବନସ୍ମିତାଙ୍କ ସମ୍ପର୍କିୟ ଭାଇ ରଞ୍ଜିତ ପରିଡ଼ା କହିଛନ୍ତି, ‘‘ଆମେ ଯାହା ଅନୁମାନ କରୁଛୁ ତା’ ଅନୁସାରେ ସେ (ବନସ୍ମିତା) ମାନିସିକ ଦୁଶ୍ଚିନ୍ତା ଯୋଗୁଁ ଏମିତକା କାମ କରିଛି । ସାନ ଝିଅର ଅପରେସନ ପରେ ସେ ସବୁ ବେଳେ ଭାବୁଥିଲା ଯେ ଝିଅଟି ଆଉ ଭଲ ହୋଇ ପାରିବ ନାହିଁ ।’’
ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ବିଷୟରେ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ସମ୍ରାଟ କର କହିଛନ୍ତି, ‘‘ବହୁ ସମୟରେ ଦେଖାଯାଇଛି ଯେ ବାପା ମା’ମାନେ ନିଜ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥାନ୍ତି । ଏମିତି ଘଟଣାକୁ ଫିଲିସାଇଡ୍ ବା ଇନଫାଣ୍ଟିସାଇଡ କୁହାଯାଏ । କିଛି କ୍ଷେତ୍ରରେ ଦେଖାଯାଏ ଯେ ଯଦି ପିଲାଟି କୌଣସି କାରଣରୁ କଷ୍ଟ ପାଉଛି ତା’ ବାପା ମା’ମାନେ ତାକୁ ସେହି କଷ୍ଟରୁ ମୁକ୍ତ କରିବାକୁ ଯାଇ ଏହି ଭଳି କାଣ୍ଡ କରିଥାନ୍ତି । ଏମିତି ଚିନ୍ତାଧାରା ବିକଶିତ ହେଲେ ସମ୍ପୃକ୍ତ ପିତାମାତାଙ୍କୁ ତୁରନ୍ତ ଜଣେ ଭଲ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ତାଙ୍କର ଉପଯୁକ୍ତ ଚିକିତ୍ସା ସହ କାଉଁସିଲିଂ କରାଯିବା ଉଚିତ । ତାହେଲେ ଏମିତି ବଡ଼ ଅଘଟଣକୁ ରୋକାଯାଇ ପାରିବ ।’’