ନିରାଶ କଲେ କଟକର ଭୋଟର୍ସ; CMC ନିର୍ବାଚନରେ ମାତ୍ର ୫୪.୭୪ ପ୍ରତିଶତ ମତଦାନ

Municipal Election: ସିଏମସିର ମୋଟ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୦ ହଜାର ୭୫୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ଭୋଟ ଦେଲେ ମାତ୍ର ୨ ଲକ୍ଷ ୪୬ ହଜାର ୬୭୬ ଜଣ।

CMC ନିର୍ବାଚନରେ ମାତ୍ର ୫୪.୭୪ ପ୍ରତିଶତ ମତଦାନ

CMC ନିର୍ବାଚନରେ ମାତ୍ର ୫୪.୭୪ ପ୍ରତିଶତ ମତଦାନ

  • Share this:
News18 Odia Digital

କଟକ: ଗୁରୁବାର ଶେଷ ହୋଇଛି କଟକ ମହାନଗର ନିଗମ ନିର୍ବାଚନ। ସିଏମସି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ଚୂଡ଼ାନ୍ତ ତଥ୍ୟ ମୁତାବକ କଟକ ମହାନଗର ନିଗମ ନିର୍ବାଚନରେ ମୋଟ ୫୪.୭୪ ପ୍ରତିଶତ ମତଦାନ ହୋଇଛି। ଯାହାକି ଆଶା ଠାରୁ ବହୁତ କମ୍ ରହିଛି।

ତେବେ ସିଏମସିର ମୋଟ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୦ ହଜାର ୭୫୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ଭୋଟ ଦେଲେ ମାତ୍ର ୨ ଲକ୍ଷ ୪୬ ହଜାର ୬୭୬ ଜଣ। ୨ ଲକ୍ଷ ୧୯ ହାଜର ୫୯୮ ଜଣ ମହିଳା ଭୋଟଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ୧୫ ହଜାର ୬୯୨ ଜଣ ଭୋଟ ଦେଇଥିବା ବେଳେ ଦୁଇ ଲକ୍ଷ ଏକ ହାଜର ୦୩୦ ଜଣ ପୁରୁଷ ଭୋଟରଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ୩୦ ହଜାର ୪୯୩ ଜଣ ଭୋଟ ଦେଇଥିବା ଜିଲ୍ଲା ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

କିନ୍ନର ଭୋଟକୁ ନେଇ ଆଶ୍ବର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ କଟକ ସହରରେ ୧୩୧ ଜଣ କିନ୍ନର ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବି କେହି ଭୋଟ ଦେଇନାହଁନ୍ତି। ଜିଲ୍ଲା ପ୍ରଶାସନର ଏହି ତଥ୍ୟ ଏକ ବବାଦକୁ ଜନ୍ମ ଦେଇଛି। ଏହି ତଥ୍ୟ ଉପରେ ଆପତ୍ତି ଉଠାଇଛନ୍ତି କଟକ ସହରର କିନ୍ନର।

କଟକ ସହରରେ ବସବାସ କରୁଥିବା ୧୩୧ ଭୋଟରଙ୍କ ମଧ୍ୟରୁ ଅଧିକାଶଂ କିନ୍ନର ୩୮ ନମ୍ବର ୱାର୍ଡରେ ବସବାସ କରନ୍ତି। ଗୁରୁବାର ଦିନ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ୨୭୫ ନମ୍ବର ବୁଥରେ ବହୁ ସଂଖ୍ୟକ କିନ୍ନର ଭୋଟ ଦେଇଥିବା ବେଳେ ପ୍ରଶାସନର ଭୋଟ ଦାନ କରିଥିବା ଲୋକଙ୍କ ମଧ୍ୟରେ ଜଣେ ବି କେହି କିନ୍ନର ନାଁ ନ ଆସିବା ତଥ୍ୟକୁ ସହଜରେ ହଜମ କରାଯାଇ ପାରୁନାହିଁ। ବଡ଼ କଥା ହେଉଛି ଯେ କିନ୍ନର ସମାଜର ପ୍ରତିନିଧି ଭାବେ ୩୮ ନମ୍ବର ୱାର୍ଡରୁ ସ୍ବାଧିନ ପ୍ରାର୍ଥୀ ଭାବେ ତନୁଶ୍ରୀ କିନ୍ନର ନିର୍ବାଚନ ଲଢ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ବା ନିର୍ବାଚନ ଅଧିକାରୀଙ୍କ ଏହି ତଥ୍ୟକୁ ନେଇ ସେ ନିଜେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

"ଜିଲ୍ଲା ପ୍ରଶାସନର ଏହି ତଥ୍ୟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ମୁଁ ମୋର ଅନେକ କିନ୍ନର ସମର୍ଥକଙ୍କ ସହ ନିଜେ ବୁଥକୁ ଯାଇ ଭୋଟ ଦେଇଛି। ପ୍ରମାଣ ସ୍ବରୂପ ବୁଥରେ ଆମ ହାତରେ କାଳି ମଧ୍ୟ ଲଗାଯାଇଛି। ଏବେ କହୁଛନ୍ତି କେହି ଜଣେ ବି କିନ୍ନର ଭୋଟ ଦେଇନାହାଁନ୍ତି। ତେବେ ଆମ ଭୋଟଟି କଣ ମିଛ,’’ ବୋଲି ପ୍ରଶ୍ନ କରି ନ୍ୟୁଜ ୧୮ ଡିଜିଟାଲକୁ କହିଛନ୍ତି ତନୁଶ୍ରୀ କିନ୍ନର।

ସେପଟେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ କୁମାର ଖଣ୍ଡାୟତରାୟଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘‘ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ପାଇଁ ଏପରି ତଥ୍ୟ ଆସିଥାଇ ପାରେ। ଏହାକୁ ନିରିକ୍ଷଣ କରାଯିବ।"

କେବଳ ଏହିକି ନୁହେଁ ବରଂ ସିଏମସି ନିର୍ବାଚନର କେତେ ପ୍ରତିଶତ ମତଦାନ ହେଲା। ଭୋଟ ଦାନ କାର୍ଯ୍ୟ ଶେଷ ହେବା ପରେ ଏହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଥିଲା। ସନ୍ଧ୍ୟା ସମୟରେ ସିଏମସିରେ ମୋଟ ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପ୍ରେସ୍ ରିଲିଜ୍ ଜାରି କରିଥିବା ବେଳେ ରାତି ୧୦ଟା ବେଳକୁ ଏହି ତଥ୍ୟ ପୁଣି ଥରେ ପରିର୍ତ୍ତିତ ହୋଇଯାଇଥଲା। ଚୂଡ଼ାନ୍ତ ତଥ୍ୟ ମୁତାବକ କଟକ ମହାନଗର ନିଗମ ନିର୍ବାଚନରେ ମୋଟ ୫୪.୭୪ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଗଣମାଧ୍ୟମକୁ ଦିଆଯାଇଥିଲା।
Published by:Lipina Das
First published: