କଟକ ସନ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା: ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ହସ୍ପିଟାଲକୁ ବନ୍ଦ କଲା ପ୍ରଶାସନ
କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ କଟକ ସହରରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ସଂଖ୍ୟା ବର୍ତ୍ତମାନ ୩୫୦ରୁ ଉର୍ଦ୍ଧ୍ବ ରହିଛି । କିନ୍ତୁ ମାତ୍ର ଦୁଇଟି ହସ୍ପିଟାଲକୁ ଛାଡ଼ି ଅନ୍ୟ କାହାରି ପାଖରେ ଅଗ୍ନିଶମ ନିରାପତ୍ତା ଲାଇସେନ୍ସ ନାହିଁ ।

ସନ୍ ହସ୍ପିଟାଲକୁ ଅସ୍ଥାୟୀ ଭାବେ ବନ୍ଦ କଲା ପ୍ରଶାସନ
- News18 Odia
- Last Updated: February 11, 2021, 11:59 AM IST
କଟକ: ସନ୍ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟଣାର ଦୀର୍ଘ ଦିନ ପରେ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣଯାଇଛି । ଅଗ୍ନିକାଣ୍ଡ ପରେ ହୋଇଥିବା ତଦନ୍ତରୁ ସମ୍ପୃକ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଲାଇସେନ୍ସ ନଥିବା ସ୍ପଷ୍ଟ ହେବା ପରେ ସନ ହସ୍ପିଟାଲକୁ ବନ୍ଦ କରିବା ପାଇଁ କଟକ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେଠାରେ ସମସ୍ତ ପ୍ରକାର ଚିକିତ୍ସା ଉପରେ ମଧ୍ୟ ରୋକ ଲାଗାଯାଇଛି ।
ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏବେ ସହରରେ ଥିବା ଅନ୍ୟ ହସ୍ପିଟାଲଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଜାଞ୍ଚ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ଏହି କ୍ରମରେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯିବ ଓ ସେହି ଟିମ ସହରର ବିଭିନ୍ନ ହସ୍ପିଟାଲଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଜାଞ୍ଚ କରିବ ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ କୁହାଯାଇଛି ।
"ସନ୍ ହସ୍ପିଟାଲକୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । କିନ୍ତୁ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତାକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଗୋଟିଏ ମଲ୍ଡି କମିଟି ଡିପାର୍ଟମେଣ୍ଟାଲ ଟିମ୍ ଆମେ ଗଠନ କରିବୁ, ଯେଉଁ ଟିମ ବେସରକାରୀ ହସ୍ପିଟାଲଗୁଡ଼ିକୁ ଜାଞ୍ଚ କରିବ ଓ ଖିଲାପିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ
କଟକ ସହରରେ ଛତୁ ଫୁଟିଲା ଭଳି ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ରହିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏଗୁଡ଼ିକର ସଂଖ୍ୟା ବର୍ତ୍ତମାନ ୩୫୦ରୁ ଉର୍ଦ୍ଧ୍ବ ହେବ । କିନ୍ତୁ ମାତ୍ର ଦୁଇଟି ପ୍ରତିଷ୍ଠିତ ହସ୍ପିଟାଲକୁ ବାଦ ଦେଲେ ଅନ୍ୟ କହା ପାଖରେ ଏବେବି ବି ଅଗ୍ନିଶମ ନିରାପତ୍ତା ଲାଇସେନ୍ସ ନାହିଁ । ବିଶେଷ କରି ସହରର ଅନେକ ହସ୍ପିଟାଲଗୁଡ଼ିକ ଯିବା ପାଇଁ ପ୍ରଶସ୍ତ ରାସ୍ତା ତ ଦୂରର କଥା ସେଠାରେ ଆମ୍ବୁଲାନ୍ସକୁ ଯିବା ପାଇଁ ମଧ୍ୟ ସମୟ ସାପେକ୍ଷ ହୋଇଥାଏ । ଗଳି ରାସ୍ତାରେ ହସ୍ପିଟାଲଗୁଡ଼ିକ ଥିବାରୁ ସେଠାକୁ ସହଜରେ ଦମକଳ ପ୍ରବେଶ କରିବା ମଧ୍ୟ ଅସମ୍ଭବ ।
ଜିଲ୍ଳା ପ୍ରଶାସନର ଏହି ନିର୍ଦ୍ଦେଶନାମା ପରେ ଚିହିଁକି ଉଠିଛନ୍ତି ବେସରକାରୀ ହସ୍ପିଟାଲ କତ୍ତୃପକ୍ଷ । ଅଗ୍ନିଶମ ନିରାପତ୍ତା ଲାଇସେନ୍ସ ପାଇଁ ଥିବା ମାନ ଦଣ୍ଡ ଅତି କଠୋର ଓ ଏହାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା କାଠିକର ପାଠ ବୋଲି ସେସମାନେ କହିଛନ୍ତି ।
"ଦେଖନ୍ତୁ କଟକ ସହରରେ ଏମିତି ଶହ ଶହ ହସ୍ପିଟାଲ ରହିଛି ଯାହାକି ୨୫ରୁ ୩୦ ବର୍ଷ ପୁରୁଣା । ଏବେକା ଭଳି ସେତେବେଳେ ଅଗ୍ନି ନିରାପତ୍ତା ନିୟମ ଏତେ କଡ଼ାକଡ଼ି ନଥିଲା । କିନ୍ତୁ ଏବେ ହସ୍ପିଟାଲ ଚଲାଇବା ପାଇଁ ଫାୟାର ଲାଇନ୍ସ କଥା କୁହାଯାଉଛି । ଫାୟାର ଲାଇସେନ୍ସ ପାଇଁ ଯେଉଁ ମାନଦଣ୍ଡ ରଖାଯାଇଛି ସେ ସବୁକୁ ପୂରା କରିବା ଆମ ପାଇଁ ସମ୍ଭବ ନୁହେଁ । ତଥାପି ଆମେ ଯାହା ପାରୁଛୁ କରୁଛି । ଏହା ପରେ ଯଦି ଫାୟାର ସେଫ୍ଟି ଲାଇସେନ୍ସ ନଥିଲା ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କହୁଛନ୍ତି, ତା ହେଲେ ସବୁ ଯାକ ହସ୍ପିଟାଲ ବନ୍ଦ ହୋଇଯିବ," କହିଛନ୍ତି ଇଣ୍ଡିଆନ୍ମେଡିକାଲ ସଂଘର ସଦସ୍ୟ ତଥା ଦି-ବ୍ରେନ୍ର ମାଲିକ ଡାକ୍ତର ସମ୍ରାଟ କର ।
କଟକ ସହରରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । ଗତ ୩ ବର୍ଷ ମଧ୍ୟରେ ୪ଟି ହସ୍ପିଟାଲରେ ନିଆଁ ଲାଗିଛି । କିନ୍ତୁ ଅଗ୍ନିକାଣ୍ଡ ପରେ ପ୍ରତିଥର ତଦନ୍ତ ହୁଏ । ତଦନ୍ତରୁ ସେହି ହସ୍ପିଟାଲର ଅଗ୍ନିନିରାପତ୍ତା ଲାଇସେନ୍ସ ନଥିବା ଜଣା ପଡ଼ିଥାଏ । ଓ କିଛି ଦିନ ପରେ ସମ୍ପୃକ୍ତ ହସ୍ପିଟାଲ ଉପରେ ଏହି ଭଳି କାର୍ଯ୍ୟାନୁଷ୍ଠାନ ହୋଇଥାଏ । କିନ୍ତୁ ଦିନ କେଇଟାର ହଟଚମଟ ପରେ ପ୍ରଶାସନର ନିର୍ଦ୍ଦେଶନାମା ଶିତଳ ଭଣ୍ଡାରକୁ ଚାଲିଯାଉଛି ।