ଟିକା ନେବା ପାଇଁ ଆଗ୍ରହ ଦେଖାଉନାହାଁନ୍ତି କଟକବାସୀ (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: କୋଭିଡ ସ୍ଥିତରେ ସାମାନ୍ୟ ସୁଧାର ଆସିବା ପରେ ସମ୍ପୂର୍ଣ୍ଣ ଢିଲା ପଡ଼ି ଯାଇଛନ୍ତି ଲୋକେ । ପରିସ୍ଥିତି ଏପରି ସୃଷ୍ଟି ହୋଇଛି ଯେ ଲୋକେ ମାସ୍କ ପିନ୍ଧିବା ଅଭ୍ୟାସ ଛାଡ଼ି ସାରିଥିବା ବେଳେ ଏବେ ଟୀକା ନେବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ବିଶେଷ କରି ୧୮ରୁ ୫୯ ବର୍ଷ ବୟସ ବର୍ଗରେ ବୁଷ୍ଟର ଡୋଜ ଟିକା କ୍ଷେତ୍ରରେ କଟକ ଜିଲ୍ଲାରେ ଏକ ବିରାଟ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ବିଶେଷ କରି କଟକ ଏସସିବିର ଟୀକା କେନ୍ଦ୍ରରେ ଏବେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । କିଛି ମାସ ତଳେ ଏସସିବିର ଟିକା କେନ୍ଦ୍ର ସାମନାରେ ଲୋକଙ୍କ ଲମ୍ବା ଲାଇନ ତଥା ଗହଳି ଦେଖିବାକୁ ମିଳୁଥିବା ବେଳେ ଏବେ କିନ୍ତୁ ସେଠାରେ ଖାଁ ଖାଁ ପରିସ୍ଥିତି । ଟିକା ଦେବା କାର୍ଯ୍ୟରୁ ଫୁରସତ ମିଳୁନଥିବା ସେବିକାମାନେ ଏବେ ହିତାଧିକାରୀଙ୍କ ବାଟକୁ ଚାହିଁ ବସୁଛନ୍ତି । ନିର୍ଦ୍ଧିଷ୍ଟ ସମୟରେ ଟିକା କେନ୍ଦ୍ର ଖୋଲୁଛି ସତ ହେଲେ ଟିକା ନେବା ପାଇଁ ଲୋକଙ୍କ ଭତରେ ଆଗ୍ରହ କମି ଯାଇଥିବାରୁ ବହୁତ କମ ସଂଖ୍ୟାକ ଲୋକ ହିଁ ଟିକା କେନ୍ଦ୍ରକୁ ଆସୁଛନ୍ତି ।
"ଟିକା ନେଉଥିବା ଲୋକମାନଙ୍କ ମଧ୍ୟରେ କୋଭିଡ ଯୋଦ୍ଧା, ୬୦ ବର୍ଷରୁ ଅଧିକ ବର୍ଷର ନାଗାରିକଙ୍କ ସଂଖ୍ୟା ଅଧିକ। ୧୧ ରୁ ୧୪ ଓ ୧୫ ରୁ ୧୮ ବୟସ ବର୍ଗର ପିଲାଙ୍କ ପାଇଁ ମାଗଣା ଟିକାର ବ୍ୟବସ୍ଥା କରିଥିଲେ ମଧ୍ୟ ଟିକା ନେଉଥିବା ବିଭିନ୍ନ ବର୍ଗର ମଧ୍ୟରୁ ଏହି ଦୁଇ ବର୍ଗର ସଂଖ୍ୟା ବହୁତ କମ," କହିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।
ଟୀକା ନେବା କ୍ଷେତ୍ରରେ ସବୁ ଠାରୁ ବଡ଼ ଅବହେଳା ପ୍ରଦର୍ଶନ କରୁଛନ୍ତି ୧୮ରୁ ୫୯ ବର୍ଷ ବୟସ ବର୍ଗ ଲୋକ। ବିଶେଷ କରି ଦ୍ବିତୀୟ ଡୋଜ ଟୀକା ନେଇଥବା ଓ ଏବେ ବୁଷ୍ଟର ଡୋଜ ଟୀକା ପାଇଁ ଯୋଗ୍ୟ ବିବେଚିତ ହେଉଥିବା ଏହି ବର୍ଗର ଲୋକେ ବୁଷ୍ଟର ଡୋଜ ଟିକା ପ୍ରତି ବିଶେଷ ଦେଖାଉନାହାଁନ୍ତି। ଏହି ବର୍ଗର ବୁଷ୍ଟର ଡୋଜ ଟିକା ଆଉ ପୂର୍ବ ଭଳି ମାଗଣା ଦିଆଯାଉନଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ସହରର ୫ଟି ବେସରକାରୀ ହସ୍ପିଟାଲରେ ଏହି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ବୁଷ୍ଟର ଡୋଜ ଟୀକା ଦାନ ବ୍ୟବସ୍ଥାକୁ ଅଧିକ ଲୋକଙ୍କୁ ଆକର୍ଷିତ କରି ପାରିନାହିଁ । ଏପରିକି ୧୭ରୁ ୫୯ ବର୍ଷ ବୟସ ବର୍ଗରେ କଟକ ଜିଲ୍ଲାର ପ୍ରାୟ ୧୬ ଲକ୍ଷ ଲୋକ ବୁଷ୍ଟର ଟୋଜ ପାଇବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତ ବି ଟୀକା ନେଇନଥିବା କହିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
"୧୮ ରୁ ୫୯ ବର୍ଷ ବୟସ ବର୍ଗ ଟୀକା ଦାନ କାର୍ଯ୍ୟ ଆମ ଜିଲ୍ଲାରେ ଅତି ନୈରାଶ୍ୟଜନକ ସ୍ଥିତି ରହିଛି । ଆଶା କରାଯାଉଛି କି ଲୋକମାନେ ସଚେତନ ହେବେ ଆଉ ସମସ୍ତେ ଆସି ସଠିକ ସମୟରେ ଟିକା ନେବେ," କହିଛନ୍ତି କଟକ ଜିଲ୍ଲା ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଉମେଶ ରାୟ ।
Published by:Soumya Das
First published: