ଜୋର ଧରିଲା ବେଆଇନ ମାଞ୍ଜା ସୂତା ଧରପକଡ଼ ଅଭିଯାନ; ୧୧୨ ନମ୍ବରକୁ ଫୋନ୍ କରିବାକୁ DCPଙ୍କ ଅପିଲ୍

"ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ । ସହରରେ ଯଦି କେହି ବେଆଇନ ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରୁଥାଏ ତେବେ ଲୋକେ ଏସମ୍ପର୍କ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରକୁ ଫୋନ କରି ଜଣାନ୍ତୁ । ଆମେ ସେମାନଙ୍କ ନାମକୁ ଗୋପନ ରଖିବୁ," ନିକଟରେ କହିଥିଲେ କଟକ ଡିସିପି ପ୍ରତିକ ସିଂ।

କଟକରେ ଜୋର ଧରିଲା ବେଆଇନ ମାଞ୍ଜା ସୂତା ଧରପକଡ଼ ଅଭିଯାନ

କଟକରେ ଜୋର ଧରିଲା ବେଆଇନ ମାଞ୍ଜା ସୂତା ଧରପକଡ଼ ଅଭିଯାନ

  • Share this:
News18 Odia Digital

କଟକ: କଟକରେ ଜୋର ଧରିଛି ବେଆଇନ ମାଞ୍ଜା ସୂତା ଧରପକଡ଼ ଅଭିଯାନ। ମାଞ୍ଜା ସୂତାରେ କଟକ ଜଗତପୁର ବାସିନ୍ଦା ଜୟନ୍ତ ସାମଲଙ୍କ ମୃତ୍ୟୁ ଘଟଣାକୁ ଅତି ଗୁରୁତର ସହ ନେଇ ସହରର ମାଞ୍ଜା ସୂତା ବିକ୍ରି ଓ ବ୍ୟବହାରକାରୀଙ୍କ ସାବାଡ଼ କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି କମିଶନେଟ ପୋଲିସ। ଏହି କ୍ରମରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବସ୍ତାବସ୍ତା ବେଆଇନ ମାଞ୍ଜା ସୂତା ସହ ନଟେଇ ଓ ଗୁଡ଼ି ଇତ୍ୟାଦିକୁ ଜବତ କରିଛି।

"ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ । ସହରରେ ଯଦି କେହି ବେଆଇନ ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରୁଥାଏ ତେବେ ଲୋକେ ଏସମ୍ପର୍କ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରକୁ ଫୋନ କରି ଜଣାନ୍ତୁ । ଆମେ ସେମାନଙ୍କ ନାମକୁ ଗୋପନ ରଖିବୁ," ନିକଟରେ କହିଥିଲେ କଟକ ଡିସିପି ପ୍ରତିକ ସିଂ।

ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର କରିବା ନେଇ କଟକର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରିଛି ପୋଲିସ । ଏହା ସହ ସୋମବାର ଦିନ ୧୪ ଜଣ ଗୁଡ଼ି ବ୍ୟବସାୟୀଙ୍କୁ ବିଭିନ୍ନ ଥାନାରେ ଅଟକ ମଧ୍ୟ ରଖାଯାଇଥିଲା । ହେଲେ ମଙ୍ଗଳବାର ଦିନ ସମସ୍ତଙ୍କୁ ନୋଟିସ କରି ଛାଡ଼ି ଦେଇଛି ପୋଲିସ। ତେବେ ବେଆଇନ ମାଞ୍ଜା ସୂତା ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ପୋଲିସ କେବଳ ନୋଟିସ କରି ଛାଡ଼ି ଦେବାରୁ ଏହାକୁ ନେଇ ସହରବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

କଟକରେ ଜୋର ଧରିଛି ବେଆଇନ ମାଞ୍ଜା ସୂତା ଧରପକଡ଼ ଅଭିଯାନ


"ମାଞ୍ଜା ସୂତା ବିକ୍ରି ସହିତ ବ୍ୟବହାର ଉପରେ ହାଇ କୋର୍ଟ ରୋକ ଲଗାଇଛନ୍ତି । ଏହା ପରେ ବି ସେଗୁଡ଼ିକ ଖେଲା ମେଲାରେ ବିକ୍ରି ହେଉଛି । ପୋଲିସ ବେଆଇନ ସୂତା ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ କଠୋର ଦଫାରେ ଗରିଫ କରାଯାଇ ଜେଲ ହାଜତକୁ ପଠା ଗଲେ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଭଳି ହେବ ଓ ଭବିଷ୍ୟତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ କେହି ବି ଏହି ବେଆଇନ ସୂତାକୁ ବ୍ୟବହାର କରିବେ ନାହିଁ,’’ କହିଥିଲେ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ।

ମକର ସଂକ୍ରାନ୍ତି ସମୟରେ କଟକରେ ଗୁଡ଼ି ଉଡ଼ାଇବାର ପରମ୍ପରା ବହୁତ ପୁରୁଣା । ପୂର୍ବରୁ ସହର ବାସିନ୍ଦା ହାତ ତିଆରି ମାଞ୍ଜା ବ୍ୟବହାର ଗୁଡ଼ି ଉଡ଼ାଉଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା ମେସିନ୍ ମାଞ୍ଜା ଦିଆ ପ୍ଳାଷ୍ଟିକ ସୂତା ପ୍ରଚଳନରେ ଆସିଛି । ଏହି ସୂତା ଅତି ଶକ୍ତ ହୋଇଥିବା ବେଳେ ଏଥିରେ ଦିଆଯାଇଥିବା ମାଞ୍ଜା ଏହି ସୂତାକୁ ଅତି ମାରାତ୍ମକ କରି ଦେଉଛି। ଫଳସ୍ବରୂପ ପ୍ରତିବର୍ଷ ଏହି ମାଞ୍ଜା ସୂତାରେ କଟି ଲୋକେ ଆହତ ହେଉଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ଚାଲି ଯାଉଛି।
Published by:Lipina Das
First published: