ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମହଙ୍ଗା ପଡ଼ିଲା 'କିଆ କାର' ପ୍ରେମ; ନକଲି ଡାକ୍ତରଙ୍କୁ ଗିରଫ କଲା କଟକ ପୋଲିସ

ମହଙ୍ଗା ପଡ଼ିଲା 'କିଆ କାର' ପ୍ରେମ; ନକଲି ଡାକ୍ତରଙ୍କୁ ଗିରଫ କଲା କଟକ ପୋଲିସ

କଟକ ପାଇକ ସାହି ବାସିନ୍ଦା ଶ୍ରୀଧର ରାଉତ ନିଜ ମନରେ ଜଣେ ସମ୍ମାନସ୍ପଦ ଲୋକ ଭାବେ ପରିଚିତ ହୋଇ ବିପୁଳ ଅର୍ଥ ରୋଜଗାର କରିବାର ଆଶା ବାନ୍ଧିଥିଲେ। ଡାକ୍ତର ହେବାର ନିଶା ତାକୁ ଏମିତି ଘାରିଲା ଯେ ପାଲଟି ଗଲା ନକଲି ଡାକ୍ତର ।

ମହଙ୍ଗା ପଡ଼ିଲା 'କିଆ କାର' ପ୍ରେମ; ନକଲି ଡାକ୍ତରଙ୍କୁ ଗିରଫ କଲା କଟକ ପୋଲିସ
ଅଭିଯୁକ୍ତ ଶ୍ରୀଧର ରାଉତ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 19, 2021, 4:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଡାକ୍ତର ହେବାର ସ୍ବପ୍ନ ତ ଅନେକ ଲୋକ ଦେଖିଥାନ୍ତି । କିନ୍ତୁ କିଛି ବ୍ୟକ୍ତି ଏମିତି ଥାନ୍ତି ଯେଉଁମାନେ କି ନିଜକୁ ଡାକ୍ତରର ପରିଚୟ ଦେଇ ସମାଜରେ ସମ୍ମାନ ଜନକ ସ୍ଥାନ ପାଇବା ସହିତ ଏକ ବିପୁଳ ଅର୍ଥର ଅଧିକାରୀ ହୋଇ ଏକ ବିଳାସପୂର୍ଣ୍ଣ ଜୀବନ ବିତାଇବା ନିଜ ଇଚ୍ଛା କରିଥାନ୍ତି । ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି କଟକ ପାଇକସାହିରେ।

କଟକ ପାଇକ ସାହି ବାସିନ୍ଦା ଶ୍ରୀଧର ରାଉତ ନିଜ ମନରେ ଜଣେ ସମ୍ମାନସ୍ପଦ ଲୋକ ଭାବେ ପରିଚିତ ହୋଇ ବିପୁଳ ଅର୍ଥ ରୋଜଗାର କରିବାର ଆଶା ବାନ୍ଧିଥିଲେ। ଡାକ୍ତର ହେବା ପାଇଁ ଯେଉଁ ପରିଶ୍ରମ ଓ ଅଧ୍ୟବସାୟ କରିବାକୁ ପଡ଼ିଥାଏ ତାହା ତାଙ୍କ ଦ୍ବାରା ସମ୍ଭବ ହୋଇ ପାରିଲା ନାହିଁ । କିନ୍ତୁ ଡାକ୍ତର ହେବାର ନିଶା ତାକୁ ଏମିତି ଘାରିଲା ଯେ ପାଲଟି ଗଲା ନକଲି ଡାକ୍ତର । ପ୍ରାଇଭେଟ ପ୍ରାକ୍ସିଟସ୍ କରି ନୁହେଁ ବରଂ ଠକେଇ କରି ମଉଜ ମଜଲିସ୍ କରିବା ଥିଲା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ।

କେବଳ ସେତିକି ନୁହେଁ ନକଲି ଡାକ୍ତର ହେବା ସହିତ ନିଜର "କିଆ" କାର ଚଳାଇବାର ଇଚ୍ଛାକୁ ବି ସେ ପୁରଣ କଲେ। ଏଥିପାଇଁ ସେ ଠକେଇର ସମସ୍ତ ସୀମା ଲଙ୍ଘି ଯାଇଥିଲେ ଶ୍ରୀଧର । ଶେଷରେ ତାଙ୍କର ସେହି ନିଶା ହିଁ ତାକୁ ଜେଲ ହାଜତକୁ ପଠାଇବାର ବାଟ ଖୋଲି ଦେଲା। ବାଦାମବାଡ଼ି ପୋଲିସ ଏହି ନକଲି ଡାକ୍ତର, ବହୁ ନାମଧାରୀ ତଥା ପେସାଦାର ଠକ ଶ୍ରୀଧର ରାଉତକୁ ଗିରଫ କରିବା ପରେ ତାର ଦ୍ବାରା ହୋଇଥିବା ନିଆରା ଠକେଇ ଘଟଣା ସମନାକୁ ଆଣିଛି।

ଡାକ୍ତର ସିଦ୍ଧାର୍ଥ ସାର୍ଥକ ନାମକ ଜଣେ ଯୁବକ ନିଜକୁ "ପାଟନା ଏମ୍ସ"ରେ ଡାକ୍ତର ଥିବା ଦର୍ଶାଇ ଗତ ଜୁଲାଇ ମାସରେ ବଜ୍ରକବାଟି ରୋଡ ସ୍ଥିତ "ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ"ରୁ "କିଆ" କାର କିଣିବା ୧୬ ଲକ୍ଷ ୫୦ ହଜାର ଟଙ୍କାର କାର ଲୋନ୍ ନେଇଥିଲା । ତେବେ ଋଣ ଦେବା ପରେ ସିଦ୍ଧାର୍ଥ ବ୍ୟାଙ୍କରେ ଦାଖଲ କରିଥିବା ସମସ୍ତ କାଗଜପତ୍ର ନକଲି ଓ ସେହି ନାମଧାରୀ କୌଣସି ବ୍ୟକ୍ତି ପାଟନା ଏମ୍ସରେ ଡାକ୍ତର ନଥିବା ଜାଣିବାକୁ ପାଇଥିଲେ ବ୍ୟାଙ୍କ କତ୍ତୃପକ୍ଷ । ଏହା ପରେ ବ୍ୟାଙ୍କ ଠକେଇର ଶିକାର ହୋଇଥିବା ଜାଣିପାରି ଗତ ୧୬ତାରିଖ ଦିନ କଟକ ବଜ୍ରକବାଟି ରୋଡ ସ୍ଥିତ "ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ" କତ୍ତୃପକ୍ଷ ବାଦାମବାଡ଼ି ଥାନାରେ ଏତାଲା ଦେଇଥିଲେ ।

ଏହି ଏତାଲା ପାଇବା ପରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଯାହା ସବୁ ତଥ୍ୟ ସାମାନକୁ ଆସିଥିଲା ତାହା ଥିଲା ବେଶ ଚାଞ୍ଚଲ୍ୟକର । ନକଲି କାଗଜପତ୍ର ଦେଇ ରୋଡ ସ୍ଥିତ "ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ"ରୁ ଋଣ ନେଇଥିବା ଡାକ୍ତର ସିଦ୍ଧାର୍ଥ ସାର୍ଥକ ଥିଲା ବାସ୍ତବିକ ଏକ ପେସାଦର ଠକ ଏବଂ ତାର ପ୍ରକୃତ ନାମ ଶ୍ରୀଧର ରାଉତ । କିନ୍ତୁ ସେ ସିଦ୍ଧାର୍ଥ ସାର୍ଥକ ଓ ସିଦ୍ଧାନ୍ତ ସ୍ବୟଂ ସାର୍ଥକ ଭଳି ବିଭିନ୍ନ ନାମରେ ନିଜର ପରିଚୟ ସୃଷ୍ଟି କରିଥିଲା ବ୍ୟାଙ୍କରୁ ଋଣ ଆଣି ମଉଜ କରିବା ଥିଲା ତାଙ୍କର ଏକ ମାତ୍ର କାର୍ଯ୍ୟ ।

"ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ" ଋଣ ନେବା ସମୟରେ ସେ ବ୍ୟାଙ୍କରେ ଦାଖଲ କରିଥିବା କାଗଜ ପତ୍ରରେ ନିଜକୁ ଡାକ୍ତର ସିଦ୍ଧାର୍ଥ ସାର୍ଥକ ସହିତ ବାପାଙ୍କ ନାମକୁ ରମେଶ ରାଉତ ବଦଳରେ କୁମାର ଉଲ୍ଲେଖ କରିଥିଲା । କିନ୍ତୁ ନିଜର ଅସଲି ଠିକଣା କଟକ ପାଇକସାହି ବୋଲି ଦର୍ଶାଇ ଥିଲା । ତେବେ ପୋଲିସ ସେହି ଠିକଣାରେ ରେଡ କରିବା ପରେ ଏହି ଠକର ଅସଲ କାରନାମା ବାବଦରେ ଜଣା ପଡ଼ିଥିଲା ।

ଏହା ସହିତ ବ୍ୟାଙ୍କ ଋଣ ଅର୍ଥରେ କିଣାଯାଇଥିବା ଏକ "କିଆ" କାର, ଭିନ୍ନ ଭିନ୍ନ ନାଁରେ ଥିବା ୧୧ଟି ଏଟିଏମ କାର୍ଡ, ଦୁଇଟି ନକଲି ଆଧାର କାର୍ଡ, ୧୦ଟି ବ୍ୟାଙ୍କ ପାସ୍ ବୁକ୍, ଡାକ୍ତର ସିଦ୍ଧାନ୍ତ ସାର୍ଥକ ଲେଖଥିବା "ପାଟଣା ଏମ୍ସ"ର ୪ଟା ରବର ଷ୍ଟାମ୍ପ୍, ନକଲି ଡାକ୍ତରର ପରିଚୟ ପତ୍ର, ରକ୍ତଚାପ ମାପିବା ଯନ୍ତ୍ର, ଏକ ଷ୍ଟୋଥସ୍କୋପ୍ ଭଳି ଡାକ୍ତରମାନେ ବ୍ୟବହାର କରୁଥିବା ଅନେକ ଉପକରଣ ଜବତ କରାଯାଇଛି ।

"ତଦନ୍ତରୁ ଆମେ ଜାଣିବାକୁ ପାଇଛୁ କି ଶ୍ରୀଧର ନାୟକ ୨୦୧୯ ମସିହାରେ ଭୁବନେଶ୍ବରଠାରେ ଥିବା ଏକ ବ୍ୟାଙ୍କରୁ ସମାନ ଢଙ୍ଗରେ ଠକେଇ କରି ଏକ କିଆ କାର କିଣିଥିଲା । ସେହି ମାମଲାରେ ଗିରଫ ହୋଇ ଯେ ଜେଲ ଯାଇଥିଲା । ଜେଲରୁ ଜାମିନରେ ଫେରିବା ପରେ କିଆ କାର ଚଢିବା ଇଚ୍ଛାକୁ ପୁରଣ କରିବାକୁ ଚାହିଁଥିଲା । ସେଥିପାଇଁ ସେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଏହି ଋଣ ନେବାରେ ସଫଳ ହୋଇଥିଲା । ଖାଲି ସେଥିକି ନୁହେଁ ୧୦ ଲକ୍ଷ ଟଙ୍କା ଏକ "ପର୍ସନାଲ୍ ଲୋନ୍" ପାଇଁ ବିଭିନ୍ନ ବ୍ୟାଙ୍କରେ ଆବେଦନ ପତ୍ର ମଧ୍ୟ ଦାଖଲ କରିଥିଲା," କହିଛନ୍ତି ବାଦାମବାଡି ଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ର ।

ପୋଲିସ ସୂତ୍ରରୁ ମିଳିଥିବା ଆଉ ଏକ ସୂଚନା ମୁତାବକ ଶ୍ରୀଧର ପୂର୍ବ ଥର କଟକ ସ୍ଥିତ କିଆ ସୋ' ରୁମରୁ ସେ କାର କିଣିଥିଲା । କିନ୍ତୁ ସମ୍ପୃକ୍ତ ସୋ ରୁମ ତାକୁ ବ୍ଲାକ୍ ଲିଷ୍ଟେଡ୍ କରିଥିବା ତଥା ସେ ଧରା ପଡ଼ିଯିବା ଆଶଙ୍କା କରି ସେ କଟକ ବଦଳରେ ରାଉରକେଲା ସ୍ଥିତ କିଆ ସୋ' ରୁମରୁ କାରଟି କିଣି ଥିଲା । ଏପରିକି ପୋଲିସ ଜେରା ସମୟରେ ବିଦେଶରେ ଡାକ୍ତରୀ ପାଠ ପଢିବା ଲାଗି ପାଇଁ ଚେଷ୍ଟା କରିଥିବା କଥା ମଧ୍ୟ ପୋଲିସକୁ କହିଥିବା ଜଣା ପଡ଼ିଛି ।
Published by: Soumya Das
First published: November 19, 2021, 4:12 PM IST