News18 Odia Digital
କଟକ: କଟକ କୁତାଖାଇ ଗଳି ବାସିନ୍ଦା ବି.ଗୁଣବତୀ ରାଓଙ୍କୁ କିଏ ହତ୍ୟା କଲା ଓ କାହିଁକ ହତ୍ୟା କଲା? ହତ୍ୟାକାଣ୍ଡର ତିନି ଦିନ ପରେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଖୋଜି ପାଉନାହିଁ ପୋଲିସ। ସେପଟେ ଯୋଉଁ ଭଳି ଭାବେ ଜଣେ ମହିଳାଙ୍କ ତାଙ୍କ ଘରେ ପଶି ହତ୍ୟା କରାଗଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
କେବଳ ଭୟ ନୁହେଁ ବରଂ ଅଭିଯୁକ୍ତମାନେ ଧରା ନପଡ଼ିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି। ଫଳସ୍ବରୁପ ସ୍ଥାନୀୟ ଅଞ୍ଚଳର ଲୋକେ କଟକ ଡିସିପିଙ୍କୁ ଭେଟି ଏହି ଘଟଣା ତଦନ୍ତକୁ ଜୋରଦାର କରିବା ସହ କୁତାଖାଇ ଗଳି ଓ ଏହାର ଆଖପାଖରେ ପୋଲିସର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
"ଗତ ମାସ ଭିତରେ ସେହି ଅଞ୍ଚଳରେ ତିନି ତିନିଟି ଅପରାଧ ଘଟିଲାଣି। ଫଳରେ ଆମକୁ ବେଶୀ ଭୟ ଲାଗୁଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୋଲିସ ଯଥାଶୀଘ୍ର ଗରିଫ କରୁ ଆମେ ଡିସିପିଙ୍କ ନିକଟରେ ଏହି ଦାବି କରିଛୁ," କହିଛନ୍ତି ସ୍ଥାନୀୟ ବାସିନ୍ଦା ଆଇ.ସୁଭ୍ରମଣିୟମ।
ସେପଟେ ଏହି ମାମଲାର ତଦନ୍ତ କରୁଥିବା ଲାଲବାଗ ଥାନା ପୋଲିସକୁ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସେହି ସୁରାକ ଗୁଡ଼ିକ କଣ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ହତ୍ୟାକାରୀ ଯେ ବି.ଗୁଣବତୀଙ୍କ ଘର ଓ ପରିବାର ସହିତ ଘନିଷ୍ଟ ଭାବେ ଜଡ଼ିତ ଥିବା ଜଣା ପଡ଼ିଛି। ଏହା ସହ ଏହି ହତ୍ୟାକାଣ୍ଡ ଏକ ସମ୍ପୂର୍ଣ୍ଣ ଭାବେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ତାହା ମଧ୍ୟ ପୋଲିସର ତଦନ୍ତରୁ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅନେକ ଲୋକଙ୍କୁ ପୋଲିସ ଜେରା କରୁଥିବା ବେଳେ କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ଚିହ୍ନଟ କରିଥିବା କଥା ଜଣାପଡ଼ଛି।
"ଏହି ମାମଲା ତଦନ୍ତ ଠିକ ଦିଗରେ ଚାଲିଛି। ଆମେ କିଛି କ୍ଲୁ ପାଇଛୁ। ତଥାପି ତଦନ୍ତ ସମୟ ସାପେକ୍ଷ। କିନ୍ତୁ ଖୁବ ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ," କହିଛନ୍ତି କଟକ ଡିସିପି।
ପ୍ରକାଶ ଥାଉକି ଗତ ୧୫ ତାରିଖ ଦିନ ଅପରାହ୍ନରେ ଘରେ କେହି ନଥିବା ସମୟରେ କେହି ଦୁର୍ବୁତ୍ତ ବି.ଗୁଣବତୀଙ୍କ ଘରେ ପଶି ତାଙ୍କୁ ଗଳାକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।