ସାକାର ହେବ ତ କଟକର ନବକେଳବର ସ୍ବପ୍ନ? ସହରବାସୀଙ୍କ ମତାମତ ୫୦-୫୦ ବିଭକ୍ତ

ଐତିହାସିକ କଟକ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାର ଏହି ସଦ୍ୟ ପ୍ରଚ଼େଷ୍ଟା ଆରମ୍ଭ ହେବା ପୂର୍ବରୁ ସହରରେ ଯେତେ ପ୍ରକଳ୍ପ ଲମ୍ବା ସମୟ ଧରି ଅଧୁରା ପଡିଛି ପ୍ରଥମେ ସେସବୁ କାର୍ଯ୍ୟ ଶେଷ କରାଯାଉ ବୋଲି ମତ ଦେଇଛନ୍ତି ଅନେକ କଟକବାସୀ ।

ସାକାର ହେବ ତ କଟକର ନବକେଳବର ସ୍ବପ୍ନ? ସହରବାସୀଙ୍କ ମତାମତ ୫୦-୫୦ ବିଭକ୍ତ
ମେଗା ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଅବସରରେ ମହାନଦୀ ପଠାରେ ନବୀନ ପଟ୍ଟନାୟକ
  • News18 Odia
  • Last Updated: January 27, 2020, 12:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡ଼ିଶାର ମିଲେନିୟମ୍‌ ସିଟି କଟକକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ଓ ପ୍ରଶାସନର ଉଚ୍ଛେଦ ପାଇଁ ଆରମ୍ଭ ହୋଇଥିବା ପ୍ରସ୍ତୁତି ପରେ ଏହାକୁ ନେଇ ସାରା ସହରରେ ଚ଼ାଲିଛି ଚ଼ର୍ଚ୍ଚା । ଅନେକ ଲୋକ ମୁଖ୍ୟ ମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ଏହି ଐତିହାସିକ ସହର ତା’ର ହୃତ ଗୌରବ ଫେରି ପାରିବ ବୋଲି କହୁଥିବା ବେଳେ କିଛି ଲୋକ ଏହାର କାର୍ଯ୍ୟକାରିତା ଓ ସଫଳତାକୁ ନେଇ ଗଭୀର ସନ୍ଦେହ ପ୍ରକାଶ କରିଛନ୍ତି ।

କଥାରେ ଅଛି ‘‘କଟକ ନଗର ଧବଳ ଟଗର’’ । କଟକ ସହରର ଚ଼ାକଚ଼କ୍ୟ ଦେଖି ଅନେକ ବର୍ଷ ତଳେ ଏହି କଥାଟି ପ୍ରଚ଼ଳିତ ଥିଲା । କିନ୍ତୁ ସମୟ କ୍ରମେ ସହରର ଜନସଂଖ୍ୟା ବୃଦ୍ଧି ପାଇବା ସହ ସହରର ପରିମଳ, ଜଳନିଷ୍କାସନ ଓ ଗମନାଗମନ ଭଳି ସମସ୍ୟା ସବୁ ବୃଦ୍ଧି ପାଇ ରାଜ୍ୟର ଏହି ପୁରାତନ ରାଜଧାନୀର ସୌନ୍ଦର୍ଯ୍ୟକୁ ଛାରଖାର କରି ଦେଇଥିଲା ।

ଜାଇକା ପ୍ରକଳ୍ପର ଯନ୍ତ୍ରଣାରେ ଦୀର୍ଘ ପାଞ୍ଚ ବର୍ଷ ହେଲା କଟକବାସୀ ଛଟପଟ ହେଉଛନ୍ତି । ସହରରେ ମଶାଙ୍କ ଉତ୍ପାତ ମଧ୍ୟ ଆଦୌ କମି ନାହିଁ । ସହରରେ ବିଭିନ୍ନ ସ୍ଥାନରେ ନବନିର୍ମିତ ସ୍ବାସ୍ଥ୍ୟ କେନ୍ଦ୍ର ଅଛି, କିନ୍ତୁ ସେଠାରେ ଡାକ୍ତରଙ୍କୁ ନିଯୁକ୍ତି ମିଳି ନାହିଁ । ଏହି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ କଟକ ମହନଗର ନିଗମ କିଛି କରୁଥିବା ଭଳି ମନେ ହେଉନଥିବା ଅଭିଯୋଗ କରିଛନ୍ତି କଟକର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି । ଏ ସବୁ ସମସ୍ୟା ଭିତରେ ସହରକୁ ସରସସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ପରିକଳ୍ପନା ସ୍ବପ୍ନ ଭଳି ଲାଗୁଥିବା କହିଛନ୍ତି ସହରବାସୀ ।

‘‘କଟକ ସହରରେ ଯେତିକି କାମ ଅଧୁରା ପଡିଛି ପ୍ରଥମେ ସେହି ସବୁ କାର୍ଯ୍ୟ ଶେଷ କରାଯାଉ । ଯୋଜନା ପ୍ରସ୍ତୁତ ହେବା ଠିକ୍‌ କଥା, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଅନେକ ପ୍ରତିବନ୍ଧକ ଆସିବ । ସେଗୁଡ଼ିକର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ତ? ଆଗକୁ କଟକରେ ମହନଗର ନିଗମ ନିର୍ବାଚନ ଥିବାରୁ ଏହା ଏକ ନିର୍ବାଚନ ଭେଳିକି ବୋଲି ଲାଗୁଛି,’’ କହିଛନ୍ତି ଆଇନଜୀବୀ ତଥା କଟକ ବାସିନ୍ଦା ଦିବ୍ୟଜ୍ୟୋତି ସାମଲ ।

କଟକ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନର ମୁଖ୍ୟତଃ ତିନୋଟି ଦିଗ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଏସସିବି ମେଡିକାଲ କଲେଜ ଓ ହସପିଟାଲକୁ ବିଶ୍ବସ୍ତରୀୟ କରିବା ଓ ଦ୍ବୀତିୟଟି ହେଉଛି ସହରର ବ୍ୟସ୍ତବହୁଳ ରିଂ ରୋଡକୁ ଛଅ ଲେନ୍ ବିଶିଷ୍ଟ କରିବା । ତୃତୀୟ ଦିଗଟି ହେଉଛି ମହାନଦୀ ପଠାରେ ବାହାରିଥିବା ୪୨୧ ଏକର ସ୍ଥାନରେ ପର୍ଯ୍ୟଟନ, ବୈଷୟିକ ଶିକ୍ଷା, ଉଦ୍ୟାନ, ତାରକା ହୋଟେଲ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆଦି ନିର୍ମାଣ କରିବା ।

‘‘ହଜାରେ ବର୍ଷର ଏହି ଐତିହାସିକ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ଦୀର୍ଘ ଦିନ ଧରି ଥିଲା । ଏହା ଦ୍ବାରା ସହରର ସୌନ୍ଦର୍ଯୀକରଣ ହେବା ସହ ସହରବାସୀଙ୍କୁ ଅନେକ ସୁବିଧା ସୁଯୋଗ ମଧ୍ୟ ମିଳିପାରିବ । କିନ୍ତୁ ଏହି ପ୍ରକଳ୍ପଗୁଡ଼ିକର ପରିଚାଳନା ପାଇଁ ଜଣେ ଦକ୍ଷ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯିବା ଉଚ଼ିତ,‘‘ କହିଛନ୍ତି କଟକ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ।

ମହାନଦୀ ପଠାକୁ ଆସି ଏସସବି ମେଡିକାଲ, କଟକ ସହର ଓ ମହାନଦୀ ପଠାରେ ହେବାକୁ ଥିବା ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ସ୍ୱୟଂମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ପ୍ରସ୍ତୁତି ବେଳେ ଲୋକଙ୍କ ମତାମତକୁ ଗୁରୁତ୍ବ ଦିଆଯିବ ଓ ଏଥି ପାଇଁ ଅଭିଜ୍ଞ ଟାଉନ୍ ପ୍ଲାନରମାନଙ୍କୁ ନିଯୁକ୍ତ କରାଯିବ ବୋଲି କହିଥିଲେ ସେ । ଏହା ବ୍ୟତୀତ ସହରର ଐତିହ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ଓ ସହରରେ ଏକ ସବୁଜ ବଳୟ ମଧ୍ୟ ସୃଷ୍ଟି ବୋଲି କହିଥିଲେ ମୁଖ୍ୟ ମନ୍ତ୍ରୀ ।
First published: January 27, 2020, 12:32 PM IST