କଟକ: ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଯୋଗୁଁ ବନ୍ଧୁ ହେଲା ବୈରୀ, ଟାଙ୍ଗିଆରେ ହାଣି ହତ୍ୟା କଲା

ଅଭିଯୁକ୍ତ ସୁରଥ ଓ ମୃତକ ସୌମେନ୍ଦ୍ରଙ୍କ ଘର ଗୋଟିଏ ସାହିରେ । ଉଭୟଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲେ ବି ଗତ ୫ ବର୍ଷ ହେଲା ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ହେଲେ ସୁରଥର ପତ୍ନୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲା ସୌମେନ୍ଦ୍ର ।

କଟକ: ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଯୋଗୁଁ ବନ୍ଧୁ ହେଲା ବୈରୀ, ଟାଙ୍ଗିଆରେ ହାଣି ହତ୍ୟା କଲା
ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ତଦନ୍ତ କରୁଛି ।
  • News18 Odia
  • Last Updated: September 22, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନିଜ ବନ୍ଧୁଙ୍କୁ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ପଦାରେ ପଡ଼ିଯିବା ପରେ ସେହି ବନ୍ଧୁଙ୍କ ହାତରେ ଯାଇଛି ଜଣେ ବ୍ୟକ୍ତିଙ୍କ ପ୍ରାଣ । କଟକ ସଦର ଥାନାରେ ଅଞ୍ଚଳରେ ଘଟିଥିବା ଏହି ଚର୍ଚ୍ଚିତ ତଥା ଲୋମ ହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବା ପରେ ସାମନାକୁ ଆସଛି ଏହି ତଥ୍ୟ ।

ଗତ ୧୮ ତାରିଖ ଦିନ କଟକ ସଦର ଥାନା ଅନ୍ତର୍ଗତ ମହୁରା ଗାଁର ସୌମେନ୍ଦ୍ର ଦାସ (୪୦) ହଠାତ କେଉଁ ଆଡ଼େ ନିଖୋଜ ହୋଇଗଲେ । ଏ ନେଇ ସୌମେନ୍ଦ୍ରଙ୍କ ବଡ଼ ଭାଇ ସଦର ଥାନାରେ ଏକ ମିସିଙ୍ଗ୍‌ ରିପୋର୍ଟ ଦାଖଲ କରିଥିଲେ । ତେବେ ସୌମେନ୍ଦ୍ର ଏମିତି ହଠାତ ନିଖୋଜ ହୋଇଥିବା ଘଟଣାକୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ ଗାଁ ଲୋକେ । ସୌମେନ୍ଦ୍ରଙ୍କ ଚାରିତ୍ରିକ ଦୋଷ ପାଇଁ ତାଙ୍କୁ ସେହି ଗାଁର ସୁରଥ ସାମଲ ଓ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ନେଇ ଗାଁରେ ଟୁପୁରୁ ଟାପୁରୁ ମଧ୍ୟ ଆରମ୍ଭ ହୋଇଥିଲା ।

ଗାଁ ଲୋକେ ନିକଟସ୍ଥ ବିଭିନ୍ନ ସ୍ଥାନ ଖୋଜାଖୋଜି କରି ବିଫଳ ହେଲେ । ତା’ପରେ ୨୦ ତାରିଖରେ ସୌମେନ୍ଦ୍ରଙ୍କ ଭାଇ ପୁଣି ଥରେ ସଦର ଥାନାର ଦ୍ୱାରସ୍ଥ ହୋଇ ନିଜ ଗାଁ ବାସିନ୍ଦା ସୁରଥ ସାମଲ (୫୦) ଓ ତାଙ୍କ ସ୍ତ୍ରୀ ରୀତା (୪୫) ସୌମେନ୍ଦ୍ରଙ୍କୁ ହତ୍ୟା କରି ମୃତ ଦେହକୁ କେଉଁ ଆଡ଼େ ଫିଙ୍ଗି ଦେଇଥିବା କହି ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ପୋଲିସ ତଦନ୍ତ ।

ଦୁଇ ସନ୍ଦିଗ୍ଧ ସୁରଥ ଓ ତାଙ୍କ ପତ୍ନୀ ରୀତାକୁ ଧରି ଆଣି ଥାନାରେ ଜେରା କରିଥିଲା ପୋଲିସ । ଜେରାରେ ସନ୍ଦିଗ୍ଧ ସୁରଥ ଓଗାଳି ଥିଲା ସତ । ସେ ସୌମେନ୍ଦ୍ରଙ୍କୁ ହତ୍ୟା କରି ତାଙ୍କ ମୃତ ଦେହକୁ ଗାଁ ମୁଣ୍ଡରେ ଥିବା ଏକ ଚାଷ ଜମିରେ ଫିଙ୍ଗି ଦେଇଥିବା ପୋଲିସକୁ କହିଥିଲା । ଏହା ପରେ ଘଟଣା ସ୍ଥଳକୁ ଛୁଟି ଥିଲା ପୋଲିସ ।

ହତ୍ୟାକାଣ୍ଡ ସ୍ଥଳ ନିକଟରେ ପୋଲିସ ଟାଙ୍ଗିଆ ବି ଜବତ କରିଛି ।


ଖୋଜାଖୋଜି ପରେ ସୁରଥ ଜେରାରେ ଦର୍ଶାଇଥିବା ସ୍ଥାନରୁ ମିଳିଥିଲା ସୌମେନ୍ଦ୍ରଙ୍କ କ୍ଷତବିକ୍ଷତ ମୃତ ଦେହ । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଟାଙ୍ଗିଆକୁ ମଧ୍ୟ ଘଟଣା ସ୍ଥଳରୁ ଜବତ କରିଥିଲା ପୋଲିସ । ହତ୍ୟା ଅଭିଯୋଗରେ ସୁରଥକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ସହଯୋଗ କରିବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ପୋଲିସ ତା’ ପତ୍ନୀ ରୀତାକୁ ଗରିଫ କରିଥିଲା ।

ମିଳିଥିବା ସୁଚନା ମୁତାବକ ଉଭୟ ଅଭିଯୁକ୍ତ ସୁରଥ ଓ ମୃତକ ସୌମେନ୍ଦ୍ର ଥିଲେ ଚାଷୀ । ଗୋଟିଏ ସାହିରେ ଥିଲା ଉଭୟଙ୍କ ଘର ଓ ସମ୍ପର୍କରେ ଥିଲେ ପୁତୁରା ଓ ଦାଦା । ଏହା ସହିତ ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଥିଲା । ଉଭୟ ଏକାଠି ହୋଇ ଭାଗଚାଷ କରି ଚଳୁଥିଲେ । କିନ୍ତୁ କୌଣସି କାରଣରୁ ଗତ ପାଞ୍ଚ ବର୍ଷ ହେଲା ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

ମୃତ ସୌମେନ୍ଦ୍ର ସିନା ସୁରଥ ଠାରୁ ଅଲଗା ହୋଇଯାଇଥିଲା, କିନ୍ତୁ ସୁରଥର ପତ୍ନୀ ସହିତ ତା’ର ଅନୈତିକ ସମ୍ପର୍କ ସ୍ଥାପିତ ହୋଇଥିଲା । ସେଇଥି ପାଇଁ ସୁରଥ ଘରେ ନ ଥିବା ସମୟରେ ସୌମେନ୍ଦ୍ର ନିୟମିତ ଭବେ ତାଙ୍କ ଘରକୁ ଯାଉଥିଲା । ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟ ଚାଲୁଥିବା ବେଳେ କିଛି ଦିନ ତଳେ ସୁରଥ ଏ ବାବଦରେ ଜାଣିବାକୁ ପାଇଥିଲା । ରାଗରେ ପଞ୍ଚମ ହୋଇ ପତ୍ନୀ ରୀତାକୁ ପଚାରିବାରୁ ସେ ମଧ୍ୟ ଏହାକୁ ସ୍ବୀକାର କରିଥିଲା ଓ ସୌମେନ୍ଦ୍ର ତାକୁ ହଇରାଣ କରୁଥିବା ସ୍ବାମୀକୁ କହିଥିଲା ।

ଏହା ପରେ ସୌମେନ୍ଦ୍ରକୁ ସବୁ ଦିନ ଲାଗି ସଫା କରିଦେବା ପାଇଁ ଉଭୟ ସ୍ବାମୀ ଓ ସ୍ତ୍ରୀ ରଚିଥିଲେ ଏକ ଷଡ଼ଯନ୍ତ୍ର । ହତ୍ୟାକାଣ୍ଡର ଗୋଟିଏ ସପ୍ତାହ ପୂର୍ବରୁ ସୌମେନ୍ଦ୍ରକୁ ଚେତାବନୀ ଦେଇଥିଲା ସୁରଥ । କହିଥିଲା, “ତୁ ଆଜି ଠୁ ମୋ’ ଟାର୍ଗେଟରେ ରହିଲୁ.. ବହୁତ ଶୀଘ୍ର ମୁଁ ମୋ’ ଟାର୍ଗେଟ୍‌ ପୂରା କରିବି ।’’

ଏହାର ଜବାବରେ ସୌମେନ୍ଦ୍ରର ଉତ୍ତର ଥିଲା, “ଜୋର ଯା’ର ମୁଲକ ତାର…” । ସୌମେନ୍ଦ୍ରକୁ ହତ୍ୟା କରିବା ପାଇଁ ସୁଯୋଗ ଉଣ୍ଡୁ ଥିବା ସୁରଥ ଗତ ୧୮ ତାରିଖ ଦିନକୁ ବାଛିଥିଲା । ବିଲରେ ପାଣି ମଡ଼ାଇବା ପାଇଁ ସେ ସୌମେନ୍ଦ୍ର୍ରକୁ ଡାକିଥିଲା । ସକାଳ ପ୍ରାୟ ସାଢେ ୧୦ଟା ବେଳେ ଉଭୟ ସାଙ୍ଗ ହେଇ ଗାଁ ମୁଣ୍ଡରେ ଥିବା ବିଲକୁ ଯାଇଥିଲେ ।

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ସେଇଠି ହୋଇଥିଲା ଉଭୟଙ୍କ ମଧ୍ୟରେ ଶେଷ ବଚସା । ସୌମେନ୍ଦ୍ର ସୁରଥକୁ ତାଚ୍ଛଲ୍ୟ କରି ପଚାରିଥିଲା, “ଟାର୍ଗେଟ ପୂରଣ କରିବୁ ବୋଲି କହିଥିଲୁ ପରା… କେବେ ପୂରଣ କରିବୁ?” ଏତିକି ବେଳେ ସୁରଥ ନିଜ ହାତରେ ଧରିଥିବା ଟାଙ୍ଗିଆରେ ସୌମେନ୍ଦ୍ରର ମୁଣ୍ଡକୁ ଏକ ଶକ୍ତ ଆଘାତ ଦେଇଥିଲା । ଘଟଣା ସ୍ଥଳରେ ହିଁ ସୌମେନ୍ଦ୍ରର ପ୍ରାଣ ବାୟୁ ଉଡି ଯାଇଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ଟାଙ୍ଗିଆକୁ ନିକଟରେ ଥିବା ଏକ ଦଳଭର୍ତ୍ତି ପୋଖରୀରେ ଫିଙ୍ଗିବା ସହ ମୃତ ଦେହକୁ ଘୋଷାରି ଘୋଷାରି ଏକ ଚାଷ ଜମିରେ ଫିଙ୍ଗି ଚାଲି ଆସିଥିଲା ସେ ।



“ଏହି ହତ୍ୟା ମାମଲାରେ ଆମେ ସୁରଥ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ଏହି ହତ୍ୟାକାଣ୍ଡରେ ସହଯୋଗ କରିବା ଅର୍ଥାତ ହତ୍ୟା ପାଇଁ ସୁରଥକୁ ଟାଙ୍ଗିଆ ଦେବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ତା’ ପତ୍ନୀ ରୀତା ସାମଲକୁ ବି ଗିରଫ କରିଛୁ । ସୁରଥର ପୁଅ ଓ ବୋହୁ ଫେରାର ଥିବାରୁ ସେମାନଙ୍କ ଉପରେ ଆମର ସନ୍ଦେହ ବଢ଼ିଛି । ସେ ଦୁହିଁଙ୍କୁ ଧରିବା ପାଇଁ ବି ଉଦ୍ୟମ ଆରମ୍ଭ ହୋଇଛି,” କହିଛନ୍ତି ଏହି ମାମଲାର ତଦନ୍ତ କରୁଥିବା ସଦର ଥାନାର ଜଣେ ପୋଲିସ ଅଧିକାରୀ ।
Published by: Anand Shankar Thankur Das
First published: September 22, 2020, 11:59 PM IST
corona virus btn
corona virus btn
Loading