କଟକ: ମୋବାଇଲ୍ ଫୋନ୍ ଓ DTH ରିଚାର୍ଜ ଆଳରେ ଗ୍ରାହକଙ୍କ ଠାରୁ ₹୫ କୋଟି ଠକିଥିବା ଇଞ୍ଜିନିଅର୍ ଗିରଫ
ବି.ଟେକ୍ ପାସ କରିଥିବା ବିପ୍ର ସ୍ୱାଇଁ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରୁଥିଲା । କିନ୍ତୁ କୌଣସି କାରଣରୁ ସେ ସେଠାରୁ ତଡ଼ା ଖାଇବା ପରେ ନିଜ ପ୍ରଯୁକ୍ତି ବିଦ୍ୟାଲବ୍ଧ ଜ୍ଞାନକୁ ଠକେଇ କାର୍ଯ୍ୟରେ ଲଗାଇଥିଲା । ତାକୁ ଜଲଦି ରିମାଣ୍ଡରେ ଆଣିବ ପୋଲିସ ।

ବିପ୍ର ସ୍ୱାଇଁ
- News18 Odia
- Last Updated: March 16, 2021, 9:59 PM IST
କଟକ: ମୋବାଇଲ୍ ଫୋନ୍ ଓ ଡି.ଟି.ଏଚ୍. ରିଚାର୍ଜ କରିବା ଆଳରେ ଗ୍ରାହକମାନଙ୍କ ସହ ଏକ ବଡ଼ ଧରଣର ଠକେଇର ପର୍ଦ୍ଦାଫାସ କରିଛି କଟକ ପୋଲିସ । ଗ୍ରାହକମାନଙ୍କ ଠାରୁ ପ୍ରାୟ ପାଞ୍ଚ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ସ୍ଥାନୀୟ ବୟାଳିଶ ମୌଜାର ବିପ୍ର ସ୍ବାଇଁଙ୍କୁ ଗିରଫ କରିଛି ।
ସ୍ୱାଇଁ ମୋବାଇଲ୍ ଫୋନ୍ ଓ ଡି.ଟି.ଏଚ୍. ରିଚାର୍ଜ କରିବା ଆଳରେ ଗ୍ରାହକମାନଙ୍କୁ ଲୋଭନୀୟ ଅଫର ଦେଇ ସେମାନଙ୍କ ଠାରୁ ଟଙ୍କା ଠକିଥିଲା । ତା’ ଠକେଇର ଶିକାର ହୋଇଥିଲେ ରାଜ୍ୟର ପ୍ରାୟ ୮୦ ହଜାର ଲୋକ । ଏହି ମହା ଠକେଇ ନେଇ ଥାନାରେ ଅଭିଯୋଗ ହେବା ପରେ ସ୍ୱାଇଁ ଫେରାର ହୋଇଯାଇଥିଲା । ତାକୁ ଧରିବା ପରେ ମଙ୍ଗଳବାର ଦିନ ଗରିଫ କରି କୋର୍ଟ ଚାଲଣ କରିଛି ପୋଲିସ । ତା’ ଠାରୁ ଛଅଟି କମ୍ପ୍ୟୁଟର ସହ ଠକେଇ ସହ ଜଡ଼ିତ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

କଟକ ଡିସପି ପ୍ରତୀକ ସିଂ
ପୋଲିସ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ଗତ ବର୍ଷ ଜୁଲାଇ ମାସରେ ‘ସାଙ୍ଗଭି ଇନଣ୍ଟରପ୍ରାଇଜର୍’ ନାମକ ଏକ କମ୍ପାନୀ ଖୋଲିଥିଲା ବିପ୍ର । ଏହି କମ୍ପାନୀ ମୋବାଇଲ ଫୋନ୍ ଓ ଡି.ଟି.ଏଚ୍. ରିଚାର୍ଜ କରିବା ପାଇଁ ଲୋକଙ୍କୁ ଲୋଭନୀୟ ଅଫର ଦେଇଥିଲା । ସେଥି ମଧ୍ୟରେ ଥିଲା ମୋବାଇଲ୍ ରିଚାର୍ଜ ପାଇଁ ବାର୍ଷିକ ମାତ୍ର ୯୯୯ ଟଙ୍କା ଓ ଡି.ଟି.ଏଚ୍. ରିଚାର୍ଜ ପାଇଁ ବାର୍ଷିକ ୧,୪୯୯ ଟଙ୍କାର ଅଫର୍ । ଏହି ଅଫର ଜରିଆରେ ଗ୍ରାହକଙ୍କ ଠାରୁ ଏକା ଥରେ ଟଙ୍କା ନେଇ ବର୍ଷକ ଯାକ ସେମାନଙ୍କର ରିଚାର୍ଜ କରିବା ପାଇଁ ପ୍ରତିଶୃତି ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍
ଏହି ଅଫର ସବୁ ଅତି ଆକର୍ଷଣୀୟ ହୋଇଥିବାରୁ ଗ୍ରାହକଙ୍କ ସଂଖ୍ୟା ଖୁବ୍ ଜଲଦି ବୃଦ୍ଧି ପାଇଥିଲା । ବ୍ୟବସାୟ ଭଲ ହେଉଥିବାରୁ ଏହାକୁ ରାଜ୍ୟବ୍ୟାପୀ କରିବା ପାଇଁ ସ୍ୱାଇଁ ପ୍ରାୟ ୮୦୦ ଏଜେଣ୍ଟଙ୍କୁ ନିୟୋଜିତ କରିଥିଲା । ମାତ୍ର ପାଞ୍ଚ ମାସ ମଧ୍ୟରେ ତା’ର ଗ୍ରାହକଙ୍କ ସଂଖ୍ୟା ୮୦ ହଜାର୍ ପାର କରି ଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ
ଝାଡ଼ଖଣ୍ଡର ଏସ୍.ଏମ୍.ପି.ଏଲ୍. ନାମକ ଏକ କମ୍ପାନୀ ଠାରୁ ଫ୍ରାଞ୍ଜାଇଜି ଆଣି ସ୍ୱାଇଁ ଗ୍ରାହକଙ୍କୁ ରିଚାର୍ଜ ଅଫର ଦେଉଥିଲା । ହେଲେ ସେହି କମ୍ପାନୀ ସ୍ୱାଇଁ ଦ୍ବାରା ଗ୍ରାହକଙ୍କ ଠାରୁ ଆଗୁଆ ଅର୍ଥ ସଂଗ୍ରହ କରିବା ଭଳି ବେଆଇନ କାର୍ଯ୍ୟକଳାପ ବାବଦରେ ଅବଗତ ହେବା ପରେ ତା’ ସହ ନିଜ ସମ୍ପର୍କ ଛିନ୍ନ କରିଥିଲା । ତା’ପରେ ରାତାରାତି ବଡ଼ ଲୋକ ହେବାର ସ୍ବପ୍ନ ଦେଖି ସେହି ସ୍ୱପ୍ନକୁ ସାକାର କରିବାକୁ ବେଆଇନ ଅର୍ଥ ସଂଗ୍ରହ ଆରମ୍ଭ କରିଥିବା ସ୍ୱାଇଁର ପତନ ଆରମ୍ଭ ହୋଇଥିଲା ।
ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ
ଅନେକ ଲୋକଙ୍କୁ ଠାରୁ ଟଙ୍କା ଉଠାଇସାରିଥିବା ସ୍ୱାଇଁର କମ୍ପାନୀ ‘ସାଙ୍ଗଭି ଏଣ୍ଟରପ୍ରାଇଜର୍’ ଗ୍ରାହକଙ୍କୁ ଆଉ ରିଚାର୍ଜ ସୁବିଧା ଦେଇ ପାରି ନ ଥିଲା । ଫଳରେ ଗ୍ରାହକମାନଙ୍କ ଅସନ୍ତୋଷ ବଢିଥିଲା । ଏପରିକି ଏଜେଣ୍ଟମାନେ ମଧ୍ୟ ନିଜ ନିଜ କମିଶନ ନ ପାଇ ଗ୍ରାହକଙ୍କର ଆକ୍ରୋଶର ଶିକାର ହେବା ପରେ ଗତ ଫ୍ରେବୃଆରି ୫ ତାରିଖରେ କଟକ ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ ।
ବି.ଟେକ୍ ପାସ କରିଥିବା ବିପ୍ର ସ୍ୱାଇଁ ଦେଶର ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରୁଥିଲା । କିନ୍ତୁ କୌଣସି କାରଣ ଯୋଗୁଁ ସେ ସେଠାରୁ ତଡ଼ା ଖାଇବା ପରେ ନିଜ ପ୍ରଯୁକ୍ତି ବିଦ୍ୟାଲବ୍ଧ ଜ୍ଞାନକୁ ଠକେଇ କାର୍ଯ୍ୟରେ ଲଗାଇଥିଲା । ଏବେ ତା’ର ଠକେଇ ସାମ୍ରାଜ୍ୟ ବାବଦରେ ତଥ୍ୟ ହାସଲ କରିବା ସହିତ ଏହି ମାମଲା ସରଜମିନ୍ ତଦନ୍ତ ପାଇଁ ତାକୁ ପୁଣି ଥରେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।