ପୁରୀରୁ କଟକ ବହୁତ ଦୂର! ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ଆସି ନିଜେ ଶବ ହୋଇ ଫେରିଲେ
ବେଳାଭୂମିରେ ବୁଲୁବୁଲୁ ତାଙ୍କର ଡେରି ହୋଇଯାଇଥିଲା । ସେ ସ୍ୱର୍ଗଦ୍ୱାରକୁ ଫେରି ଦେଖନ୍ତି ତ ଗ୍ରାମ ଲୋକମାନେ ସେଠାରେ ନ ଥିଲେ । ତାଙ୍କ ପାଖରେ ମୋବାଇଲ୍ ଫୋନ୍ ନ ଥିବାରୁ କେହି ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ ।

ଶରତ ଗୋଛାୟତ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନର ଏକ ଦୃଶ୍ୟ
- News18 Odia
- Last Updated: February 2, 2021, 11:59 PM IST
ପୁରୀ: ନିଜ ଗ୍ରାମରୁ ଜଣେ ଆତ୍ମୀୟଙ୍କ ଶବ ନେଇ ସେ ଆସିଥିଲେ ସ୍ୱର୍ଗଦ୍ୱାରରେ ଦାହ କରିବା ପାଇଁ, ହେଲେ ଦାହ ସାରି ନିଜେ ଆଉ ଫେରିଲେ ନାହିଁ ଘରକୁ । ତାଙ୍କ ଶବ ହିଁ ପହଞ୍ଚିଲା ଘରେ । ଏମିତି ଏକ ଅଭାବନୀୟ ଘଟଣା ଯୋଗୁଁ ଉଭୟ ପୁରୀ ଓ କଟକରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ନିକଟ କୋରପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ୩୧ ଜାନୁଆରୀରେ ପରଲୋକ ହୋଇଥିଲା । ଗାଁ ପରମ୍ପରା ଅନୁଯାୟୀ ଆତ୍ମୀୟ ସ୍ୱଜନ ଓ ସମ୍ପର୍କୀୟମାନେ ଶବ ସତ୍କାର ପାଇଁ ବାହାରିଥିଲେ । ଗ୍ରାମବାସୀମାନେ ଏକ ବସ୍ ଯୋଗେ ଶବ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୩୮ ବର୍ଷୀୟ ଶରତ ଗୋଛାୟତ । ଶବ ସତ୍କାର ପରେ ସବୁ ଗ୍ରାମବାସୀ ଫେରିଯାଇଥିଲେ, ହେଲେ ରହିଯାଇଥିଲେ ଶରତ ।
ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ଶରତଙ୍କ ଉପରେ ମାଡ଼ିଯାଇଥିବା ଗାଡ଼ି ବିଷୟରେ କୌଣସି ସୂଚନା ପୋଲିସକୁ ମିଳିପାରି ନାହିଁ ।
‘‘ଶରତ ପାଖରେ ଟଙ୍କା ବି ନ ଥିଲା । ତେଣୁ ସେ ସ୍ୱର୍ଗଦ୍ୱାରରୁ ଚାଲି ଚାଲି ଘରକୁ ଫେରୁଥିଲା । ଆଉ ମୋବାଇଲ ଫୋନ୍ ନ ଥିବାରୁ କାହା ସହ ଯୋଗାଯୋଗ ବି କରିପାରି ନ ଥିଲା ସେ । ପ୍ରତ୍ୟକ୍ଷଦର୍ଶୀମାନଙ୍କ ମୁତାବକ ସେ ପୁରୀରୁ କଟକ ଅଭିମୁଖେ ରାଜପଥରେ ଚାଲି ଚାଲି ଆସୁଥିଲା,’’ କହିଛନ୍ତି ଶରତଙ୍କ ସମ୍ପର୍କୀୟ ଅନାମ ଗୋଛାୟତ । ସେ ଶରତଙ୍କ ସାଙ୍ଗରେ କଟକରୁ ବସରେ ଆସିଥିଲେ ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର କହିଛନ୍ତି ଯେ ରାତି ପ୍ରାୟ ୧୧ଟା ସମୟରେ ସେହି ଥାନା ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚଣାଗୋରଡ଼ା ଛକ ନିକଟରେ ଏକ ଅଜଣା ଗାଡି଼ ଶରତଙ୍କୁ ଧକ୍କା ଦେଇଥିଲା । ‘‘ସେ ଆହତ ହୋଇ ରାସ୍ତାରେ ପଡି଼ଥିବା ବେଳେ ଏକ ପିସିଆର୍ ଭ୍ୟାନ୍ ତାଙ୍କୁ ଚିକିତ୍ସା ପାଇଁ ସତ୍ୟବାଦୀ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା'ର ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ
ଶରତଙ୍କ ପକେଟରେ ଥିବା ଏକ ଟିପାଖାତା ଓ ଆଧାର କାର୍ଡ଼ରୁ ତାଙ୍କ ଘର ଠିକଣା ସଂଗ୍ରହ କରି ତାଙ୍କ ପରିବାର ସହ ଯୋଗାଯୋଗ କରି ଏହି ଦୁଃଖଦ ଖବର ସେମାନଙ୍କୁ ଜଣାଇଥିଲେ ପାତ୍ର । ଶବକୁ ପୁରୀରେ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ତାହା ହସ୍ତାନ୍ତର କରାଯାଇଥିଲା ଓ ସେମାନେ ତାଙ୍କ ଗ୍ରାମକୁ ନେଇଯାଇଥିଲେ ।
ଶବ ସତ୍କାର ପାଇଁ ଆସି ନିଜେ ଶବ ହୋଇ ଫେରିବାର ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ବେଶ୍ ଦୁଃଖ ଦେଇଛି । ତେବେ ଯଦି ପାଖରେ ମୋବାଇଲ ଫୋନ୍ ଥା’ନ୍ତା ବୋଧହୁଏ ଶରତ ଗୋଛାୟତ ବସରେ ଗ୍ରାମବାସୀଙ୍କ ସହ ଫେରିପାରିଥାନ୍ତେ । ରାଜପଥରେ ତାଙ୍କ ଉପରେ ମାଡ଼ିଯାଇଥିବା ଗାଡ଼ି ବିଷୟରେ କୌଣସି ସୂଚନା ପୋଲିସକୁ ମିଳିପାରି ନାହିଁ ।