News 18 Odia Digital
କଟକ; ପୁଅର ଲ୍ୟାପଟପ ପାଇଁ ଗଲା ମାଆର ଜୀବନ । କଟକ
କୁତାଖାଇ ଗଳି ବି.ଗୁଣବତୀ ହତ୍ୟାକାଣ୍ଡର ଖୁଲାସା କରିଛି କମିସନରେଟ ପୋଲିସ । କମିସନରେଟ୍ ପୋଲିସ ଏହି ହତ୍ୟାକାଣ୍ଡକୁ ନେଇ ଯେଉଁ ତଥ୍ୟ ଦେଇଛି ତାହା ନିଶ୍ଚିତ ଭାବରେ ଆଶର୍ଯ୍ୟଜନକ । ଏହି ଘଟଣାରେ ପୋଲିସ ସ୍ଥାନୀୟ ଅଞ୍ଚଳ ଦୁଇ ଯାଆଁଳା ଭାଇ ଓ୍ୱାଇ ସୁଦୀପ ଓ ଓ୍ୱାଇ ସୁନିଲଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି । 
ହତ୍ୟା ଅଭିଯୁକ୍ତ ଦୁଇ ଯାଆଁଳା ଭାଇ ଓ୍ବାଇ. ସୁଦୀପ ଓ ଓ୍ବାଇ. ସୁନିଲ
ପୋଲିସଠାରୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଜଣେ ଯୁବତୀଙ୍କ ସହ ମୃତ ମହିଳା ବି.ଗୁଣବତୀଙ୍କ ପୁଅ ବି.ରବିକୁମାରଙ୍କ ପ୍ରେମ ସମ୍ପର୍କ ଥିଲା । ସେହି ସମୟରେ ବି.ରବିକୁମାର ସମ୍ପୃକ୍ତ ଯୁବତୀଙ୍କ ସହିତ କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ । ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଅନ୍ୟତ୍ର ବିବାହ କରିବା ପରେ ସେହି ପୁରୁଣା ଫଟୋ ଗୁଡ଼ିକୁ ନେଇ ବି. ରବିକୁମାର ନିଜର ପୂର୍ବତନ ପ୍ରେମିକାଙ୍କୁ ବ୍ଲାକମେଲ କରୁଥିଲେ । ତେବେ ସେହି ଫଟୋ ଗୁଡ଼ିକ ବି. ରବି କୁମାର ନିଜ ଲ୍ୟାପଟପରେ ରଖିଥିବା ଜାଣିବା ପରେ ସେହି ଲାପଟପକୁ ହାତେଇବା ପାଇଁ ତାଙ୍କ ପୂର୍ବତନ ପ୍ରେମିକାଙ୍କ ବାପା ବି.ପ୍ରସାଦ ରାଓ ଯୋଜନା କରିଥିଲେ । ଏଥିପାଇଁ ବି. ପ୍ରସାଦ ରାଓ ନିଜ ପଡୋଶୀ ତଥା ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା କରଜ କରିଥିବା ଦୁଇ ଭାଇ ଓ୍ବାଇ. ସୁଦୀପ ଓ ଓ୍ବାଇ. ସୁନିଲଙ୍କୁ ନିୟୋଜିତ କରିଥିଲା । ଡିଲ ଥିଲା ଯେ ଓ୍ବାଇ. ସୁଦୀପ ଓ ଓ୍ବାଇ. ସୁନିଲ ବି.ଗୁଣବତିଙ୍କ ଘରେ ପଶି ତାଙ୍କ ପୁଅ ଲ୍ୟାପଟପ ଚୋରୀ କରି ଆଣିବେ ଏବଂ ଏହା ବଦଳରେ ଦୁଇ ଭାଇଙ୍କ ଉପରେ ଥିବା କରଜ ଟଙ୍କାକୁ ବି.ପ୍ରସାଦ ରାଓ ମାଫ କରିବେ ।
ଏହି ଡିଲ ହେବା ପରେ ଅଭିଯୁକ୍ତ ଦୁଇ ଭାଇ ଉପଯୁକ୍ତ ସମୟ ଓ ସୁଯୋଗକୁ ଅପେକ୍ଷା କରିଥିବା ବେଳେ ଗତ ୧୫ ତାରିଖ ଅପରାହ୍ନରେ ବି.ଗୁଣବତୀ ଘରେ ଏକୁଟିଆ ଥିବା ଜାଣି ସେମାନେ ତାଙ୍କ ଘର ଭିତରକୁ ପଶି ଥିଲେ । ତିନି ମହଲା ବିଶିଷ୍ଟ କୋଠାର ଦ୍ୱିତୀୟ ମହଲାରେ ବି.ଗୁଣବତି ରହୁଥିବା କଥା ଏବଂ ତୃତୀୟ ମହଲାରେ ଲାପଟପ ଥିବା ସେମାନେ ଜାଣିଥିଲେ । ପ୍ରଥମେ ଦ୍ୱିତୀୟ ମହଲାକୁ ଯାଇ ପରିବା କାଟୁଥିବା ବି.ଗୁଣବତୀଙ୍କ ବେକରେ ପନିକିକୁ ଲଗାଇ ତାଙ୍କୁ ବଳ ପୂର୍ବକ ତୃତୀୟ ମହଲାକୁ ନେଇଥିଲେ । ସେଠାରେ ଲ୍ୟାପଟପଟି ହାତେଇବା ପରେ ସେମାନେ ବି.ଗୁଣବତୀଙ୍କ ବେକକୁ ପନିକିରେ କାଟି ଦେଇ ଫେରାର ହୋଇଯାଇଥିଲେ ।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ପରିବା କଟା ପନିକି ସହ ଚୋରା ଲ୍ୟାପଟପକୁ ଯୋବ୍ରା ବ୍ୟାରେଜରେ ଫିଙ୍ଗି ଦେଇଥିଲେ । ଏହି ଦୁଇଟି ସାମଗ୍ରୀକୁ ଖୋଜିବା ଆରମ୍ଭ କରଛି ପୋଲିସ । ଏନେଇ ଅଗ୍ନିଶମ ବିଭାଗ, ଓଡ୍ରାଫ ସହିତ ସ୍କୁବା ଡାଇଭରଙ୍କୁ ନିୟୋଜିତ କରାଯାଇଛି ।
'ଘଟଣା ସ୍ଥଳରୁ କୌଣସି ପାରିପାର୍ଶ୍ବିକ ପ୍ରମାଣ ଆମ ହାତରେ ଲାଗି ନଥିଲା । ତଥାପି ଏହି ମାମଲାକୁ ଅତି ଗୁରୁତ୍ବପୂର୍ଣ୍ଣ ଭାବେ ନେଇ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲୁ । ପ୍ରାଥମିକ ତଦନ୍ତରୁ ଆମକୁ କିଛି ସୁରାକ ମିଳିଥିଲା କିନ୍ତୁ ଫୋରେନସିକ୍ ଓ ଡିଜିଟାଲ୍ ଏଭିଡେନ୍ସକୁ ଆଧାର କରି ଆମେ ଅଭିଯୁକ୍ତଙ୍କୁ ଧରିଵାରେ ସଫଳ ହୋଇଛୁ । ଏହି ମାମଲାରେ ତଦନ୍ତ ଜାରି ରହିଥିବାରୁ ଆଗକୁ ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେପଟେ ଲ୍ୟାପଟପରେ ନିଜ ପୂର୍ବତନ ବାନ୍ଧବୀଙ୍କ ଫଟୋ ଥିବା କଥାକୁ ଗୁଣବତୀଙ୍କ ପୁଅ ପରୋକ୍ଷରେ ସ୍ୱୀକାର କରିଥିଲେ ମଧ୍ୟ ସେ କାହାକୁ ବ୍ଲାକମେଲ କରିନଥିବା ସଫେଇ ଦେଇଛନ୍ତି ବି.ରବିକୁମାର । 'ସେହି ଝିଅ ବାହା ହେବା ପରେ ମୁଁ ତା ସହିତ ସମ୍ପର୍କରେ ନାହିଁ । ବ୍ଲାକମେଲ କରି ନାହିଁ । ଯଦି କରିଥିବି ତାହା ପୋଲିସ ତଦନ୍ତରୁ ଜଣା ପଡ଼ିବ' କହିଛନ୍ତି ବି.ରବିକୁମାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।