ଇଦ ଉଲ ଫିତର ପାଇଁ ସଜେଇ ହୋଇଛି କଟକ; ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀ ପାଳିବେ ଇଦ

ମଙ୍ଗଳବାର ଇଦ-ଉଲ-ଫିତର ପାଇଁ କଟକ ସହରର ବିଭିନ୍ନ ମସଜିଦରେ ଶେଷ ହୋଇଛି ପ୍ରସ୍ତୁତି। ତେଣୁ ଚଳିତ ବର୍ଷ ଇଦ୍ ପାଳନକୁ ନେଇ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ ଆୟୋଜନ ।

ଇଦ ଉଲ ଫିତର ପାଇଁ ସଜେଇ ହୋଇଛି କଟକ (ପ୍ରତୀକାତ୍ମକ ଛବି)

ଇଦ ଉଲ ଫିତର ପାଇଁ ସଜେଇ ହୋଇଛି କଟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ମଙ୍ଗଳବାର ଇଦ-ଉଲ-ଫିତର ପାଇଁ ସହରର ବିଭିନ୍ନ ମସଜିଦରେ ଶେଷ ହୋଇଛି ପ୍ରସ୍ତୁତି। କରୋନା ପାଇଁ ଦୁଇ ବର୍ଷ ହେବ କଟକଣା ଯୋଗୁଁ ସମୁହ ନମାଜ ପାଠ ହୋଇପାରୁନଥିଲା । ତେଣୁ ଚଳିତ ବର୍ଷ ଇଦ୍‌ ପାଳନକୁ ନେଇ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ ଆୟୋଜନ ।

କଦମ ରସୁଲ, ଇଦଘା, ଛୋଟି ମସଜିଦ, ବଡି ମସଜିଦ୍‌କୁ ରଙ୍ଗ ବେରଙ୍ଗ ଫୁଲ ସହ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ସମୂହ ନମାଜ ପାଠ ପାଇଁ କଦମ ରସୁଲରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକେ ଏକାଠି ହେବାର ସମ୍ଭାବନା ରହିଛି । ଦୁଇଟି ପର୍ଯ୍ୟାୟରେ ଏଠାରେ ନମାଜ ପାଠ କରାଯିବ । ସକାଳ ୮.୩୦ରେ ଥରେ ଓ ୯.୩୦ ରେ ଦ୍ବିତୀୟ ପର୍ଯ୍ୟାୟ ନମାଜ ପାଠ ହେବ।ସେହିଭଳି ଇଦଘା' ରେ ସକାଳ ୧୦.୩୦ରେ ସମୁହ ନମାଜ ପାଠ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଛୋଟି ମସଜିଦ୍ ଓ ବଡି ମସଜିଦରେ ମଧ୍ୟ ନମାଜ ପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି କହିଛନ୍ତି ଇଦଘା କମିଟି ଉପଦେଷ୍ଟା ରମଜାନ ଖାନ' ।

ଖାଲି ମସଜିଦ ନୁହଁ, ଇଦ୍ ପାଇଁ ଘରେ ଘରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସରିଛି। "ନମାଜ ପାଠ ସାଙ୍ଗକୁ ଘରେ ଏକାଠି ହୋଇ ଜମିବ ଖାଦ୍ୟପେୟର ଆସର । ସେଥିପାଇଁ ଇଦ୍ ବଜାରରେ ଜମିଛି କିଣାକିଣି । ନୂଆ ପୋଷାକ ସହ ଲଚ୍ଛା, ସିମେଇ ଆଉ ତା ସାଙ୍ଗକୁ ଖଜୁର ଓ ଡ୍ରାଏଫ୍ରୁଟ୍ ଘରକୁ କିଣି ନେଉଛନ୍ତି ମୁସଲମାନ ଭାଇ ଭଉଣୀ ।ଆତ୍ମୀୟ ସ୍ୱଜନଙ୍କ ଠାରୁ ଆରମ୍ଭ କରି ପାଖ ପଡୋଶୀ ସମସ୍ତେ ଏକାଠି ହୋଇ ଇଦ ପର୍ବକୁ ଧୁମଧାମରେ ପାଳନ କରିବୁ," କହିଛନ୍ତି କଟକବାସୀ ମେରାଜ ମହମ୍ମଦ' ।

"ଆମେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିଛୁ । ସହରରେ ମୋଟ୍ ୪ଟି ଏଡ଼ ପୋଷ୍ଟ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯାଇଛି। ଏହା ସହ ବିଭିନ୍ନ ଥାନା ଅଧିକାରୀଙ୍କଠୁ ବରିଷ୍ଠ ଅଧିକାରୀଙ୍କ ନଜରରେ ସହରର ସମସ୍ତ ମସଜିଦ୍ ରହିବ, ଯେପରି କୌଣସି ସ୍ଥାନରେ କିଛିବି ଅଘଟଣ ନ ହେବ ସେ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି,"କହିଛନ୍ତି କଟକ ଡିସିପି ପ୍ରତୀକ ସିଂ।

ପୂର୍ବରୁ ବିଭିନ୍ନ ମୁସଲିମ କମିଟି ସହ ବୈଠକ କରିଥିଲା କମିଶନରେଟ ପୋଲିସ। ତେବେ ମଙ୍ଗଳବାର ଇଦ ପର୍ବ ଶାନ୍ତି ଶୃଙ୍ଖଳାର ଶେଷ ହେବା ନେଇ ସମସ୍ତେ ଆଶା ରଖିଛନ୍ତି।
Published by:Soumya Das
First published: